କଟକ-ବିଦ୍ୟାଧରପୁର: ଦେଶରେ ଖାଦ୍ୟ ନିରାପତ୍ତା ବୃଦ୍ଧି ପାଇଁ ନୂଆଦିଲ୍ଲୀରେ ୧୦୯ଟି ଜୈବ ସମ୍ବର୍ଦ୍ଧିତ ଉଚ୍ଚ ଅମଳକ୍ଷମ ଜଳବାୟୁ ପ୍ରତିରୋଧ ଧାନ, ଡାଲି ଓ ଅନ୍ୟାନ୍ୟ ଫସଲର କିସମ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଛି। ନୂଆଦିଲ୍ଲୀସ୍ଥିତ ଖାଦ୍ୟ କୃଷି ଅନୁସନ୍ଧାନ ସଂସ୍ଥାର ଫାର୍ମରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ଏହାର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏନ୍ଆର୍‌ଆର୍‌ଆଇ ଦ୍ବାରା ପ୍ରସ୍ତୁତ ତିନିଟି କିସମ ଯଥା; ୧୦୮, ସିଆର୍ ଧାନ-୮୧୦ ଏବଂ ସିଆର୍ ଧାନ-୪୧୬ ବିମୋଚନ କରାଯାଇଛି।

Advertisment

ସୂଚନାଯୋଗ୍ୟ, ୧୦୮ ଧାନ ଓଡ଼ିଶା ଓ ବିହାର ପାଇଁ ମରୁଡି ସହନଶୀଳତା କିସମ ହୋଇଥିବା ବେଳେ ଏହି ଧାନ ହେକ୍ଟର ପିଛା ୩୨ କୁଇଣ୍ଟାଲ ଅମଳ ହୋଇଥାଏ। ଏହି ଅଞ୍ଚଳରେ ପ୍ରତି ୨ରୁ୩ ବର୍ଷରେ ମରୁଡ଼ି ପରିସ୍ଥିତି ଦେଖାଯାଏ। ଏହାକୁ ଦୃଷ୍ଟିରେ ରଖି ଏହି କିମସ ପ୍ରସ୍ତୁତ କରାଯାଇଛି। ମରୁଡ଼ିପ୍ରବଣ ଢିପ ଜମିରେ ଏହା ଛଟାବୁଣା ମାଧ୍ୟମରେ ଚାଷ ହୋଇଥାଏ ଓ ମାତ୍ର ୧୧୨ ଦିନରେ ପରିପକ୍ବ ହୋଇଥାଏ। ଅଧିକ ଅମଳକ୍ଷମ ଯୋଗୁଁ ଚାଷୀଙ୍କ ଆୟ ଦ୍ୱିଗୁଣିତ ହୁଏ। ସେହିପରି ସିଆର୍‌-୮୧୦ ଗାୟତ୍ରୀ ସବ୍‌-ଜଳମଗ୍ନ ସହନଶୀଳ ଧାନ। ଓଡ଼ିଆ, ପଶ୍ଚିମବଙ୍ଗ, ଆସାମର ନିମ୍ନ ବନ୍ୟା ଅଞ୍ଚଳ ପାଇଁ ଏହା ଉପଯୁକ୍ତ। ଏହାର ଉତ୍ପାଦନ ହେକ୍ଟର ପିଛା ୪୨ କୁଇଣ୍ଟାଲ। ଏହା ୧୫୦ ଦିନରେ ପାଚିଥାଏ। ସିଆର୍ ଧାନ-୪୧୬ ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ ଲବଣ ମୃତ୍ତିକା ପାଇଁ ଉପଯୁକ୍ତ। ଏହା ହେକ୍ଟର୍‌ ପିଛା ୪୩ କୁଇଣ୍ଟାଲ୍‌ ଅମଳ ଦେଇଥିବା ବେଳେ ୧୨୫ ଦିନରେ ପରିପକ୍ବ ହୋଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏନ୍‌ଆର୍‌ଆର୍‌ଆଇ ଓ ଅନ୍ୟ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ।