ଅସୁରକ୍ଷିତ ଗୋପାଳପୁର-ରସାଳପୁର ରାସ୍ତା: ବିଚ୍ ରାସ୍ତାରେ ବାଇକ୍ ଛଡ଼ାଇ ନିର୍ଘାତ ପିଟିଲେ

ବାଲେଶ୍ବର: ପଞ୍ଚାୟତ ନିର୍ବାଚନ ସମୟରେ ପୁଲିସର ଫାର୍ଗମାର୍ଚ୍ଚ ଓ କଡ଼ା ପହରା ସତ୍ତ୍ବେ ଅସାମାଜିକଙ୍କ ଦୌରାତ୍ମ୍ୟ କମିନାହିଁ। ଅପରନ୍ତୁ ବିଚ୍‌ ରାସ୍ତାରେ ପ୍ରାଣାନ୍ତକ ଆକ୍ରମଣ କରି ବାଇକ୍, ଟଙ୍କା, ଏଟିଏମ୍‌ ସହିତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଛଡ଼ାଇ ନେବାର ଦୁଃସାହସ କରିଛନ୍ତି। ମଙ୍ଗଳବାର ମଧ୍ୟାହ୍ନରେ ସଦର ଥାନା ରସାଳପୁର-ଗୋପାଳପୁର ରାସ୍ତାରେ ଦୁର୍ବୃତ୍ତମାନଙ୍କ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବ ଶିକ୍ଷକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ।

ଆକ୍ରମଣର ଶିକାର ହୋଇଥିବା ଶିକ୍ଷକଜଣକ ହେଲେ ବିକାଶ ସାହୁ (୩୩)। ଘର ଜଳେଶ୍ବର କୋର୍ଟ ନିକଟରେ। ବାଲେଶ୍ବର ସଦର ଥାନା ଅନ୍ତର୍ଗତ ରସାଳପୁରଠାରେ ଏକ ଘରୋଇ ସ୍କୁଲରେ ସେ ଶିକ୍ଷକତା କରନ୍ତି। ସବୁଦିନ ପରି ଆଜି ମଧ୍ୟ ବିକାଶ ଟ୍ରେନ୍‌ରେ ଜଳେଶ୍ବରରୁ ଆସି ବାଲେଶ୍ବରରେ ଓହ୍ଲାଇବା ପରେ ଷ୍ଟେସନରୁ ତାଙ୍କ ବାଇକ୍ ନେଇ ସ୍କୁଲ ଅଭିମୁଖେ ଯାଇଥିଲେ। ତେବେ ଫେରିବା ବାଟରେ ମଧ୍ୟାହ୍ନ ପ୍ରାୟ ୨ଟା ସମୟରେ ଗୋପାଳପୁର-ରସାଳପୁର ରାସ୍ତାର କାନକଟା କଂକ୍ରିଟ୍‌ ରାସ୍ତାରେ ହଠାତ ୪ ଜଣ ଯୁବକ ତାଙ୍କ ବାଟ ଓଗାଳିଥିଲେ। କିଛି ବୁଝିବା ପୂର୍ବରୁ ସେମାନେ ବିକାଶଙ୍କ ମଟର ସାଇକେଲ ଚାବି ଛଡ଼ାଇ ନେଇ ଏକ ଲୁହା ରଡ୍‌ରେ ତାଙ୍କୁ ନିର୍ଘାତ ପିଟିଥିଲେ। ଛାଡ଼ିଦେବା ଲାଗି ବିକାଶ ବିକଳ ହେଉଥିବା ବେଳେ ଅଭିଯୁକ୍ତମାନେ ତାଙ୍କ ମନିପର୍ସ ଓ ବ୍ୟାଗ୍‌ ଛଡ଼ାଇ ନେଇଥିଲେ। ପର୍ସ‌ରେ ୧୦୧୦ ଟଙ୍କା, ବ୍ୟାଗ୍‌ରେ ଟିଫିନ୍ ବକ୍ସ, ଏଟିଏମ୍‌ କାର୍ଡ ଆଧାରକାର୍ଡ, ପ୍ୟାନ୍‌କାର୍ଡ, ଭୋଟର୍‌ ପରିଚୟପତ୍ର, ଡ୍ରାଇଭିଂ ଲାଇସେନ୍‌ସ ସମେତ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ଥିଲା ବୋଲି ବିକାଶ ପ୍ରକାଶ କରିଛନ୍ତି।

ତେବେ ଦୁର୍ବୃତ୍ତମାନେ ତାଙ୍କ ମଟର ସାଇକେଲ୍‌ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ କିଛି ଲୋକ ଆସିଯିବାରୁ ସେମାନେ ବାଇକ୍ ଚାବି ଫିଙ୍ଗି ସେଠାରୁ ଚମ୍ପଟ୍‌ ମାରିଥିଲେ। ଏହି କାଣ୍ଡ ଭିଆଇଥିବା ୪ ଯୁବକ ଅଳ୍ପ ବୟସର ଏବଂ ସେମାନେ ଏକ ଲାଲ ରଙ୍ଗର ପଲସ୍‌ର ବାଇକରେ ଆସିଥିଲେ। ଲୁହାଛଡ଼ ମାଡ଼ରେ ବିକାଶଙ୍କ ପିଠିରେ ନୋଳା ଫାଟିଯିବା ସହ ଅନ୍ୟାନ୍ୟ ସ୍ଥାନରେ ଆଘାତ ଲାଗିଛି। ଏ ସଂକ୍ରାନ୍ତରେ ସେ କସବା ଫାଣ୍ଡିକୁ ଅଭିଯୋଗପତ୍ର ଧରି ଯାଇଥିଲେ ମଧ୍ୟ ଏହା ଆମ ଏରିଆ ନୁହେଁ କହି ତାଙ୍କୁ ସେଠାରୁ ଫେରାଇ ଦିଆଯାଇଥିଲା। ପରେ ସେ କୁରୁଡ଼ା ଫାଣ୍ଡିରେ ଅଭିଯୋଗ କରିଥିଲେ। ହେଲେ ନିର୍ବାଚନ ଡ୍ୟୁଟିରେ ସମସ୍ତେ ଯାଇଥିବାରୁ ଜଣେ ମହିଳା ପୁଲିସ କର୍ମଚାରୀ ଷ୍ଟେସନ୍ ଡାଏରୀ କରି ୨୫ ତାରିଖ ପରେ ଏଫଆଇଆର୍‌ ଦେବାକୁ କହିଛନ୍ତି।

ସମ୍ବନ୍ଧିତ ଖବର