ଲକ୍‌ଡାଉନ ଯୋଗୁ ଏନ୍‌ଆର୍‌ଆର୍‌ଆଇ ବନ୍ଦ : ବେକାର ଯିବ ଧାନ ଗବେଷଣା

କଟକ-ବିଦ୍ୟାଧରପୁର : କରୋନା ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ (ଏନ୍‌ଆର୍‌ଆର୍‌ଆଇ) ଏବେ ସଂପୂର୍ଣ୍ଣ ବନ୍ଦ।

ଅନୁଷ୍ଠାନରେ ୯୦ ଜଣ ବୈଜ୍ଞାନିକ, ୩୦ଜଣ କର୍ମଚାରୀ ଓ ୩୫୦ ଠିକା ଶ୍ରମିକ କାର୍ଯ୍ୟ କରୁଥିବା ବେଳେ କରୋନା ଯୋଗୁଁ ଏନ୍‌ଆର୍‌ଆର୍‌ଆଇର କାର୍ଯ୍ୟାଳୟ ଓ ଲାବୋରେଟୋରି ବନ୍ଦ ରହିଛି। ଗବେଷଣାରତ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ବନ୍ଦ କରାଯାଇ ସେମାନଙ୍କୁ ଘରକୁ ପଠାଇ ଦିଆଯାଇଛି। ପରୋକ୍ଷରେ କହିଲେ, ଅନୁଷ୍ଠାନ ଏବେ ସୁରକ୍ଷାକର୍ମୀଙ୍କ ଦାୟିତ୍ବରେ ରହିଛି। ଥର୍ମାଲ ସ୍କାନର୍‌ ଧରି ସୁରକ୍ଷାକର୍ମୀ ଜଗି ରହିଛନ୍ତି। ଅନୁଷ୍ଠାନ ଭିତରକୁ ଜରୁରୀ କାମ ପାଇଁ ଯାଉଥିବା ବୈଜ୍ଞାନିକଙ୍କ ତାପମାତ୍ରା ଅଧିକ ଥିଲେ ସେମାନଙ୍କୁ ଛଡ଼ାଯାଉ ନାହିଁ। ଗବେଷଣା ପାଇଁ କରାଯାଇଥିବା ଧାନଚାଷ ଅବସ୍ଥା ବି ଏବେ ଭଲ ନାହିଁ। ଜମିରେ ଘାସ ମାଡ଼ି ଗଲାଣି। ଲକ୍‌ଡାଉନ ଯୋଗୁଁ ମୂଲିଆଙ୍କୁ ଏଥିପାଇଁ ନିୟୋଜିତ କରାଯାଇ ପାରୁନାହିଁ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜମିରେ ସାର ପକାଯାଇ ପାରୁନାହିଁ। ଏଭଳି ପରିସ୍ଥିତିରେ ଗବେ‌ଷଣା ଅନ୍ତର୍ଗତ ଧାନର ନିୟମିତ ଡାଟା କେମିତି ନିଆଯିବ ତାକୁ ନେଇ ପ୍ରଶ୍ନ ଉଠିଛି ବୋଲି ବୈଜ୍ଞାନିକ ଡ. ମୀରା‌ କୁମାରୀ କର କହିଛନ୍ତି। ସେ କହିଛନ୍ତି ଯେ, ‘ଆମକୁ ମୁଖ୍ୟାଳୟରେ ରହିବା ପାଇଁ ନିର୍ଦ୍ଦେଶ ଅଛି। କିନ୍ତୁ ଲାବୋରେଟୋରିକୁ ଯିବା ପାଇଁ କୁହାଯାଇ ନାହିଁ। ଲାବୋରେଟୋରିରେ ଡିପ୍‌ ଫ୍ରିଜର୍‌ରେ ରହିଛି ଗବେଷଣା ଧାନର ବ୍ରିଡ୍। ପ୍ରତ୍ୟେକ ଦିନ ଏହାକୁ ଯାଞ୍ଚ କରାଯିବା କଥା। ଇଲେକ୍ଟ୍ରିସିଟିରେ ଚାଲିଥିବା ଏହି ଡିପ୍‌ ଫ୍ରିଜର ଚାଲିବାରେ ଯଦି କିଛି ଅସୁବିଧା ହୁଏ ତେବେ ଦୀର୍ଘଦିନର ପରିଶ୍ରମ ବେକାର ଯିବ।। କୋଟି କୋଟି ଟଙ୍କାର ଗବେଷଣା ସାମଗ୍ରୀ ନଷ୍ଟ ହେବ ବୋଲି ସେ କହିଛନ୍ତି। ଗବେଷଣା କାମରେ ବ୍ୟବହାର କରାଯାଉଥିବା ଧାନ ଜମିରେ କେବଳ ପାଣି ମଡାଇବା ପାଇଁ ଦୁଇଜଣଙ୍କୁ ଅନୁମତି ଦିଆଯାଇଛି। ଯଦି ଲକ୍‌ଡାଉନ ଅଧିକ ଦିନ ଜାରି ରୁହେ ସବୁ ଗବେଷଣା କାର୍ଯ୍ୟ ବେକାର ଯିବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ କରୋନା ସଂକ୍ରମଣ ଭୟରେ ବୈଜ୍ଞାନିକମାନେ ଲାବୋରେଟୋରି ଭିତରକୁ ଯିବାକୁ ଭୟ କରୁଛନ୍ତି। ଏହି ପ୍ରସଂଗରେ ସକରାର ଶୀଘ୍ର କୌଣସି ନୀତିଗତ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର