ମହଙ୍ଗା ପଡ଼ିଲା ଦାଦାବଟି ଆଦାୟ; ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଲାଗିଲା ଏନ୍‌ଏସ୍‌ଏ

ଭୁବନେଶ୍ୱର: ‘ଦାଦାବଟିକୁ ନାଁ’ ଅଭିଯାନକୁ କମିସନରେଟ ପୁଲିସ ଅଧିକ ତୀବ୍ର କରିଛି। ସଂଗଠିତ ଅପରାଧୀଙ୍କ ବିରୋଧରେ ପୁଲିସ କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁରେ ଜାତୀୟ ନିରାପତ୍ତା ଆଇନ୍‌ (ଏନ୍‌ଏସ୍‌ଏ) ଲାଗୁ ହୋଇଛି। ଦାଦାବଟି ଆଦାୟ ଓ ସାଧାରଣରେ ଆତଙ୍କ ସୃଷ୍ଟି ପାଇଁ କମିସନରେଟ୍‌ଏ ପୁଲିସ ଏହି ପଦକ୍ଷେପ ନେଇଛି। ଏନ୍‌ଏସ୍‌ଏ ଲାଗୁ କରିବାକୁ ସର୍ବପ୍ରଥମେ କୋର୍ଟରେ ଆବେଦନ ହୋଇଥିଲା। ତାର ସମସ୍ତ କେସ୍‌ ରେକର୍ଡ ଯାଞ୍ଚ କରିବା ପରେ କମିସନରେଟ୍‌ ପୁଲିସର ଆବେଦନକୁ କୋର୍ଟ ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ, ଦାଦାବଟି ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ କମିସନରେଟ୍‌ ପୁଲିସ ଗତ ଅକ୍ଟୋବର ମାସରେ ଏକ ନୂଆ ମିସନ୍‌ ଆରମ୍ଭ କରିଥିଲା। ‘ଦାଦାବଟିକୁ ନା’ ମିସନ୍‌ର ପ୍ରଥମ ଶିକାର ହୋଇଥିଲେ ରାଜା ଆଚାର୍ଯ୍ୟ। ରାଜଧାନୀର କେନ୍ଦ୍ରସ୍ଥଳ ୟୁନିଟ୍‌-୧ ଅଞ୍ଚଳରେ ଦାଦାବଟି ମାଗିବା ଅଭିଯୋଗରେ କ୍ୟାପିଟାଲ୍‌ ଥାନା ପୁଲିସ୍‌ ତାକୁ ଗିରଫ କରିଥିଲା। ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ୧୦ବର୍ଷ ସଜା କାଟି ଫେରିବାର କିଛି ମାସ ପରେ ତା’କୁ ଆଜି ପୁଣି ଜେଲ୍‌ ଯିବାକୁ ପଡ଼ିଥିଲା।

ରାଜା ସହିତ ତା’ର ଦୁଇ ସହଯୋଗୀଙ୍କୁ ମଧ୍ୟ ଗିରଫ କରିଥିଲା ପୁଲିସ। ସେମାନେ ହେଲେ, ଶିରିପୁରର ନୃସିଂହ ବେହେରା ଓ ବିଜେବି ନଗରର ବିନୟ ଦାସ। ରାଜାର ନିର୍ଦ୍ଦେଶକ୍ରମେ ଏମାନେ ଏକ ନମ୍ବର ମାର୍କେଟ୍‌ ଓ ଦୁଇ ନମ୍ବର ମାର୍କେଟ୍‌ ଅଞ୍ଚଳରେ ବ୍ୟବସାୟୀଙ୍କଠାରୁ ଦାଦାବଟି ଆଣୁଥିଲେ।

ସନ୍ଦୀପ ଆଚାର୍ଯ୍ୟ ଓରଫ ରାଜା ୨୦୦୮ ମସିହା ଏପ୍ରିଲ ୧୩ ତାରିଖରେ ଜୁଡୋ କୋଚ୍‌ ବିରଞ୍ଚି ଦାସଙ୍କୁ ହତ୍ୟା କରିଥିଲା। କୁନି ଧାବକ ବୁଦ୍ଧିଆକୁ ନେଇ ବେଶ୍‌ ଚର୍ଚ୍ଚାରେ ଥିବା ବିରଞ୍ଚିଙ୍କ ହତ୍ୟାକାଣ୍ଡକୁ ନେଇ ସେତେବେଳେ ସାରା ଓଡ଼ିଶାରେ ହଇଚଇ ହୋଇଥିଲା। ଗିରଫ ଭୟରେ ସେ ଓଡ଼ିଶା ଛାଡ଼ି ଚାଲି ଯାଇଥିଲା। ଘଟଣାର ମାସେ ପରେ ଅର୍ଥାତ ମେ’ ୨୮ରେ ତାକୁ ଗୋଆରୁ ଗିରଫ କରାଯାଇଥିଲା। ୨୦୧୦ ଡିସେମ୍ବର ୧୭ରେ ଭୁବନେଶ୍ୱର ଫାଷ୍ଟଟ୍ରାକ୍‌ କୋର୍ଟ ରାଜାକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ସୁପ୍ରିମ୍‌କୋର୍ଟରେ ଆବେଦନ କରିବା ପରେ ତାକୁ ମୁକ୍ତି ମିଳିଥିଲା। ଝାରପଡ଼ା ଜେଲରେ ଦୀର୍ଘ ୧୦ବର୍ଷ ରହିବା ପରେ ୨୦୧୮ ଏପ୍ରିଲରେ ସୁପ୍ରିମ୍‌କୋର୍ଟ କେତେକ ସର୍ତ୍ତ ରଖି ଜେଲରୁ ମୁକୁଳିବାକୁ ଆଦେଶ ଦେଇଥିଲେ। ତେବେ କୋର୍ଟଙ୍କ ଏହି ସର୍ତ୍ତ ଖିଲାପ କରିଥିବାରୁ ୨୦୧୯ ନଭେମ୍ବର ୧୩ରେ କଟକ ମାଲଗୋଦାମ ଥାନା ପୁଲିସ ତାକୁ ପୁଣି ଗିରଫ କରିଥିଲା। ଚଳିତବର୍ଷ ପ୍ରାରମ୍ଭରେ ସେ ଜାମିନ୍‌ରେ ମୁକୁଳିଥିଲା। ମୁକୁଳିବା ପରେ ବିଜେବି ନଗରରେ ରହିବା ସହ ଦାଦାବଟି, ସରକାରୀ ଜମି ଜବରଦଖଲ, ଦଖଲରୁ ହଟାଇବା ପ୍ରଭୃତି କାମରେ ମାତି ଯାଇ କମିସନରେଟ୍‌ ପୁଲିସ ଟାର୍ଗେଟ୍‌ରେ ପୁଣି ଆସି ଯାଇଥିଲା।

ସମ୍ବନ୍ଧିତ ଖବର