କୋଶଳେଶ୍ୱରୀ ପୀଠରେ ଲାଗିହେଲା ନବାନ୍ନ ଚରୁ

ଟିଟିଲାଗଡ଼: ସ୍ଥାନୀୟ କୋଶଳେଶ୍ୱରୀ ଶକ୍ତିପୀଠରେ ଶନିବାର ନବାନ୍ନ ଚରୁ ଅର୍ପଣ କରାଯାଇଛି। ଟିଟିଲାଗଡ଼ ସହର ନିକଟ କୁମୁଡ଼ିପଦର ଏବଂ ଲଇତରା ସୀମାରେ ଥିବା ଏହି ଶକ୍ତିପୀଠରେ ଅମଳ ହୋଇଥିବା ଛେଟକା ଧାନକୁ ନବାନ୍ନ ଚରୁ ଭା‌ବେ ଲାଗି କରାଯାଇଥିଲା। ଶନିବାର ସକାଳୁ ଆଖପାଖ ଗ୍ରାମର ଆଦିବାସୀ ସାମ୍ପ୍ରଦାୟର ଜାନୀ ପୂଜକ ଏକତ୍ରିତ ହୋଇ ଦେବୀଙ୍କ ପୂଜାର୍ଚ୍ଚନା କରି ଛେଟକା ଧାନ ସଂଗ୍ରହ କରିଥିଲେ।

ଏଥିରୁ ପ୍ରସ୍ତୁତ ଚରୁ ସାବରୀ ମନ୍ତ୍ର ତଥା ପର୍ବତ ମନ୍ତ୍ରରେ ଯଜ୍ଞକୁଣ୍ଡରେ ଦେବୀଙ୍କୁ ଲାଗି ହୋଇଥିଲା। ଦେବୀଙ୍କ ପୀଠରେ ଚାମୁଣ୍ଡା ମନ୍ତ୍ର, ଦୁର୍ଗା ମନ୍ତ୍ର ସହ ହୋମଯଜ୍ଞ ରୀତିନୀତି ଅନୁଯାୟୀ ହୋଇଥିଲା। ପରମ୍ପରା ଅନୁସାରେ, କୋଶଳେଶ୍ୱରୀ ମହାଶକ୍ତି ପୀଠରେ ନବାନ୍ନ ଚରୁ ଅର୍ପଣ ପରେ ସମଗ୍ର କୋଶଳାଞ୍ଚଳରେ ଲୋକେ ନିଜ ନିଜ ଗ୍ରାମ୍ୟଦେବୀ, ଆରାଧ୍ୟ ଦେବୀ, ଧରଣୀଖୁଣ୍ଟ, ବୃକ୍ଷଲତା, ପାହାଡ଼, ବନ, ଝରଣାକୁ ପୂଜା କରି ନୂଆଁଖାଇ ପର୍ବ ପାଳନ କରିଥାନ୍ତି ବୋଲି ବିଶିଷ୍ଟ ଗବେଷକ ଡ. ଦୋଳଗୋବିନ୍ଦ ବିଶି କହିଛନ୍ତି। ଆଚାର୍ଯ୍ୟ କ୍ଷମଦା ପ୍ରସନ୍ନ ମହାପାତ୍ର ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ପୀଠ ଜାନୀ ରାୟ ସିଂ ମାଝୀ, ପାଟ ଜାନୀ ବଳରାମ ମାଝୀ, ଦେଶ ଜାନୀ କୃପା ଜାନୀ, ମଛିନ୍ଦ୍ର ଭୋଇ ବିଭିନ୍ନ ବିଧି ସମ୍ପାଦନ କରିଥିଲେ। ଅଗସ୍ତି ସାହୁ, ସଦାନନ୍ଦ ହୋତା, କୈଳାସ ବେହେରା, ନୀଳାମ୍ବର ରଣା, ଗଣେଶ ନାଗ, ଈଶ୍ୱର ନାଗ, ତରୁଣ ସାହୁ, ଉପେନ୍ଦ୍ର ସାହୁ, ଧନୀରାମ ବେହେରା, ବିଶିକେଶନ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର