ସୁନ୍ଦରଗଡ଼: ଦର୍ଲିପାଲି ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପର ବର୍ଜ୍ୟ ପାଉଁଶ (ଫ୍ଲାଏଆସ୍)କୁ ବେଆଇନ ଭାାବେ ନେଇ ଯାଉଥିବା ଭାରୀଯାନଗୁଡ଼ିକୁ ୩ ଦିନ ତଳେ ଅଉଁଲାବାହାଲ ଗାଁ ଲୋକେ ଧରିଲେ। ସୂଚନା ଯିବା ପରେ ପରିବହନ ବିଭାଗ ଅଧିକାରୀ ଆସିଲେ ସତ, କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଗାଡ଼ିଗୁଡ଼ିକୁ ଛାଡ଼ିଦେଲେ। ‘ଓଜନ ପାଇଁ ସେଠାରେ କୌଣସି ବ୍ୟବସ୍ଥା ନାହିଁ, ରାସ୍ତା ବନ୍ଦ ଥିବାରୁ ମସ୍ନିକାନି ଟୋଲ ଗେଟ ୱେବ୍ରିଜ ପର୍ଯ୍ୟନ୍ତ ଗାଡ଼ିଗୁଡ଼ିକୁ ନିଆଯାଇପାରି ନାହିଁ। ଏସ୍ଥିତିରେ ଓଜନ ନହେବା ଯାଏ କ୍ଷମତାଠାରୁ ଅଧିକ ବୋଝେଇ (ଓଭରଲୋଡିଂ) ଆକଳନ କରି ହେବ ନାହିଁ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ଭବ ନୁହେଁ’ ବୋଲି ଅଧିକାରୀ ଯୁକ୍ତି ରଖିଥିଲେ। ତେବେ ଓଜନ କରିବା ଯାଏ ପରିବହନ ବିଭାଗ ଗାଡ଼ିଗୁଡ଼ିକୁ ଅଟକ ନରଖି ଛାଡ଼ିଦେବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦର୍ଲିପାଲି-ଅଉଁଲାବାହାଲ ଆରଡି ରାସ୍ତାକରେ ଏନଟିପିସିର ବର୍ଜ୍ୟ ପାଉଁଶ (ଫ୍ଲାଏଆସ୍)ର ବେଆଇନ ପରିବହନ ଯୋଗୁ ରାସ୍ତାକଡ଼ ଗାଁଗୁଡ଼ିକ ଧୂଳିଧୂଆଁରେ ଛାଇଯାଉଛି। ବିଶେଷ କରି ଭାରୀଯାନଗୁଡ଼ିକରେ ଧାର୍ଯ୍ୟ କ୍ଷମତାଠାରୁ ବହୁ ଗୁଣରେ ପାଉଁଶ ପରିବହନ କରାଯାଉଥିବାରୁ ରାସ୍ତାଗୁଡ଼ିକ ଅତି ଶୋଚନୀୟ ହୋଇପଡ଼ିଥିବା ଏବଂ ପରିବହନ ବିଭାଗ ଏଥିପ୍ରତି ଆଖି ବୁଜି ଦେଉଥିବା ଅଭିଯୋଗ ହୋଇ ଆସୁଥିଲା। କାଲୋବାହାଲରେ ଗାଁ ଲୋକେ ଧରିଥିବା ପାଉଁଶ ବୋଝେଇ ଭାରୀଯାନଗୁଡ଼ିକୁ ବିନା ଯାଞ୍ଚରେ ଛାଡ଼ିଦେବା ପରେ ବିଭାଗର କାର୍ଯ୍ୟଶୈଳୀ ପ୍ରଶ୍ନଘେରକୁ ଚାଲିଯାଇଛି। ପରିବହନକାରୀ ସଂସ୍ଥା ଓ କମ୍ପାନିଠାରୁ ମୋଟା ଅଙ୍କର ଅର୍ଥ ନେଇ ଏପରି ବେଆଇନ ପରିବହନକୁ ବିଭାଗ ଆଖି ବୁଜି ପ୍ରୋତ୍ସାହିତ କରୁଛି, ତାହା ଏ ଘଟଣାରୁ ସ୍ପଷ୍ଟ ହୋଇଯାଇଥିବା ସାଧାରଣରେ ଆଲୋଚନା ହେଉଛି।

Advertisment

ସୂଚନାଯୋଗ୍ୟ, ଦର୍ଲିପାଲି ଏନଟିପିସିକୁ ଏମସିଏଲରୁ କୋଇଲା ପରିବହନ ଓ ଦର୍ଲିପାଲିରୁ ଏନଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପର ପାଉଁଶ ପରିବହନ ପାଇଁ ବିଜାଡିହି-ଅଉଁଲାବାହାଲ ଆରଡି ରାସ୍ତାକୁ କମ୍ପାନି ୩ ବର୍ଷ ହେଲା ବ୍ୟବହାର କରି ଆସୁଛି। ଦୈନିକ ଶହ ଶହ ଭାରୀଯାନ ଚଳାଚଳ କରୁଥିବାରୁ ରାସ୍ତା ଶୋଚନୀୟ ହୋଇପଡ଼ିଛି। ବିଶେଷ କରି ପରିବହନ ନିୟମର ଖୋଲା ଉଲ୍ଲଂଘନ କରି ଶହ ଶହ ଟନ୍ ପାଉଁଶ ରାଉରକେଲା ଓ ଲାଠିକଟା ସମେତ ଝାରଖଣ୍ଡର ଗୁମଲା ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି। ୩୫ ଟନ୍ କ୍ଷମତା ବିଶିଷ୍ଟ ଭାରୀଯାନ (୧୨ ଚକିଆ ମଲ୍ଟିଏକ୍ସେଲ)ରେ ୫୦ ଟନ୍, ୪୨ ଟନ୍ କ୍ଷମତା ଥିବା ୧୪ ଚକିଆ ଗାଡ଼ିରେ ୬୦ ଟନ୍ ଓ ୪୭.୫ ଟନ୍ର ୧୬ ଚକିଆରେ ୬୫ରୁ ୭୦ ଟନ୍ ପାଉଁଶ ବୋଝେଇ କରି ଚାଲାଣ କରାଯାଉଛି। ବର୍ଜ୍ୟ ପାଉଁଶ ପରିବହନ ଯୋଗୁଁ ବ୍ୟାପକ ପ୍ରଦୂଷଣ ହେଉଛି। ଧୂଳିଧୂଆଁ ସାଙ୍ଗକୁ ଶଦ୍ଦ ପ୍ରଦୂଷଣ ଅଞ୍ଚଳବାସୀଙ୍କୁ ନାକେଦମ୍ କରିଦେଇଛି। ରାସ୍ତାକଡ଼ ଗ୍ରାମବାସୀମାନେ ପ୍ରଦୂଷଣଜନିତ ସମସ୍ୟା ସହ ଗମନାଗମନ କ୍ଷେତ୍ରରେ ସବୁବେଳେ ଭୟ ଓ ଆଶଙ୍କାରେ ରହୁଛନ୍ତି । ବର୍ଷ ବର୍ଷ ଧରି ନିୟମିତ ଭାବେ ଚାଲିଥିବା ଏ ବେଆଇନ ପରିବହନ ଉପରେ ଯେ ପୁଲିସ କି ପରିବହନ ବିଭାଗର ନଜର ପଡ଼ି ନାହିଁ ତାହା ନୁହେଁ।

ଦର୍ଲିପାଲିରୁ ରାଉରକେଲା, ଗୁମଲା ଯାଏଁ ରାସ୍ତାରେ ଅନେକ ଥାନା ରହିଥିବା ଓ ପରିବହନ ବିଭାଗର ଗାଡ଼ି ପଇଁତରା ମାରୁଥିଲେ ମଧ୍ୟ ସେମାନେ ଏହାକୁ ନଜରଅନ୍ଦାଜ କରି ଦେଇଛନ୍ତି। ଯାହା ଫଳରେ ରାସ୍ତାରେ ବଡ଼ ବଡ଼ ଖାଲ ହୋଇ ସାଧାରଣ ଭାବେ ଯାତାୟତ ଯୋଗ୍ୟ ରହି ନାହିଁ। ତାକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ରାସ୍ତାର ଉନ୍ନତିକରଣ, ବେଗ ନିୟନ୍ତ୍ରଣ, ପ୍ରଦୂଷଣ ନିୟନ୍ତ୍ରଣ ଓ କ୍ଷମତାଠାରୁ ଅଧିକ ପରିବହନ ବନ୍ଦ ଦାବିରେ ଗତ ୧୮ ତାରିଖରେ ଅଉଁଲାବାହାଲଠାରେ ପୂର୍ବତନ ବିଧାୟକ ଯୋଗେଶ କୁମାର ସିଂଙ୍କ ନେତୃତ୍ବରେ ରାସ୍ତା ଅବରୋଧ କରିବା ସହ ପାଉଁଶ ବୋଝେଇ ଗାଡ଼ିଗୁଡ଼ିକୁ ଅଟକାଇଥିଲେ। ସେଦିନ ଅପରାହ୍ନରେ ଆଲୋଚନା ପରେ ଦାବି ମୁତାବକ ପ୍ରାଥମିକ ପଦକ୍ଷେପ ସ୍ବରପ କର୍ତ୍ତୃପକ୍ଷ ତୁରନ୍ତ ମରାମତି ଆରମ୍ଭ କରିଥିଲେ। ହେଲେ ସମ୍ପୂର୍ଣ୍ଣ ମରାମତି ନହେବା ଯାଏ ଗାଡ଼ିଗୁଡ଼ିକୁ ଛଡ଼ାଯିବ ନାହିଁ ବୋଲି ଆନ୍ଦୋଳନକାରୀ ନିଷ୍ପତ୍ତି ଶୁଣାଇ ଦେଇଥିଲେ। ଏହା ପରେ ଦ୍ବିତୀୟ ଦିନଠାରୁ ଆଉ ମରାମତି କରାଯାଉ ନଥିବା ଆନ୍ଦୋଳନକାରୀଙ୍କ ସୂତ୍ରରୁ ପ୍ରକାଶ। ବେଆଇନ ପାଉଁଶ ପରିବହନ ସମ୍ପର୍କରେ ଆଞ୍ଚଳିକ ପରିବହନ ଅଧିକାରୀ ସୁକାନ୍ତ କୁମାର ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ‘ଓଜନ କରାଯାଇ ନପାରିବାରୁ ଓଭରଲୋଡିଂ ଜରିମାନା କରିବା ସମ୍ଭବ ହୋଇ ନାହିଁ। ଗାଡ଼ିଗୁଡ଼ିକ ଆଜି ପଳାଇଲେ, କାଲି ପୁଣି ଆସିବେ, ସେତେବେଳେ ଓଜନ କରାଯିବ। ତେବେ ଏ ସମ୍ପର୍କରେ ଏନଟିପିସି ଚିଠି ଲେଖି ତାଗିଦ କରାଯାଇଛି। ନମାନିଲେ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ’ ବୋଲି କହିଥିଲେ।