ଶ୍ରୀମନ୍ଦିରରେ ସୁରକ୍ଷା ଯାଞ୍ଚ କଲେ ଏନ୍‌ଏସ୍‌ଜି ଟିମ୍‌

ପୁରୀ : ନ୍ୟାସ୍‌ନାଲ୍‌ ସିକ୍ୟୁରିଟି ଗାର୍ଡ (ଏନ୍‌ଏସ୍‌ଜି)ର ଏକ ଟିମ୍‌ ଆଜି ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି। ଗତକାଲି ଏହି ଟିମ୍‌ ପୁରୀରେ ପହଞ୍ଚି ସର୍କିଟ୍‌ ହାଉସ୍‌ଠାରେ ରହିବା ପରେ ଆଜି ସକାଳୁ ଶ୍ରୀମନ୍ଦିରକୁ ଯାଇଥିଲେ। ଏ ସଂପର୍କରେ ସିଂହଦ୍ୱାର ଥାନା ଅଧିକାରୀ ଗୋକୁଳ ରଂଜନ ଦାସ କହିଛନ୍ତି, ଏନ୍‌ଏସ୍‌ଜି ଟିମ୍‌ ନିୟମିତ ବ୍ୟବଧାନରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରନ୍ତି। ସେହି ଅନୁଯାୟୀ, ଆଜି ସେମାନେ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥା ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ସୂଚନାଯୋଗ୍ୟ, ଆତଙ୍କବାଦ ବିରୋଧରେ କାର୍ଯ୍ୟ କରୁଥିବା ଏନ୍‌ଏସ୍‌ଜି ଟିମ୍‌ ବାହ୍ୟ ଶତ୍ରୁଙ୍କ କବଳରୁ ଦେଶକୁ ସୁରକ୍ଷା ଦେବା ଦିଗରେ କାମ କରୁଛି। ଶ୍ରୀମନ୍ଦିର ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଥିବାରୁ ଏନ୍‌ଏସ୍‌ଜି ଟିମ୍‌ ସୁରକ୍ଷାରେ ଥିବା ତ୍ରୁଟିବିଚ୍ୟୁତି ସୁଧାରିବା ପାଇଁ ନିୟମିତ ବ୍ୟବଧାନରେ ଏଠାକୁ ଆସୁଥିବା ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର