ସୁନ୍ଦରଗଡ଼/ହେମଗିର : ହାତରେ ନମ‌ାରି ପାଣିରେ ମାଡ଼! ବେଲଡିହିର କିଛି ଖଣି ବିସ୍ଥାପିତଙ୍କୁ ହଟାଇବା ପାଇଁ ଏନ୍‌ଟିପିସି କର୍ତ୍ତୃପକ୍ଷ ଏହିଭଳି ଏକ ମସୁଧା ଚଳାଇଥିବା ଅଭିଯୋଗ ହୋଇଛି। ଚିରସ୍ରୋତା ନାଳର ଗତିରୋଧ କରିଦେବା ଫଳରେ ବର୍ଷାଦିନେ ଗଁା ଜଳମଗ୍ନ ହେବାର ଆଶଙ୍କା ରହିଛି। ଫଳରେ, ଗଁା ଛାଡ଼ିବାକୁ ଲୋକମାନେ ବାଧ୍ୟହେବେ।

Advertisment

ସାନଘୁମୁଡ଼ା ସରପଞ୍ଚଙ୍କ ପ୍ରତି ଏନ୍‌ଟିପିସି ଡୁଲିଙ୍ଗା କୋଇଲା ଖଣି ପ୍ରକଳ୍ପ ଏଜିଏମ୍‌ଙ୍କ ଅସମ୍ମାନ ଅଭିଯୋଗର ତାତି ଥମିନାହିଁ। କାର୍ଯ୍ୟାନୁଷ୍ଠାନ ପାଇଁ ଆଦିବାସୀ ଏକତା ମଞ୍ଚ ଓ ହେମଗିର ବ୍ଲକ୍‌ ସରପଞ୍ଚ ସଂଘ ଏବେ ମଧ୍ୟ ଦାବି ଜାରି ରଖିଛନ୍ତି। ଏହିଭଳି ସ୍ଥିତିରେ ବେଲଡିହିର କିଛି ଖଣି ବିସ୍ଥାପିତଙ୍କୁ କ୍ଷତିପୂରଣ ଓ ପୁନର୍ବାସ ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭି‌ଯୋଗକୁ ନେଇ ଆହୁରି ବିବାଦରେ ଛନ୍ଦି ହୋଇଛି ଏନ୍‌ଟିପିସି। ଏକ ବିଚିତ୍ର ଉପାୟରେ କ୍ଷତିପୂରଣ ନଦେଇ ଲୋକଙ୍କୁ ଗାଁରୁ ତଡ଼ିବାଲାଗି କମ୍ପାନି ଚକ୍ରାନ୍ତ କରୁଛି ବୋଲି ଅଭିଯୋଗ ହୋଇଛି। ସେମାନେ କହିଛନ୍ତି, କମ୍ପାନି ଖଣି ବର୍ଜ୍ୟ (ଡମ୍ପିଂ) ପକାଇ ଗାଁ ପାଖଦେଇ ବହିଯାଉଥିବା ଚିରସ୍ରୋତା ନାଳର ଗତିରୋଧ କରି ଦେଇଛି। ଏହାଦ୍ବାରା ବର୍ଷା ଦିନେ ବଢ଼ିପାଣି ଗାଁକୁ ଜଳମଗ୍ନ କରିଦେବାର ଆଶଙ୍କା ରହିଛି। କମ୍ପାନି ସେମାନଙ୍କୁ ଏପରି ଅସୁବିଧାରେ ପକାଇ କୌଣସିମତେ ଗାଁରୁ ପଳାଇବାଲାଗି ବାଧ୍ୟ କରିବାକୁ ମସୁଧା କରୁଛି। ବର୍ଷାଦିନେ ଗାଁ ଭିତରକୁ
ଜଳ ପଶିଲେ ଲୋକେ ବିକଳ ହୋଇ ଆପେଆପେ ଘର ଛାଡ଼ିଦେବେ ବୋଲି କମ୍ପାନି ଭାବି ନେଇଥିବା ସ୍ଥାନୀୟ ଲୋକ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବେଲଡିହିର ବିସ୍ଥାପିତ ପରିବାରଙ୍କ ମଧ୍ୟରୁ ୪୭ଟି ପରିବାରକୁ କ୍ଷତିପୂରଣ ଓ ଅନ୍ୟ ସୁବିଧା ଦେଇ ପୁନର୍ବାସ କଲୋନିରେ ଥଇଥାନ କରାଯାଇଛି। କମ୍ପାନି ପକ୍ଷରୁ ସେମାନଙ୍କ ଘର ସବୁ ଭାଙ୍ଗି ଦିଆଗଲାଣି। କିନ୍ତୁ ଆହୁରି କିଛି ପରିବାର କ୍ଷତିପୂରଣ, ଥଇଥାନ ସମସ୍ୟାକୁ ନେଇ ଗାଁ ଛାଡ଼ିନାହାନ୍ତି। ପ୍ରାଶାସନିକ ନିଷ୍ପତ୍ତି ଅନୁଯାୟୀ ଘର ଓ ଅନ୍ୟାନ୍ୟ କ୍ଷତିପୂରଣ ଦେବାକୁ କମ୍ପାନି ବିଳମ୍ବ କରୁଥିବାରୁ ଏମାନେ ନିଜ ଘର ଛାଡ଼ିବାକୁ ଅମଙ୍ଗ। ଅନ୍ୟପଟେ ଗାଁର ଭୂମିହୀନ ପରିବାରଗୁଡ଼ିକୁ ପୁନର୍ବାସ କଲୋନିରେ ଘରଦେବାକୁ ପ୍ରାଶାସନିକ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଏନ୍‌ଟିପିସି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକ୍ରମେ ଡୁଲିଙ୍ଗାର କିଛି ଭୂମିହୀନଙ୍କୁ କଲୋନିରେ ପୁନର୍ବ‌ାସ ସୁବିଧା ଦିଆଯାଇଥିବାବେ‌‌ଳେ ବେଲଡିହିର ଭୂମିହୀନଙ୍କ ପ୍ରତି କମ୍ପାନିର ବାଛବିଚାର କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ଘର ନମିଳିଲେ କେଉଁଠି ରହିବେ, ସେ ଚିନ୍ତାରେ ସେମାନେ ମଧ୍ୟ ଗାଁରେ ପଡ଼ି ରହିଛନ୍ତି। ଅନ୍ୟପଟେ ବାକି ପରିବାରଗୁଡ଼ିକୁ କ୍ଷତିପୂରଣ, ଉପଯୁକ୍ତ ଥଇଥାନ ଓ ପୁନର୍ବାସ ସୁବିଧା ନମିଳିବାଯାଏ ଗାଁ ନଛାଡ଼ିବାକୁ ନିଷ୍ପତ୍ତି ନେଇ ଗାଁ ମୁଖିଆ ବା ଗୌନ୍ତିଆ ମଧ୍ୟ ନିଜ ଘର ଛାଡ଼ିନାହାନ୍ତି। ଏ ସମ୍ପର୍କରେ ଏନ୍‌ଟିପିସି ମାନବ ସମ୍ବଳ ବିଭାଗର ପ୍ରଗତି ଝାଙ୍କୁ ଯୋଗାଯୋଗ କରିବାରୁ ସେ ଏହା ଉପରେ କୌଣସି ପ୍ରତିକ୍ରିୟା ନ ଦେଇ ‘କଥା ହେବା’ ବୋଲି କହିଥିଲେ।