ଏନ୍‌ଟିପିସି କଣିହାଁରେ କୋଇଲା ସଙ୍କଟ, ୬ରୁ ୩ ୟୁନିଟ୍ ବନ୍ଦ

କଣିହାଁ : କୋଇଲା ଉଦ୍ୟୋଗରେ ଶତ ପ୍ରତିଶତ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ କରି ଗତ ତିନି ଦିନ ଧରି ତାଳଚେର, କଣିହାଁ ଅଂଚଳର ବିଭିନ୍ନ କୋଇଲା ଖଣିରେ ଶ୍ରମିକ ସଂଗଠନ କାର୍ଯ୍ୟବନ୍ଦ ଆନ୍ଦୋଳନ ଚକାଇଥିଲେ। ଏଥିଯୋଗୁଁ ଏନ୍‌ଟିପିସି କଣିହାଁକୁ କୋଇଲା ଯୋଗାଣ ପ୍ରାୟ ବନ୍ଦ ହୋଇଯାଇଥିଲା। କୋଇଲା ସଙ୍କଟ ଦେଖାଯିବାରୁ ଏନ୍‌ଟିପିସି କଣିହାଁର ୬ଟି ୟୁନିଟ୍ ମଧ୍ୟରୁ ୩ଟି ୟୁନିଟ୍ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଛି।

ଏହି ୩ ହଜାର ମେଗାୱାଟ ବିଶିଷ୍ଟ ପାୱାର ପ୍ଲାଣ୍ଟ ତାର ୬ଟି ୟୁନିଟ୍‌କୁ ଚଳାଇବା ପାଇଁ ଦୈନିକ ୫୫ ହଜାର ମେଟ୍ରିକ୍ ଟନ୍ କୋଇଲାର ଆବଶ୍ୟକତା ଥିବାବେଳେ ମାତ୍ର ୧୮ହଜାର ମେଟ୍ରିକ୍ ଟନ୍‌ କୋଇଲା ଗଚ୍ଛିତ ଅଛି। ଷ୍ଟକୟାର୍ଡରେ ଅନ୍ତତଃ ୩୫ ଦିନ ପ୍ଲାଣ୍ଟ ଚଳାଇବା ପାଇଁ କୋଇଲା ଗଚ୍ଛିତ ରହିବା କଥା। ଗତକାଲି ଏନଟିପିସିକୁ ମାତ୍ର ୩ ହଜାର ମେଟ୍ରିକ୍ ଟନ୍ କୋଇଲା ଆସିଥିଲା। ଅନ୍ୟପକ୍ଷରେ କୋଇଲା ଅଭାବରୁ ବିଜୁଳି ଉତ୍ପାଦନ କ୍ରମଶଃ ହ୍ରାସ ପାଇଥିଲା। ବର୍ତ୍ତମାନ ୩ ହଜାର ମେଗାୱାଟ୍ ବିଜୁଳି ଉତ୍ପାଦନ ହେବା ସ୍ଥାନରେ ମାତ୍ର ୮୫୦ ମେଗାୱାଟ୍ ବିଜୁଳି ଉତ୍ପାଦନ ହେଉଛି। କୋଇଲା ଅଭାବରୁ ପ୍ଲାଣ୍ଟରେ ବିଦ୍ୟୁତ ଉତ୍ପାଦନ ଠିକ୍ ଭାବରେ ହୋଇ ପାରୁନାହିଁ। ଏହି କୋଇଲା ସଙ୍କଟ ଯୋଗୁଁ ଏନ୍‌ଟିପିସି କଣିହାଁ ପ୍ଲାଣ୍ଟରେ ଦୈନିକ ଲକ୍ଷ ଲକ୍ଷ ଟଙ୍କା କ୍ଷତି ହେଉଛି। ଯଦି ଏଭଳି ସମସ୍ୟା ଆଗାମୀ ଦିନରେ ଲାଗି ରହେ ତାହା ହେଲେ ଏନ୍‌ଟିପିସି କର୍ତ୍ତୃପକ୍ଷ ପ୍ଲାଣ୍ଟର ସବୁ ୟୁନିଟ୍ ବନ୍ଦ କରିବା ପାଇଁ ବାଧ୍ୟ ହେବେ ବୋଲି ଜଣେ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର