ସମ୍ବଲପୁର: ନୂଆଁଖାଇ ଭେଟ୍‌ଘାଟ୍‌ ଆଳରେ ଏକାଠି ‌ହେବାକୁ ଯାଉଛନ୍ତି ପଶ୍ଚିମ ଓଡ଼ିଶାର ନେତା। ଏଥିରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନବଗଠିତ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କମିଟିର ସଭାପତି ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉଦ୍ୟମରେ ଆରମ୍ଭ ହେଉଥିବା ଏହି ବେସରକାରୀ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସମେତ ଦଳମତ ନିର୍ବିଶେଷରେ ପଶ୍ଚିମ ଓଡ଼ିଶାର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ସମ୍ମାନିତ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି।

Advertisment

ଆସନ୍ତା ୬ ତାରିଖ ଦିନ ସମଲେଶ୍ବରୀ ମନ୍ଦିର ପରିସର ପାର୍କିଂ ପଡ଼ିଆରେ ସନ୍ଧ୍ୟା ୫ଟାରୁ ରାତ୍ରି ୧୦ ଘଣ୍ଟା ଯାଏଁ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ସମ୍ବଲପୁର ମହାନଗର ଓ ଆଖପାଖ ଅଞ୍ଚଳରୁ ପାଖାପାଖି ୧୦ ହଜାର ଲୋକଙ୍କୁ ସାମିଲ କରିବାକୁ ଯୋଜନା ଚାଲିଥିବା ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବାପରେ ଆଜି ପ୍ରଶାସନିକ ସ୍ତରରେ ମଧ୍ୟ ତତ୍ପରତା ଦେଖିବାକୁ ମିଳିଛି। ସୋମବାର ସନ୍ଧ୍ୟାରେ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର, ଏସ୍‌ପି ମୁକେଶ ଭାମୁ, ମହାନଗର ନିଗମର କମିସନର ରେହାନ ଖତ୍ରି ପ୍ରମୁଖ ଆୟୋଜକ କମିଟି କର୍ମକର୍ତ୍ତାମାନଙ୍କ ସହିତ କାର୍ଯ୍ୟକ୍ରମ ସ୍ଥଳ ନିରୀକ୍ଷଣ କରି ବିସ୍ତୃତ ଆଲୋଚନା କରିଥିଲେ। ଏହି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତିଙ୍କୁ ନିୟନ୍ତ୍ରଣ କରାଯାଇଥିବେଳେ ଅନ୍ୟ ଦଳର ବରିଷ୍ଠ ନେତାମାନଙ୍କୁ ବି ଏଥିରେ ସାମିଲ କରିବାକୁ ଯୋଜନା କରାଯାଉଥିବା ଜଣାପଡ଼ିଛି।

ପଶ୍ଚିମ ଓଡ଼ିଶାର ପ୍ରାଣକେନ୍ଦ୍ର ସମ୍ବଲପୁରଠାରେ ଚଳିତ ବର୍ଷରୁ ରାଜ୍ୟସ୍ତରୀୟ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ ପାଇଁ କଚେରି ରୋଡ୍‌ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅନୀଲ ବେହେରାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। କମିଟିର ସଭାପତି ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ବୈଠକରେ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମକୁ ଭବ୍ୟ, ବିଶାଳ ଓ ସଫଳ କରିବାକୁ ଏହାର ରୂପରେଖ ବିଷୟରେ ସବିଶେଷ ଆଲୋଚନା କରା ଯାଇଥିଲା। କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବା ପାଇଁ ପୂର୍ବତନ ବିଧାୟକ ନାଉରୀ ନାୟକ, ବରିଷ୍ଠ ବିଜେପି ନେତା ଡ. ପ୍ରମୋଦ ରଥ, ସରୋଜ ଦଲପତ, ସୁଶାନ୍ତ ପୁରୋହିତ, ସମୀର ବାବୁ, ଫଣିଭୂଷଣ ମିଶ୍ର, ଜୟବ୍ରତ ଦେ, ଯୁବନେତ୍ରୀ ଶୁଭଶ୍ରୀ ମିଶ୍ର ପ୍ରମୁଖ ନିଜ ମତାମତ ରଖିଥିଲେ। ସମ୍ବଲପୁର ମହାନଗର ନିଗମ ଓ ଏହାର ଆଖପାଖ ଅଞ୍ଚଳର ବହୁ କଳା ଓ ସଂସ୍କୃତି ପ୍ରେମୀ ବ୍ୟକ୍ତି ଏହି ବୈଠକରେ ଉପସ୍ଥିତ ଥିଲେ। ସମ୍ବଲପୁର ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ କେତେକ ପ୍ରକଳ୍ପର ଶିଳାନ୍ୟାସ କରିବାର ବି ଯୋଜନା ରହିଛି।