ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରିତ, ସେପ୍ଟେମ୍ବର ୧୧ରେ ପାଳନ ହେବ ଗଣପର୍ବ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅନ୍ୟତମ ଲୋକପ୍ରିୟ ଏବଂ ପ୍ରସିଦ୍ଧ ପର୍ବ ‘ନୂଆଖାଇ’ ପାଇଁ ଆଜି ଲଗ୍ନ ନିର୍ଦ୍ଧାରିତ ହୋଇଯାଇଛି। ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ପକ୍ଷରୁ ପଣ୍ଡିତ, ବିଦ୍ୱାନ ଏବଂ ଜ୍ୟୋର୍ତିବିଦ ମାନେ ଲଗ୍ନ ସ୍ଥିର କରିଛନ୍ତି। ମା’ ସମଲେଶ୍ୱରୀଙ୍କ ରାଶି ନକ୍ଷତ୍ରକୁ ନେଇ ଏହି ଶୁଭଲଗ୍ନ ବାହାର କରାଯାଇଛି।

ଭାଦ୍ରବ ଶୁକ୍ଲପକ୍ଷ ପଂଚମୀ ତିଥିରେ ଚଳିତ ବର୍ଷ ନୂଆଖାଇ ପର୍ବ ପାଳନ ହେବା ନେଇ ଆଜି ବ୍ରହ୍ମପୁରା ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧିାରିତ ହୋଇଛି। ପଣ୍ଡିତ ମହାସଭାରେ ନିର୍ଦ୍ଧାରିତ ହୋଇଥିବା ଲଗ୍ନ ଅନୁସାରେ ଆସନ୍ତା ସେପ୍ଟେମ୍ବର ମାସ ୧୧ ତାରିଖ ଦିନ ୧୦ଟା ୧୫ରୁ ୧୦ଟା ୨୫ ମଧ୍ୟରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବ।

ଝାଡ଼ୁଆପଡ଼ାସ୍ଥିତ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭାରେ ହୋଇଥିବା ନୂଆଖାଇ ଲଗ୍ନ ଅନୁଯାୟୀ ନିର୍ଦ୍ଧାରିତ ସମୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ପ୍ରଥମେ ନବାନ୍ନ ଲାଗି ହେବ। ଏହା ପରେ ପଶ୍ଚିମ ଓଡ଼ିଶାରେ ଅନ୍ୟସ୍ଥାନଗୁଡ଼ିକରେ ଥିବା ଦେବାଦେବୀଙ୍କ ଠାରେ ନୂଆ ଲାଗିବ।

ସୂଚନାଯୋଗ୍ୟ, ନୂଆଖାଇର ଲଗ୍ନ ନିର୍ଦ୍ଧାରଣ ପାଇଁ ପ୍ରତିବର୍ଷ ବ୍ରହ୍ମପୁରା ମନ୍ଦିର ପରିସରରେ ପଣ୍ଡିତ ମହାସଭା ଅନୁଷ୍ଠିତ ହୋଇଥାଏ। ସାଧାରଣତଃ ଏହି ବୈଠକ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀର ପରବର୍ତ୍ତୀ ଦିନରେ ଅନୁଷ୍ଠିତ ହୋଇଥାଏ।

ଆଜିର ପଣ୍ଡିତ ମହାସଭାରେ ସଭାପତି ଲକ୍ଷ୍ମଣ ବେହେରା, ଅମରନାଥ ମିଶ୍ର, ସଚ୍ଚିଦାନନ୍ଦ ମିଶ୍ର, କୃଷ୍ଣଚନ୍ଦ୍ର ପାଣିଗ୍ରାହୀ, ବଂଶୀଧର ଶତପଥୀ, ଜିତେନ୍ଦ୍ର କୁମାର ନନ୍ଦ, କମଳାକାନ୍ତ ମିଶ୍ର, ସୁରେଶ ଚନ୍ଦ୍ର ଦେବତା, ଶୈଳେନ୍ଦ୍ର ପୂଜାରୀ, ସୁରେଶ ପତି, ଝସକେତନ ହୋତା, ନିରଂଜନ ଷଡ଼ଙ୍ଗୀ, ଗୋପୀନାଥ ପଣ୍ଡା, ସରିତ କୁମାର ପାଢ଼ୀ ଆଦି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର