ଭୁବନେଶ୍ୱର : କେବଳ ସୈନିକ ଓ କମାଣ୍ଡୋମାନେ ଯେ ଆତଙ୍କବାଦୀଙ୍କ ବିରୋଧରେ ଲଢ଼ିବେ ତାହା ନୁହେଁ। ସମାଜର ସବୁ ବର୍ଗର ଲୋକ ଏବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାର ସମୟ ଆସିଛି। ଏଭଳି ଆହ୍ଵାନ ନେଇ ଆଜି ଏନ୍ଏସ୍ଜିର ଏକ ସ୍ୱତନ୍ତ୍ର ଟିମ୍ ଏକ ବୁଲେଟ ର୍ୟାଲିରେ ଭୁବନେଶ୍ୱରରେ ପହଞ୍ଚିଛି। ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି ଟିମ୍କୁ ସ୍ୱାଗତ କରିଥିଲେ। ପରେ ଡିଜି କ୍ୟାମ୍ପ ଅଫିସରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଆତଙ୍କବାଦ ବିରୋଧରେ ଲଢ଼େଇ ନେଇ ଆଲୋଚନା ହୋଇଥିଲା।
ସେପ୍ଟେମ୍ବର ୫ ତାରିଖରୁ ଦିଲ୍ଲୀରୁ ବାହାରି ଥିବା ଏହି ଏନ୍ଏସ୍ଜି ଟିମ୍ର ନେତୃତ୍ୱ ନେଉଛନ୍ତି ଡେପୁଟି କମାଣ୍ଡାଣ୍ଟ୍ ଅମିତ କୁମାର। ଏବେ ସୁଦ୍ଧା ଏହି ଟିମ୍ ୮ଟି ରାଜ୍ୟର ୫.୫ ହଜାର କିମି ବୁଲି ସାରିଲେଣି। ୪୦ ଦିନର ଏହି ଯାତ୍ରା ଆସନ୍ତା ୧୬ ତାରିଖରେ ଶେଷ ହେବ। ଏଥିରେ ସେମାନେ ୧୩ଟି ରାଜ୍ୟ ଭ୍ରମଣ କରିବେ। ଏହି ଟିମ୍ରେ ସମୁଦାୟ ୩୨ ଜଣ କମାଣ୍ଡୋ ଅଛନ୍ତି।
ଶନିବାର ଏହି ଟିମ୍ ବ୍ରହ୍ମପୁରରେ ପହଞ୍ଚିଥିଲା। ଏହାପରେ ଟିମ୍ ଭୁବନେଶ୍ୱର ପହଞ୍ଚିଛି। ଆସନ୍ତାକାଲି ଟିମ୍ ବାଲେଶ୍ୱର ଯିବ। ଏହି ଯାତ୍ରା ସମୟରେ ଏନ୍ଏସ୍ଜି ଟିମ୍ ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ, ସାଧାରଣ ଲୋକ, ଆଇନଜୀବୀଙ୍କୁ ଆତଙ୍କବାଦ ବିରୋଧରେ ଲଢ଼େଇ ନେଇ ସଚେତନ କରିବ।
ଏହି ଅବସରରେ ଡିଜି ଶ୍ରୀ ଶର୍ମା ଏନ୍ଏସ୍ଜିକୁ ପ୍ରଶଂସା କରିବା ସହିତ ଓଡ଼ିଶାର ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ବାରମ୍ବାର ରେକି ଓ ଡମି ଅପରେସନ୍ କରିବାକୁ ପରାମର୍ଶ ଦେଇଛନ୍ତି।
ଏଠାରେ ପ୍ରକାଶଥାଉକି, ଡିଜି ଶର୍ମା ୨୦୦୪ରୁ ୨୦୧୨ ମସିହା ପର୍ଯ୍ୟନ୍ତ ଏନ୍ଏସ୍ଜିରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିଲେ। ପରେ ତାଙ୍କର ବଦଳି ପୁଲିସ କମିସନର ଭାବେ ଓଡ଼ିଶାକୁ ହୋଇଥିଲା।
ଆଜିର ଏହି କାର୍ଯ୍ୟକ୍ରମରେ ଏଡିଜି ମୁଖ୍ୟାଳୟ ସତ୍ୟଜିତ ମହାନ୍ତି, ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ, ଆଇଜି ଅପରେସନ୍ ଆରପି କୋଚେ, ଏଡିସି ପିଏସ୍ ରଣପିସେ, ଡିିସିପି ମୁଖ୍ୟାଳୟ ଅନପମା ଜେମ୍ସ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/m10.jpg)