ନୂଆଁଖାଇରେ ଆନନ୍ଦର ଉତ୍ସବ

ସମ୍ବଲପୁର : ସାରା ପଶ୍ଚିମ ଓଡ଼ିଶା ଉତ୍ସବ ମୁଖର। ଶୁକ୍ରବାର ଗାଁରୁ ସହର ସବୁଠି ପାଳିତ ହୋଇଛି ଭକ୍ତି, ଭାବ ଓ ଭାଇଚାରାର ପର୍ବ ନୂଆଁଖାଇ। ବିଭିନ୍ନ ଜିଲ୍ଲାରେ ନିଜ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀଙ୍କ ନିକଟରେ ନବାନ୍ନ ଲାଗି ପରେ ଘରେ ଇଷ୍ଟ ଦେବଦେବୀଙ୍କୁ ନୂଆ ଶସ୍ୟରୁ ପ୍ରସ୍ତୁତ ପ୍ରସାଦ ଲାଗି କରାଯାଇଛି। ଏହାପରେ ପରିବାରର ସମସ୍ତେ ଏକତ୍ର ବସି ଏହି ପ୍ରସାଦ ଖାଇଛନ୍ତି। ଏହି ଅବସରରେ ଘରେ ବଡ଼ମାନଙ୍କୁ ଛୋଟମାନେ ନୂଆଁଖାଇ ଜୁହାର କରିଛନ୍ତି। ସଂଧ୍ୟାରେ ନାଚ ଗୀତ ଓ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଗାଁରୁ ସହର। ସମ୍ବଲପୁରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ନିକଟରେ ସକାଳ ୮ଟା୧୦ରୁ ୮ଟା୪୦ ମଧ୍ୟରେ ନବାନ୍ନ ଲାଗି କରାଯାଇଥିଲା। ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ରାୟ କହନ୍ତି, ଆଜି ସକାଳ ୪.୩୦ରେ ମନ୍ଦିର ଦ୍ୱାର ଖୋଲାଯାଇ ମା’ଙ୍କ ସ୍ନାନ କରାଯିବା ସହିତ ନୂଆ ଶାଢୀ, ଅଳଙ୍କାର ପିନ୍ଧା ଯାଇ ମନ୍ଦିର ବନ୍ଦ କରାଯାଇ ଥିଲା। ଏହାପରେ ଆରମ୍ଭ ହୋଇଥିଲା ନୂଆଁଖାଇ ପୂଜା। ସକାଳେ ୧୧୫ ପାର୍ଶ୍ୱଦେବୀଙ୍କ ନିକଟରେ ମନ୍ଦିର ପୂଜକମାନେ ଝୋଟି ପକାଇଥିଲେ। ଏହାପରେ ୪ଜଣ ପୂଜକ ଲଗ୍ନର ୧୦ ମିନିଟ ପୂର୍ବରୁ ଗମ୍ଭୀରା ଭିତରକୁ ପ୍ରବେଶ କରି ଗୁପ୍ତ ପୂଜା କରିଥିଲେ। ନିର୍ଧାରିତ ସମୟରେ ଦେବୀ ସମଲେଶ୍ୱରୀଙ୍କ ନିକଟରେ ଲାଗି ହୋଇଥିଲା ନବାନ୍ନ।

ସେହିପରି ସୋନପୁରର ମାଁ ସୁରେଶ୍ୱରୀ, ବଲାଙ୍ଗୀରର ମାଁ ପାଟଣେଶ୍ୱରୀ, ବରଗଡ଼ର ମାଁ ସମଲେଶ୍ୱରୀ, କଳାହାଣ୍ଡିର ମାଁ ମାଣିକେଶ୍ୱରୀଙ୍କ ସମେତ ବିଭିନ୍ନ ସ୍ଥାନରେ ନବାନ୍ନ ଲାଗି ହୋଇଥିଲା।

ସମ୍ବନ୍ଧିତ ଖବର