ବଲାଙ୍ଗୀର: ବଲାଙ୍ଗୀର ପୁଲିସର ଅପରାଧ ଦମନ ଅଭିଯାନରେ ନୂଆ ଫର୍ଦ୍ଦ ଯୋଡ଼ିହୋଇଛି। ଏଥର କିଛି ଭିନ୍ନ ତରିକା ଆପଣେଇଛି ଜିଲ୍ଲା ପୁଲିସ। ଯେଉଁ ଅପରାଧୀମାନେ କ୍ରମାଗତ ଭାବରେ ଅପରାଧ ଘଟାଇ ଚାଲିଛନ୍ତି ସେମାନଙ୍କ ବିରୋଧରେ ଏବେ ଏନ୍ଏସ୍ଏ ଭଳି ମାମଲା ରୁଜୁ କରି କୋର୍ଟଚାଲାଣ କରୁଛି। ବଲାଙ୍ଗୀରର କୁଖ୍ୟାତ ନିଶା ମାଫିଆ ଗୋବିନ୍ଦ ଓରଫ ସାନ ନେଗୀ ବିରୋଧରେ ଏନ୍ଏସ୍ଏରେ ମାମଲା ରୁଜୁ କରି କୋର୍ଟଚାଲାଣ କରାଯାଇଛି।
ସୂଚନା ଅନୁସାରେ, ବଲାଙ୍ଗୀର ଟାଉନ ଥାନାର ୬ଟି ମାମଲାରେ ସାନ ନେଗୀ ସଂପୃକ୍ତ ରହିଥିଲା। କଫ୍ସିରପ୍ ଚୋରାଚାଲାଣ, ମାରପିଟ, ଗଣ୍ଡଗୋଳ, ପ୍ରାଣାନ୍ତକ ଆକ୍ରମଣ ମାମଲା ସବୁ ସାନ ନାଁରେ ରୁଜୁ ହୋଇଥିଲା। ଯାହାକୁ ନେଇ ପୁଲିସ ସାନ ଉପରେ ତୀକ୍ଷ୍ଣ ନଜର ରଖିଥିଲା। କିଛିଦିନ ତଳେ ୨୦୨୨ ବର୍ଷ ଶେଷ ବେଳକୁ ସାନ ନେଗୀର କାରନାମା ପୁଣି ବଢ଼ିବା ଜାଣିବା ପରେ ଏସ୍ପିଙ୍କ ନିର୍ଦ୍ଦେଶରେ ଏନ୍ଏସ୍ଏ ଲାଗୁ କରିବା ପାଇଁ କାଗଜପତ୍ର ପ୍ରସ୍ତୁତ କରାଯାଇଥିଲା। ଆଉ ଆଜି ସାନ ନେଗୀକୁ ପୁଲିସ ବଲାଙ୍ଗୀର ସହର ଭିତରୁ ଉଠାଇଥିଲା। ସଂଧ୍ୟାରେ ତାକୁ କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ବଲାଙ୍ଗୀରର କଫ୍ସିରପ୍ କାରବାରର ମୁଖ୍ୟ ମାଷ୍ଟରମାଇଣ୍ଡ ଥିଲା ସାନ ନେଗୀ। ତାର ସହଯୋଗୀମାନେ ପୂର୍ବରୁ ଗିରଫ ହୋଇ ସାନ ସହ ଜେଲ୍ ଯାଇଥିଲେ। ଫେରିବା ପରେ ବି ନିଶା କାରବାରରେ ସେମାନେ ସବୁ ଜଡ଼ିତଥିଲେ। ବଲାଙ୍ଗୀରର ନିଶା ମାଫିଆ ବୋଲି ସାନ ଜଣାଶୁଣା ହୋଇଥିଲା। ନିଶା ବେପାରରେ ସାନ କେଇଟା ଦିନରେ ନିଜର ପତିଆରା ସୃଷ୍ଟି କରିଥିଲା। ପରେ ଗୋଷ୍ଠୀ ବିବାଦ ବି ହୋଇଥିଲା। ଅପରାଧିକ କାର୍ଯ୍ୟକଳାପ ସହରରେ ବଢ଼ିଥିଲା। କିନ୍ତୁ ୨୦୨୧ ବର୍ଷ ପରେ ସେତେଟା ଚର୍ଚ୍ଚାରେ ନଥିଲା ସାନ। ହଠାତ ୨୦୨୨ ବର୍ଷ ଶେଷ ବେଳକୁ ପୁଲିସ ଟାର୍ଗେଟକୁ ସାନ ଆସିଥିଲା। ଟାଉନ ଥାନାରେ ଅକ୍ଟୋବର ମାସରେ ସାନ ନାଁରେ ଏକ ମାମଲା ରୁଜୁ ହୋଇଥିଲା। ସେତେବେଳରୁ ପୁଲିସ ଟାର୍ଗେଟକୁ ଆସିଥିଲା ସାନ। ଆଉ ଶେଷରେ ଏବେ ଏନ୍ଏସ୍ଏରେ ବୁକ୍ ହୋଇ ଜେଲ୍ ଯାଇଛି ସାନ।
ବହୁ ମାମଲାରେ ସଂପୃକ୍ତ
ବଲାଙ୍ଗୀର ଟାଉନ ଥାନାରେ ମୋଟ ୬ଟି ମାମଲା ସାନ ନେଗୀ ନାଁରେ ରହିଛି। କେସ୍ ନଂ ୩୯/୨୦୧୯, ଦଫା ୨୭୪,୨୭୫, ୧୨୦ ବି ଆଇପିସି, କେସ୍ ନଂ ୫୨/୨୦୧୯ ଦଫା- ୨୭୪, ୨୭୫, ୧୨୦ ବି ଆଇପିସି, କେସ୍ ନଂ ୪୧୯/୨୦୨୦ ଦଫା ୩୪୧, ୨୯୪, ୫୦୬, ୩୪ ଆଇପିସି, କେସ୍ ନଂ ୨୧୨/୨୦୨୧ ଦଫା-୩୪୧, ୩୯୫, ୩୬୫, ୨୯୪, ୩୨୪, ୫୦୬, ୩୪ ଆଇପିସି, କେସ୍ ନଂ ୧୧୧ ଦଫା ୩୪୧, ୨୯୪, ୩୫୪, ୫୦୬, ୩୪ ଆଇପିସି, କେସ୍ ନଂ ୫୧୨/୨୦୨୨, ୨୭୪, ୨୭୫, ୩୪ ଆଇପିସିରେ ମାମଲା ସବୁ ରହିଛି। ସେହିପରି ଅନ୍ୟ ଥାନାରେ ବି ସାନ ନାଁରେ ମାମଲା ରହିଥିବା ବଲାଙ୍ଗୀର ପୁଲିସ ସୂଚନା ଦେଇଛି।
ବଲାଙ୍ଗୀର ଅପରାଧୀ ବାହାର ରାଜ୍ୟରେ ଗିରଫ
ବଲାଙ୍ଗୀରର ଦୁଇଜଣ କୁଖ୍ୟାତ ଅପରାଧୀ ବାହାର ରାଜ୍ୟ ପୁଲିସ ହାତରେ ଗିରଫ ହୋଇଛନ୍ତି। ନିଶା କାରବାରରେ ସଂପୃକ୍ତ ପ୍ରଶାନ୍ତ କ୍ଷେତୀ କୋଲକାତାରେ ଗିରଫ ହୋଇଥିବା ବେଳେ ଆଉ ଜଣେ ଫେରାର ଅପରାଧୀ ବି ବାହାର ରାଜ୍ୟ ପୁଲିସ ହାତରେ ଧରାପଡ଼ିଛି। ବଲାଙ୍ଗୀର ପୁଲିସ ଏ ନେଇ ସୂଚନା ପାଇବା ପରେ ସେମାନଙ୍କ ଅଧିକ ଖବର ସଂଗ୍ରହ କରୁଥିବା ଜଣାପଡ଼ିଛି। କେଉଁ ମାମଲାରେ କିଏ ଗିରଫ ହୋଇଛନ୍ତି ତାକୁ ନେଇ ଖବର ନେଉଛି ବଲାଙ୍ଗୀର ପୁଲିସ।