ଘୁ. ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୁଲ୍ୟରେ ଆୟୋଜିତ ନୂଆ-ଓ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଇତିଶ୍ରୀ ଷଡ଼ଙ୍ଗୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଉକ୍ତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ସୁଶ୍ରୀ ଦେବସ୍ମୀତା ଶତପଥୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ, ଏନଏସି ଉପାଧ୍ଯକ୍ଷ ସନ୍ତୋଷ କୁମାର ବାଘ, ବ୍ଲକ ଉପାଧ୍ଯକ୍ଷ ଏନ ଲୁକ୍ ବ୍ଲକ,ଏନଏସି କାଉନସିଲର, ସରପଞ୍ଚ,ଏଇଇ ଅସିତ କୁମାର ସେଠୀ ମଞ୍ଚାସୀନ ହୋଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
ବ୍ଲକ ଓ ପୌରାଞ୍ଚଳରେ ଥିବା କ୍ରୀଡ଼ାବିତଙ୍କୁ ନେଇ ୪ ଦିନ ଧରି ଆୟୋଜିତ ଏହି କ୍ରୀଡ଼ା ଉତ୍ସବରେ ବହୁ ସଂଖ୍ଯାରେ ମହିଳା ଓ ପୁରୁଷ ଖେଳାଳିମାନେ ଫୁଟବଲ, କ୍ରିକେଟ, ହକି, କବାଡ଼ି, ଖୋଖୋ ଆଦି ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ପୁରୁଷ ଫୁଟବଲ ବିଭାଗରେ ଦୀପକ ଏଫସି ବିଜୟ ଲାଭ ସହ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓ ହବାକ୍ ଉଚ୍ଚ ବିଦ୍ୟାଳୟ ଫୁଟବଲ ଦଳ ଦ୍ଵିତୀୟ ସ୍ଥାନରେ ରହିଥିଲେ। ମହିଳା ଫୁଟବଲ ପ୍ରତିଯୋଗିତାରେ ରେଣୁ ଏକାଦଶ ଦଳ ଚମ୍ପିଆନ୍ ହୋଇଥିବା ବେଳେ ତଲାରିମାହା ହାଇସ୍କୁଲ ବାଳିକା ଦଳ ଦ୍ଵିତୀୟ ସ୍ଥାନ ଅଧିକାର କରିଥିଲେ। କ୍ରିକେଟ ପ୍ରତିଯୋଗିତାରେ ପୁରୁଷ ବର୍ଗରେ ସ୍ମାଇଲ ଏକାଦଶ ପ୍ରଥମ ଓ ୱାରିୟର୍ସ ରଟିଙ୍ଗିଆ ଦଳ ଦ୍ଵିତୀୟ ସ୍ଥାନ, ମହିଳା ବର୍ଗରେ ତଲାରିମାହା ହାଇ ସ୍କୁଲ ବାଳିକା ଦଳ ପ୍ରଥମ ଓ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଘୁ. ଉଦୟଗିରି ଦ୍ଵିତୀୟ ସ୍ଥାନରେ ରହିଥିଲେ।
ଖୋଖୋ ଓ କବାଡ଼ି ପ୍ରତିଯୋଗିତା ପୁରୁଷ ବିଭାଗରେ ବ୍ଲୁ ଷ୍ଟାର୍ ଓ ମହିଳା ବିଭାଗରେ ଝାନ୍ସୀ ରାଣୀ, ତଲାରିମାହା ହାଇ ସ୍କୁଲ ବାଳିକା ଦଳ ଚାମ୍ପିୟନ ହୋଇଥିଲେ। ହକି ପ୍ରତିଯୋଗିତାରେ ତଲାରିମାହା ହାଇ ସ୍କୁଲ ବାଳିକା ଦଳ ଚମ୍ପିଅନ୍ ହୋଇଥିବା ବେଳେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ଘୁ. ଉଦୟଗିରି ଦ୍ୱିତୀୟ ସ୍ଥାନରେ ରହିଥିଲା ଓ ଭଲି ବଲ ପ୍ରତିଯୋଗିତାରେ ବାଡ଼େନାଜୁ ୟୁପିଏସ ଦଳ ଚମ୍ପିଆନ୍ ଓ ତଲାରିମାହା ହାଇ ସ୍କୁଲ ଦ୍ଵିତୀୟ ସ୍ଥାନରେ ରହିଥିଲେ। ସମସ୍ତ ଖେଳ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଦଳକୁ ୨୦ ହାଜର ଟଙ୍କା, ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ଦଳକୁ ୧୫ ହଜାର ଟଙ୍କା, ତୃତୀୟ ଓ ଚତୁର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯିବା ସହ ସମ୍ବର୍ଦ୍ଧିତ କରାଯାଇଥିଲା।