ଏନଟିପିସି କୋଭିଡ ହସ୍ପିଟାଲରେ ପାଣି ପାଇଁ କଲବଲ; ରୋଗୀଙ୍କ ପାଇଁ ରହିଛି ୪ ଲିଟର, ଦିଆଯାଉଛି ୨ ଲିଟର

ସିଡିଏମଓଙ୍କୁ ଫେରାଦ ବେଳେ ପଦାକୁ ଆସିଲା ସତ

ସୁନ୍ଦରଗଡ଼: ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ରରେ କରୋନା ସଂକ୍ରମଣର ସାମାନ୍ୟ ଲକ୍ଷଣ ଥିବା ବା ସାମାନ୍ୟ ଅସୁସ୍ଥଙ୍କୁ ଚିକିତ୍ସା ସୁବିଧା ଦେବାକୁ ବ୍ୟବସ୍ଥା ହୋଇଛି। ଏଠାରେ ୪ ଶହ ଶଯ୍ୟା ଥିଲେ ମଧ୍ୟ ଆଇସିୟୁ କି ଭେଣ୍ଟିଲେଟର୍ ନଥିବାରୁ ଗୁରୁତର ରୋଗୀଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଉଛି। ଏସ୍ଥିତିରେ ଏଠାରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ଖାଦ୍ୟପେୟ ଓ ଅନ୍ୟ ସୁବିଧା ଯୋଗାଣରେ ଅବ୍ୟବସ୍ଥା ରହିଥିବା ଅଭିଯୋଗ ହୋଇଛି। ଘଟଣାକ୍ରମରେ ଆଜି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କ ପାଣି କଲବଲ କଥା ସାମ୍ନାକୁ ଆସିଥିଲା। କେନ୍ଦ୍ରରେ ୧୮୦ ସଂକ୍ରମିତ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଠିକ୍ ସମୟରେ ଓ ଆବଶ୍ୟକ ମୁତାବକ ପିଇବା ପାଣି ଯୋଗାଇ ଦିଆଯାଉନଥିବା ଅଭିଯୋଗ ହୋଇଥିଲା। ରୋଗୀ ପ୍ରତି ଦୈନିକ ୪ ଲିଟର ଦେବାକୁ ନିର୍ଦ୍ଦେଶ ଥିବା ବେଳେ ଏଠାରେ ୨ ଲିଟର ଦିଆଯାଉଥିବା ଓ ବହୁ ସମୟରେ ରୋଗୀଙ୍କ ସମ୍ପର୍କୀୟ ବାହାରୁ ପାଣି ବୋତଲ ନେଇ ପହଞ୍ଚାଉଥିବା ପ୍ରକାଶ ପାଇଥିଲା।

ଜିଲ୍ଲାପାଳଙ୍କ ସହ ଏନଟିପିସି କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇଥିବା ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡ.ସରୋଜ କୁମାର ମିଶ୍ରଙ୍କ ସମ୍ମୁଖରେ ଜଣେ ଯୁବକର୍ମୀ ସୁଶୀଳ ଗୁପ୍ତା ଏହି ଅଭିଯୋଗ ଆଣିବା ଓ ଏ ସମ୍ପର୍କରେ ସେ କୋଭିଡ୍ ପରିଚାଳନା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ପଚାରିବା ପରେ ପିଇବା ପାଣି ଯୋଗାଣର ଏକ ଭିତିରି କଥା ସାମ୍ନାକୁ ଆସିଥିଲା। ରୋଗୀ ପ୍ରତି ୪ ଲିଟର ବଦଳରେ ୨ ଲିଟର ଦିଆଯାଉଥିବା ଜାଣିବାକୁ ପାଇ ମୁଖ୍ୟଚିକିତ୍ସାଧିକାରୀ ଡ. ମିଶ୍ର ବିଗିଡ଼ି ଯାଇଥିଲେ। ତୁରନ୍ତ ରୋଗୀଙ୍କୁ ୪ ଲିଟର ପାଣି ଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଅଭିଯୋଗ ପରେ ରୋଗୀଙ୍କ ୨ ଲିଟର ପାଣି କୁଆଡ଼େ ଯାଉଛି ବୋଲି ପ୍ରଶ୍ନ ଉଠିଥିଲା। ରୋଗୀ ପ୍ରତି ଦୈନିକ ୨ ଲିଟର ପାଣି ହିସାବରେ ୧୮୦ ରୋଗୀଙ୍କୁ ଦୈନିକ ୩୬୦ ଲିଟର ଓ ମାସକୁ ୧୦ ହଜାର ୮ ଶହ ଲିଟର ପାଣି ଯୋଗାଣ ହୋଇ ନଥିବା ପ୍ରକାଶ ପାଇଥିଲା। ଏହି ହିସାବରେ ବର୍ଷ ସାରା କେତେ ରୋଗୀଙ୍କୁ ୨ ଲିଟର ପାଣି ଯୋଗାଇ ଦିଆଯାଇ ନାହିଁ ତାହା ତଦନ୍ତ ସାପେକ୍ଷ।

ଖରାଦିନରେ ଲୋକେ ଶୋଷିଲା ଲୋକଙ୍କୁ ପାଣି ଦେବା ପୂଣ୍ୟ ଭାବି ଲୋକେ ବାଟରେ ଘାଟରେ ଜଳଛତ୍ର ଖୋଲିଥିବା ଦେଖାଯାଏ। କିନ୍ତୁ ଏଠାରେ କରୋନାରେ ଛଟପଟ ହେଉଥିବା ରୋଗୀଙ୍କ ଶୋଷ ମେଣ୍ଟାଇବାକୁ ଥିବା ପାଣି ବାଟରେ ଗଳିଯାଇଥିବା ଅଭିଯୋଗ ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏନଟିପିସି କୋଭିଡ୍ କେନ୍ଦ୍ରରେ ଖାଦ୍ୟପାନୀୟ ଯୋଗାଇବାକୁ ମହାମାରୀର ଜରୁରୀକାଳୀନସ୍ଥିତିରେ ଜିଲ୍ଲାପାଳଙ୍କ ଅନୁମୋଦନକ୍ରମେ ରେଷ୍ଟୁରାଣ୍ଟ୍ ‘ଗ୍ରିନ୍ଚିଲି’କୁ ଦାୟିତ୍ବ ଦିଆଯାଇଥିଲା। ଏବେ ଏଥିପାଇଁ ଖୋଲା ଟେଣ୍ଡର ଆହ୍ବାନ କରାଯାଇଛି। ତେବେ ରୋଗୀଙ୍କୁ ଦୈନିକ ୪ ଲିଟର ପାଣି ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର