ନୂଆଗଡ଼ ‘ସମ୍ବାଦ’ ପ୍ରତିନିଧିଙ୍କ ଅକାଳ ବି‌‌ୟୋଗ

ପାରଳାଖେମୁଣ୍ତି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ର ସମ୍ବାଦ ପ୍ରତିନିଧି ଶାନ୍ତୁନୁ ଗୁରୁଙ୍କ ବୁଧବାର ରାତିରେ ବ୍ରହ୍ମପୁର ଏମ୍‌କେସିଜି ବଡ଼ ମେଡିକାଲରେ ୫୫ ବର୍ଷ ବୟସରେ ପରଲୋକ ଘଟିଛି। ଗଜପତି ଜିଲ୍ଲାର ଅତ୍ୟନ୍ତ ପଛୁଆ ବ୍ଲକ୍‌ ଭାବେ ପରିଚିତ ନୂଆଗଡ଼ରେ ‘ସମ୍ବାଦ’ ପାଇଁ ଜଣେ ବିତରକ ଏବ˚ ଖବରଦାତା ଭାବେ ସେ ନିରବଚ୍ଛିନ୍ନ ଭାବେ ୧୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରି ଆସୁଥିଲେ। ସେ ନୂଆଗଡ଼ ବ୍ଲକ୍‌ରେ ‘ସମ୍ବାଦ’ର ଲୋକପ୍ରିୟତା ବୃଦ୍ଧି କରିବା ସହ ଜଣେ ନିଷ୍ଠାପର ସାମ୍ବାଦିକ ଭାବେ ନିଜର ପରିଚୟ ସୃଷ୍ଟି କରି ପାରିଥିଲେ। ତାଙ୍କର ସବୁଠାରୁ ମହତ୍ ଗୁଣ ଥିଲା ଦୁର୍ଗମ ଅଞ୍ଚଳ ହୋଇ ମଧ୍ୟ ଆମ ଓଡ଼ିଶାର ସମସ୍ତ କାର୍ଯ୍ୟକ୍ରମ ନିୟମିତ ଭାବେ ସେ ଆୟୋଜନ କରି ଆସୁଥିଲେ। ଖଜୁରିପଦା ସ୍ଥିତ ଡ.ବି.ଆର,ଆମ୍ବେଦକର ମହାବିଦ୍ୟାଳୟ ଆରମ୍ଭ କରିବା ପଛରେ ତାଙ୍କର ଗୁରୁତ୍ବପୂର୍ଣ ଭୂମିକା ରହିଥିଲା, ଯାହା ଅଞ୍ଚଳବାସୀ କେବେ ବି ଭୁଲିବେ ନାହିଁ। ତାଙ୍କ ବିୟୋଗ ଫଳରେ ସ୍ଥାନୀୟ ଅଞ୍ଚଳ ପାଇଁ ଏକ ଶୂନ୍ୟସ୍ଥାନ ହୋଇ ରହିବ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ତାଙ୍କ ବିୟୋଗରେ ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ, ସିଓଓ କମଳାକାନ୍ତ ମହାପାତ୍ର, ବାର୍ତ୍ତା ବିଭାଗ ମୁଖ୍ୟ ମହାପ୍ରବନ୍ଧମକ ଅରବିନ୍ଦ ଦାସ, ମାନବ ସମ୍ବଳ ବିଭାଗର ଉପମହାପ୍ରବନ୍ଧକ ବୈଜୟନ୍ତୀ କରଙ୍କ ସମେତ ଗଜପତି ଜିଲ୍ଲା ସମ୍ବାଦ ପରିବାର, ସମ୍ବାଦ ବ୍ରହ୍ମପୁର ସଂସ୍କରଣର ଶାଖା ପରିଚାଳକ ସୁଶୀଲ ପ୍ରଧାନଙ୍କ ସମେତ ସମ୍ବାଦ ପରିବାର ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର