ଦୁବାଇରେ ଜମିଲା ନୂଆଁଖାଇ ଭେଟ୍‌ଘାଟ      

ସମ୍ବଲପୁର:  ୟୁଏଇ ନୂଆଁଖାଇ ପରିବାର ପକ୍ଷରୁ ଦୁବାଇଠାରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି।  ନୂଆଁଖାଇ ପାଇଁ ଭାରତ ବାହାରେ ଆୟୋଜିତ ଏହା ସବୁଠୁ ବଡ଼ କାର୍ଯ୍ୟକ୍ରମ ବୋଲି ଆୟୋଜକଙ୍କ ତରଫରୁ ଦାବି କରାଯାଇଛି। ଏଥି ପାଇଁ ଭାରତୀୟ ଦୂତାବାସରେ ଥିବା ପ୍ରେକ୍ଷାଳୟକୁ ଏକ ମିନି ଓଡିଶାରେ ପରିଣତ କରା ଯାଇଥିଲା।

ୟୁଏଇର ବିଭିନ୍ନ ସହରରେ ରହୁଥିବା ଶହଶହ ଓଡ଼ିଆ ରଂଗବେରଂଗ ସମ୍ବଲପୁରୀ ପୋଷାକ ପିନ୍ଧି କର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।  ମାଆ ସମଲେଶ୍ବରୀଙ୍କ ପୂଜାର୍ଚ୍ଚାନା ସହ ବିଜେପୁରରୁ ଯାଇଥିବା ନୂଆ ଧାନରେ ପ୍ରସ୍ତୁତ ନବାନ୍ନ ପ୍ରସାଦକୁ ସମସ୍ତେ ଏକତ୍ର ସେବନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ  ପୁରୁଷ, ମହିଳାଙ୍କ ସହ ଶିଶୁମାନେ ବି ଭାଗ ନେଇଥିଲେ। ସମ୍ବଲପୁରୀ ଗୀତ, ନୃତ୍ୟ ଓ ଫ୍ୟାସନ ସୋ’ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆବୁଧାବିର ଏକ ସ୍ୱତନ୍ତ୍ର ଟିମ୍‌ ସାମିଲ ହୋଇଥିଲା।

ଆଇଏଫ୍‌ଏସ୍‌ ଅଧିକାରୀ ତାଡୁ ମାମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ନିଆରା କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ। ପଶ୍ଚିମ ଓଡ଼ିଶାରୁ ସଙ୍ଗୀତ ସଂଯୋଜକ ଦୁର୍ଗା ମାଧବ ପଣ୍ଡା ଏବଂ କମେଡି ଷ୍ଟାର ଯୋଗେଶ ଜୋଜୋ ସ୍ବତନ୍ତ୍ର ଅତିଥି ଭାବେ ‌ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେମାନଙ୍କ ସଂଗୀତ ଓ ମନୋରଂଜନରେ ଲୋକେ ବିଭୋର ହୋଇଥିଲେ। ଶେଷରେ ଆମ୍ବିଲ୍ ସମେତ ବିଭିନ୍ନ ସମ୍ବଲପୁରୀ ଖାଦ୍ୟର ଆସର ବି‌ ବେଶ ଜମିଥିଲା। ଫେସବୁକ ଓ ୟୁଟ୍ୟୁବ ଲାଇଭ ଜରିଆରେ ସାରା ବିଶ୍ବର ଦର୍ଶକ ଏହି ନୂଆଁଖାଇ ଭେଟଘାଟକୁ ବେଶ ଉପଭୋଗ କରିଥିଲେ।

ସମ୍ବନ୍ଧିତ ଖବର