ଉତ୍ସାହକୁ ଊଣା କରି ପାରିଲାନି କରୋନା: ପଶ୍ଚିମ ଓଡ଼ିଶାର ଘରେଘରେ ନୂଆଁଖାଇର ଜମକ

ସମ୍ବଲପୁର: କରୋନାର ଭୟ ଓ ବହୁବିଧ କଟକଣା ସତ୍ତ୍ବେ ପଶ୍ଚିମ ଓଡ଼ିଶାର ଘରେଘରେ ପାଳିତ ହୋଇଛି ନୂଆଁଖାଇ। ଯଦିଓ ଏଥର ସାମୂହିକ ଜୁହାର ଭେଟ୍‌, ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମ ହୋଇ ପାରି ନାହିଁ ତଥାପି ଏହି ମହାନ୍‌ ଗଣ ପର୍ବକୁ ଗୌଣ କରିପାରି ନାହିଁ କରୋନା। ପେଟପାଟଣାର ପର୍ବ, ଜୀବନଜୀବିକାର ପର୍ବ, ଚାଷ ଓ ଚାଷୀର ପର୍ବ ନୂଆଁଖାଇର ମହତ୍ତ୍ବ ଏଥର ବି ଅକ୍ଷୂର୍ଣ୍ଣ ରହିଛି ପ୍ରତିଟି ଲୋକର ମନରେ, ହୃଦୟରେ। ଭାଇଚାରା ଓ ମିଳନର ପର୍ବରେ ଯଦିଓ ଲୋକେ ପରସ୍ପର ସହ ମିଶି ପାରି ନାହାନ୍ତି, କିନ୍ତୁ ଭାତୃତ୍ବ ବଜାୟ ରହିଛି।

ସ˚ସ୍କୃତି ଓ ସ୍ବାଭିମାନର ପର୍ବରେ ଯଦିଓ ସାଂସ୍କୃତିକ ଝଲକ ଦେଖିବାକୁ ମିଳି ନାହିଁ, କିନ୍ତୁ ସ୍ବାଭିମାନ ଅତୁଟ ରହିଛି। ନୂଆଁଖାଇ ପର୍ବ ଅତି ନିଆରା ଓ ସ୍ବତନ୍ତ୍ର, ଏହା ଆଜି ପୁଣିଥରେ ପ୍ରମାଣିତ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରତିଟି ଗାଁ ଓ ସହରରେ, ପ୍ରତି ଘରେ ଓ ପରିବାରରେ। ସବୁ ମନୋମାଳିନ୍ୟ ଭୁଲି ଏକାଠି ନୂଆ ଖାଇଛନ୍ତି ଆବାଳ ବୃଦ୍ଧବନିତା। ସମସ୍ତଙ୍କ ମନରେ ଗୋଟିଏ ଖୁସି, ଗୋଟିଏ ଆଶା, ଆଜି ନିଜର ପହିଲି ଫସଲ ଈଶ୍ବରଙ୍କୁ ଅର୍ପଣ କଲୁ। ତାଙ୍କ ଆଶୀର୍ବାଦ ନେଇ ପରିବାରର ସମସ୍ତଙ୍କ ସହ ମିଶି ନୂଆଁ ଖାଇଲୁ। ନୂଆଁଖାଇ ପରେ ଭଲ ସମୟ ଆସିବ। ମହାମାରୀରୁ ନିସ୍ତାର ମିଳିବ। ଆଗକୁ ପୂରା ବର୍ଷ ଭଲରେ କଟିବ।

Photo: Sambad, Sambalpur

ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ରବିବାର ସକାଳ ଠିକ୍‌ ୯ଟା ୩୫ରୁ ୯ଟା ୫୦ ମଧୢରେ ପ୍ରଶସ୍ତ ତୁଳା ଲଗ୍ନେ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନୂଆଁ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶ˚ଖ ବଜାଇ ଧାଡ଼ିରେ ନେଇ ପୂଜକ ଗଣ ମନ୍ଦିରରେ ପହଞ୍ଚିଥିଲେ। ନିର୍ଧାରିତ ଲଗ୍ନରେ ମନ୍ଦିର ଭିତରୁ ଶ˚ଖ ଧ୍ବନି ଶୁଭିବା ମାତ୍ରେ ଘଣ୍ଟ, ଶ˚ଖ, ନିସାନ୍‌, ମାନ୍ଦଲ୍‌ ଆଦି ବାଦ୍ୟ ଯନ୍ତ୍ରରେ ପରିସର ଦୁଲୁକି ଉଠିଥିଲା। ମାଆଙ୍କଠାରେ ନବାନ୍ନ ଲାଗି ନୀତି ଆରମ୍ଭ ହୋଇଥିଲା। ମାଆଙ୍କ ପାଖରେ ଭୋଗ ଲାଗିଲା ପରେ ପୂଜକମାନେ ବେଢ଼ା ପୂଜା ସହ ବୁଲି ବୁଲି ପାର୍ଶ୍ବ ଦେବାଦେବୀଙ୍କୁ ନବାନ୍ନ ଲାଗି କରିଥିଲେ।

ଏହାପରେ ମାଆଙ୍କ ପାଖରେ ସ୍ବତନ୍ତ୍ର ଆଳତି କରା ଯାଇଥିଲା। କିନ୍ତୁ ଏଥର ଭକ୍ତଙ୍କୁ ମନ୍ଦିର ମନା ଥିଲା। ବିନା ଭକ୍ତରେ ମାଁ’ଙ୍କ ନବାନ୍ନ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ନୂଆଁଖାଇ ପାଇଁ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ରବିବାର ଭୋରରୁ ପୂଜକମାନେ ମାଁ ସମଲେଶ୍ବରୀଙ୍କୁ ନୂଆ ବସ୍ତ୍ର, ଅଳଙ୍କାରରେ ସଜ୍ଜିତ କରିଥିଲେ। ପୂଜକମାନଙ୍କ ଘରେ ସ˚ପୂର୍ଣ ନିଷ୍ଠା ଓ ନୀତି ନିୟମର ସହ ନୂଆ ଧାନରେ ମାଆଙ୍କ ପାଇଁ ନବାନ୍ନ ଭୋଗ (ନୂଆ ଚାଉଳ), ଖିରି, ପିଠା, ସାରୁ ଶାଗ ଆଦି ପ୍ରସ୍ତୁତ ହୋଇଥିଲା। ସକାଳ ୮ଟା ୩୦ରୁ ମନ୍ଦିରରେ ଝୋଟି ଦେଇଥିଲେ। ସକାଳ ୯ଟାରୁ ଚାରି ପୂଜକ ପରିବାର ଅମ୍ବିକା ରାୟ, ଗଂଗାଧର ରାଏ, କୋଦଣ୍ଡ ରାଏ ଏବଂ ପ୍ରଶାନ୍ତ ରାଏଙ୍କ ଘରୁ ମନ୍ଦିରକୁ ଭୋଗ ଆସିଥିଲା।

https://twitter.com/Ganjam_Admin

ପାଟଣାଗଡ଼ରେ ମାଆ ପାଟଣେଶ୍ବରୀଙ୍କଠାରେ ମଧ୍ୟ ନିଷ୍ଠାର ସହ ନବାନ୍ନ ଭୋଗ ଲାଗି ହୋଇଥିଲା। ବଲାଙ୍ଗୀରରେ ମାଆ ସମଲେଶ୍ବରୀଙ୍କୁ ଭାବ ଓ ଭକ୍ତିର ସହ ନୂଆ ଭୋଗ ଅର୍ପଣ କରା ଯାଇଥିଲା। ସୋନପୁରରେ ଅଧିଷ୍ଟାତ୍ରୀ ଦେବୀ ସୁରେଶ୍ବରୀଙ୍କଠାରେ ନୀତି ନିଷ୍ଠାର ସହ ନୂଆ ଅନ୍ନ ଲାଗି ହୋଇଥିଲା। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରପାଲି ସମେତ ବିଭିନ୍ନ ସହର ଓ ଗାଁରେ ସେଠାକାର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରା ଯାଇଥିଲା। ଗାଁ ମାନଙ୍କରେ ଝାଙ୍କରମାନେ ଗ୍ରାମ ଦେବାଦେବୀଙ୍କୁ ପୂଜା କରିଥିଲେ। ଚାଷୀମାନେ ନିଜ କ୍ଷେତ (ବିଲ)କୁ ଯାଇ ଧରଣୀ ମାତାଙ୍କୁ ପୂଜା କରିଥିଲେ। ନୂଆଁଖାଇ ଅବସରରେ ଗୋମାତାଙ୍କୁ ବି ପୂଜାର୍ଚ୍ଚନା କରା ଯାଇଥିଲା।

https://twitter.com/Ganjam_Admin

ନୂଆ ଭୋଗର ଦେବାର୍ପଣ ପରେ ପ୍ରତି ପରିବାରରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା। ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆ ଅନ୍ନ ପ୍ରସାଦ ବାଣ୍ଟି ଥିଲେ। ତାହାକୁ ସମସ୍ତେ ଏକା ସାଙ୍ଗରେ ସେବନ କରିଥିଲେ। ନୂଆ ଭୋଗ ସାଙ୍ଗକୁ ଖିରି, ପିଠାପଣାରେ ସବୁ ଘର ଉଛୁଳି ଥିଲା। ନୂଆଁ ଖାଇ ସାରିବା ପରେ ଗୁରୁଜନ ମାନଙ୍କୁ ଜୁହାର‌୍‌, ମୁଣ୍ତିଆ ମାରି ସାନ ମାନେ ଆଶୀର୍ବାଦ ନେଇଥିଲେ। ଏଥର ଜୁହାର ଭେଟ୍ ପରିବାର ମଧ୍ୟରେ ସୀମିତ ରହିଥିଲା। ତେବେ ସାମାଜିକ ଗଣମାଧ୍ୟମ ଯଥା ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌, ଟ୍ବିଟର୍‌, ଇନ୍‌ଷ୍ଟାଗ୍ରାମରେ ନୂଆଁଖାଇ ଜୁହାର ଓ ଶୁଭେଚ୍ଛା ବାର୍ତ୍ତା ଛାଇ ଯାଇଥିଲା। ଅନ୍ୟ ବର୍ଷରେ ଖେଳ, କୁଦ, ନାଚ, ଗୀତ, ଭଜନ, କୀର୍ତନଠୁ ଆରମ୍ଭ କରି ସାଂସ୍କୃତିକ ମନୋରଂଜନ ଭରା ନୂଆଁଖାଇ ଭେଟ୍‌ ସମାରୋହ ଆୟୋଜିତ ହେଉଥିଲା। ଏଥର ଅନ୍‌ଲାଇନ୍‌ରେ ଏହା ଚାଲିଥିଲା। ଲୋକେ ନାଚ, ଗୀତ, କବିତା ଆଦି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅନ୍‌ଲାଇନ୍‌ ପ୍ରତିଯୋଗିତା ମାନ ଆୟୋଜନ କରା ଯାଇଥିଲା।

ସମ୍ବନ୍ଧିତ ଖବର