ଏନ୍‌ଆର୍‌ଆର୍‌ଆଇ ସ୍ଥିତି ଶୋଚନୀୟ : ବିପଦରେ ୭୦ହଜାର କିସମ ବିହନ!

ବିଦ୍ୟୁତ୍ ନାହିଁ, କାମ କରୁନି ଜିନ୍‌ ବ୍ୟାଙ୍କ୍‌, କୋଟି କୋଟି ଟଙ୍କାର କେମିକାଲସ ନଷ୍ଟ, ଖତ ହେବ ୭୦ହଜାର କିସମର ଦୁର୍ମୂଲ୍ୟ ବିହନ

କଟକ-ବିଦ୍ୟାଧରପୁର : ବିପଦରେ ସତୁରି ହଜାର କିସମର ଧାନ ବିହନ। ବର୍ଷ ବର୍ଷ ଧରି ‌ଯାହାକୁ ସାଇତି ରଖିବା ପାଇଁ ଗବେଷଣା ପରେ ଗବେଷଣା ଚାଲିଛି, ତାହା ଆଉ ଦିନ କେଇଟାରେ ଖତ ଖାଇ ନଷ୍ଟ ହେବା ଆଶଙ୍କା ସୃଷ୍ଟି ହୋଇଛି। ବିଜୁଳି ନ ଥିବାରୁ ଏ ପ୍ରକାର ପରିସ୍ଥିତି ଉପୁଜିଛି। ସ୍ଥିତି ଏପରି ଯେ, ଆସନ୍ତା ଦୁଇ ତିନି ଦିନ ମଧ୍ୟରେ ଯଦି ବିଦ୍ୟୁତ୍ ସଂଯୋଗ ନ ଆସେ, ତେବେ ଶୀତତାପ ନିୟନ୍ତ୍ରିତ ଜିନ୍‌ ବ୍ୟାଙ୍କ୍‌ରେ ରହିଥିବା ଏହି ହଜାର ହଜାର ଦୁର୍ମୂଲ୍ୟ ବିହନ ଖତ ଖାଇଯାଇପାରେ। ଜେନେରେଟର୍‌ ସାହାଯ୍ୟରେ ଯଦିଓ ଏହାକୁ ସୁରକ୍ଷିତ ରଖିବା ପାଇଁ ପ୍ରୟାସ ଚାଲିଛି, କିନ୍ତୁ ତାହା ପର୍ଯ୍ୟାପ୍ତ ନୁହେଁ। ଅର୍ଥାତ୍ ଜେନେରେଟର୍‌ ଜିନ୍‌ ବ୍ୟାଙ୍କ୍‌ ପାଇଁ ପର୍ଯ୍ୟାପ୍ତ ବିଜୁଳି ଦେଇପାରୁନାହିଁ। କୋଟି କୋଟି ଟଙ୍କାର କେମିକାଲ୍‌ସ ବି ନଷ୍ଟ ହେଇଗଲାଣି। ଏଭଳି ସ୍ଥିତିରେ ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ବ୍ୟବସ୍ଥା କରାନଗଲେ ସ୍ଥିତି ଅଣାୟତ ହେବା ଆଶଙ୍କାକୁ ଏଡ଼ାଇ ଦେଇହେବ ନାହିଁ।

କଟକସ୍ଥିତ ଏନଆରଆରଆଇ ଏସିଆର ଦ୍ବିତୀୟ ବୃହତ୍ତମ ଧାନ ଗବେଷଣା କେନ୍ଦ୍ର। ଏହି କେନ୍ଦ୍ରର ଜିନ ବ୍ୟାଙ୍କରେ ଭାରତ ସମେତ ବିଭିନ୍ନ ଦେଶର ୭୦ହଜାରରୁ ଅଧିକ କିସମର ଧାନ ବିହନ ଦୀର୍ଘ ବର୍ଡ ହେବ ସଂରକ୍ଷିତ ହୋଇ ରହିଛି। ଗବେଷଣାରେ ଏସବୁ ଧାନ ବିହନର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ। ଶୀତତାପ ନିୟନ୍ତ୍ରିତ କୋଠରୀରେ ଏସବୁ ବିହନ ରଖାଯାଉଥିବା ବେଳେ ସେହି କକ୍ଷକୁ ୨୪ ଘଣ୍ଟା ବିଦ୍ୟୁତ ଯୋଗାଣ ହୋଇଥାଏ। ତେବେ ଫନି ବାତ୍ୟା ସାରା କଟକ ସହରକୁ ବିଦ୍ୟୁତ୍ ସରାବରାହ ବନ୍ଦ ରହିଛି। ଫଳରେ ଏହି ଜିନ ବ୍ୟାଙ୍କ୍‌ରେ ଥିବା ବିହନ ସୁରକ୍ଷାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଦ୍ୟୁତ ସରବରାହ ବନ୍ଦ ପରେ ଏନଆରଆରଆଇ କର୍ତୃପକ୍ଷ ୨୫୦ କେଭି ଶକ୍ତି ସମ୍ପନ୍ନ ଜେନେରେଟର ଲଗାଇଛନ୍ତି। ହେଲେ ସ୍ବଳ୍ପ ଶକ୍ତି ହେତୁ ଏହି ଜେନେରେଟର ୨୪ ଘଣ୍ଟା ଚାଲିପାରୁନାହିଁ। ଭୋର ସାଢେ ୪ଟାରୁ ୭ଟା, ଦିନ ୯ଟାରୁ ଗୋଟାଏ ଏବଂ ସଂଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ଚାଲୁଛି। କିନ୍ତୁ ଏଭଳି ପାଳିରେ ଚାଲିବା ଯୋଗୁ ଜିନ ବ୍ୟାଙ୍କ ଠିକ୍‌ ଭାବେ ଶୀତତାପ ନିୟନ୍ତ୍ରିତ ହୋଇପାରୁନାହିଁ। ଫଳରେ ବିହନ ସୁରକ୍ଷିତ ରହିବା ନେଇ କର୍ତୃପକ୍ଷ ଆଶଙ୍କା ପ୍ରକାଶ କରିଛନ୍ତି। ଏଭଳି ଅବସ୍ଥା ଯଦି ଆଉ ଦୁଇ ଦିନ ଲାଗି ରହେ ତାହେଲେ ବିହନ ନଷ୍ଟ ହେବା ଆଶଙ୍କାକୁ ଆଦୌ ଏଡ଼ାଇ ଦେଇ ହେବ ନାହିଁ। କେବଳ ସେତିକି ନୁହେଁ, ବିଜୁଳି ଅଭାବରୁ ଏନଆରଆରଆଇରେ ଥିବା କୋଟି କୋଟି ଟଙ୍କାର କେମିକାଲ୍‌ ନଷ୍ଟ ହୋଇଛି। ବିଯୁକ୍ତ ୨୦ଂ ଏବଂ ୮୦ଂ ସେଲିସିୟସରେ ଏହି ସବୁ ଦାମୀ କେମିକାଲ୍‌ସ ଗଚ୍ଛିତ ରହିଥାଏ। ତେବେ ସ୍ବଳ୍ପ ଶକ୍ତି ସମ୍ପନ୍ନ ଜେନେରେଟର ଲାଗିଥିବା ଯୋଗୁ ଏସବୁ କେମିକାଲସ ନଷ୍ଟ ହୋଇଥିବା ଜଣାପଡିଛି। ସେହିପରି ରେନ ଆଉଟ ସେଣ୍ଟରରେ ମରୁଡି ଧାନ ଗବେଷଣା କେନ୍ଦ୍ର ନଷ୍ଟ ହେବା ସହ ଭି-ବ୍ଳକରେ ୮୦ କିସମର ଧାନ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏତଦ୍‌ବ୍ୟତୀତ କୋଟି କୋଟି ଟଙ୍କାର ଅନ୍ୟ ସାମଗ୍ରୀ ବାତ୍ୟାରେ ନଷ୍ଟ ହୋଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସୂଚନା ଦେଇ କ୍ୟାମ୍ପସ ଉନ୍ନୟନ ଅଧିକାରୀ ଡକ୍ଟର ଏମ.ଜେ. ବେଗ୍‌ କହିଛନ୍ତି, ଏନଆରଆରଆଇରେ ଦୁଇଟି ୨୫୦ କେଭିଏ ଶକ୍ତି ସମ୍ପନ୍ନ ଜେନେରେଟର ରହିଛି। ମାତ୍ର ଏହା ଆବଶ୍ୟକ ବିଦ୍ୟୁତ ଚାହିଦା ପୂରଣ କରିପାରୁନାହିଁ। ବିଦ୍ୟୁତ ସଂକଟ ଯୋଗୁ ଜିନ୍‌ ବ୍ୟାଙ୍କରେ ଥିବା ବିହନ ସୁରକ୍ଷାକୁ ନେଇ ସନ୍ଦେହ ଉପୁଜିଥିବାବେଳେ ବହୁ କେମିକାଲସ ନଷ୍ଟ ହୋଇଯାଇଛି। ତେବେ ଖୁବଶୀଘ୍ର ଉଚ୍ଚ ଶକ୍ତି ସମ୍ପନ୍ନ ଜେନେରେଟର ପାଇଁ ବ୍ୟବସ୍ଥା କରାଯାଉଥିବା ଶ୍ରୀ ବେଗ କହିଛନ୍ତି।

ସମ୍ବନ୍ଧିତ ଖବର