ପଶ୍ଚିମ ଓଡ଼ିଶାରେ ନୂଆଁଖାଇ : ମା’ ସମଲେଶ୍ବରୀଙ୍କଠାରେ ଲାଗି ହେଲା ନବାନ୍ନ ଭୋଗ

ସମ୍ବଲପୁର : କରୋନାର ଭୟ ଓ ବହୁବିଧ କଟକଣା ସତ୍ତ୍ବେ ପଶ୍ଚିମ ଓଡ଼ିଶାର ଘରେଘରେ ପାଳିତ ହୋଇଛି ନୂଆଁଖାଇ। ଯଦିଓ ଏଥର ସାମୂହିକ ଜୁହାର ଭେଟ୍‌, ସାଂସ୍କୃତିକ ଓ ମନୋରଂଜନ କାର୍ଯ୍ୟକ୍ରମ ହୋଇ ପାରିନାହିଁ ତଥାପି ଏହି ମହାନ ଗଣ ପର୍ବକୁ ଗୌଣ କରିପାରିନାହିଁ କରୋନା।

ପୂର୍ବ ନିର୍ଧାରିତ ଲଗ୍ନ ଅନୁଯାୟୀ ରବିବାର ସକାଳ ଠିକ୍‌ ୯ଟା ୩୫ରୁ ୯ଟା ୫୦ ମଧୢରେ ପ୍ରଶସ୍ତ ତୁଳା ଲଗ୍ନେ ସମ୍ବଲପୁରର ଅଧିଷ୍ଟାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କଠାରେ ନବାନ୍ନ ଭୋଗ ଲାଗି ହୋଇଥିଲା। ନୂଆଁ ଭୋଗ ଓ ପୂଜା ସାମଗ୍ରୀକୁ ଘଣ୍ଟ ଶ˚ଖ ବଜାଇ ଧାଡ଼ିରେ ନେଇ ପୂଜକ ଗଣ ମନ୍ଦିରରେ ପହଞ୍ଚିଥିଲେ। ନିର୍ଧାରିତ ଲଗ୍ନରେ ମନ୍ଦିର ଭିତରୁ ଶ˚ଖ ଧ୍ବନି ଶୁଭିବା ମାତ୍ରେ ଘଣ୍ଟ, ଶ˚ଖ, ନିସାନ୍‌, ମାନ୍ଦଲ୍‌ ଆଦି ବାଦ୍ୟ ଯନ୍ତ୍ରରେ ପରିସର ଦୁଲୁକି ଉଠିଥିଲା। ମାଆଙ୍କଠାରେ ନବାନ୍ନ ଲାଗି ନୀତି ଆରମ୍ଭ ହୋଇଥିଲା। ମାଆଙ୍କ ପାଖରେ ଭୋଗ ଲାଗିଲା ପରେ ପୂଜକମାନେ ବେଢ଼ା ପୂଜା ସହ ବୁଲି ବୁଲି ପାର୍ଶ୍ବ ଦେବାଦେବୀଙ୍କୁ ନବାନ୍ନ ଲାଗି କରିଥିଲେ। ଏହାପରେ ମାଆଙ୍କ ପାଖରେ ସ୍ବତନ୍ତ୍ର ଆଳତି କରା ଯାଇଥିଲା। ବିନା ଭକ୍ତରେ ମାଁଙ୍କ ନବାନ୍ନ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ବରୁ ନୂଆଁଖାଇ ପାଇଁ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ରବିବାର ଭୋରରୁ ପୂଜକମାନେ ମାଁ ସମଲେଶ୍ବରୀଙ୍କୁ ନୂଆ ବସ୍ତ୍ର, ଅଳଙ୍କାରରେ ସଜ୍ଜିତ କରିଥିଲେ। ପୂଜକମାନଙ୍କ ଘରେ ନୂଆ ଧାନରେ ମାଆଙ୍କ ପାଇଁ ନବାନ୍ନ ଭୋଗ (ନୂଆ ଚାଉଳ), ଖିରି, ପିଠା, ସାରୁ ଶାଗ ଆଦି ପ୍ରସ୍ତୁତ ହୋଇଥିଲା। ସକାଳ ୮ଟା ୩୦ରୁ ମନ୍ଦିରରେ ଝୋଟି ଦେଇଥିଲେ। ସକାଳ ୯ଟାରୁ ଚାରି ପୂଜକ ପରିବାର ଅମ୍ବିକା ରାୟ, ଗଂଗାଧର ରାଏ, କୋଦଣ୍ଡ ରାଏ ଏବଂ ପ୍ରଶାନ୍ତ ରାଏଙ୍କ ଘରୁ ମନ୍ଦିରକୁ ଭୋଗ ଆସିଥିଲା।

ପାଟଣାଗଡ଼ରେ ମାଆ ପାଟଣେଶ୍ବରୀଙ୍କଠାରେ ମଧ୍ୟ ନିଷ୍ଠାର ସହ ନବାନ୍ନ ଭୋଗ ଲାଗି ହୋଇଥିଲା। ବଲାଙ୍ଗୀରରେ ମାଆ ସମଲେଶ୍ବରୀଙ୍କୁ ଭାବ ଓ ଭକ୍ତିର ସହ ନୂଆ ଭୋଗ ଅର୍ପଣ କରା ଯାଇଥିଲା। ସୋନପୁରରେ ଅଧିଷ୍ଠାତ୍ରୀ ଦେବୀ ସୁରେଶ୍ବରୀଙ୍କଠାରେ ନୀତି ନିଷ୍ଠାର ସହ ନୂଆ ଅନ୍ନ ଲାଗି ହୋଇଥିଲା। ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ଦେବଗଡ଼, ବୌଦ୍ଧ, ବରପାଲି ସମେତ ବିଭିନ୍ନ ସହର ଓ ଗାଁରେ ସେଠାକାର ଇଷ୍ଟ ଦେବାଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରାଯାଇଥିଲା। ଗାଁମାନଙ୍କରେ ଝାଙ୍କରମାନେ ଗ୍ରାମ ଦେବାଦେବୀଙ୍କୁ ପୂଜା କରିଥିଲେ। ଚାଷୀମାନେ ନିଜ କ୍ଷେତ (ବିଲ)କୁ ଯାଇ ଧରଣୀ ମାତାଙ୍କୁ ପୂଜା କରିଥିଲେ। ନୂଆଁଖାଇ ଅବସରରେ ଗୋମାତାଙ୍କୁ ବି ପୂଜାର୍ଚ୍ଚନା କରାଯାଇଥିଲା।

ନୂଆ ଭୋଗର ଦେବାର୍ପଣ ପରେ ପ୍ରତି ପରିବାରରେ ନୂଆଁଖାଇ ପର୍ବ ଆରମ୍ଭ ହୋଇଥିଲା। ପରିବାର ସମସ୍ତ ସଦସ୍ୟ ନୂଆ ପୋଷାକ ପିନ୍ଧି ଏକାଠି ବସିବା ପରେ ସବୁଠୁ ବୟୋଜ୍ୟେଷ୍ଠ ସଦସ୍ୟ ସମସ୍ତଙ୍କୁ ନୂଆ ଅନ୍ନ ପ୍ରସାଦ ବାଣ୍ଟି ଥିଲେ।

ସମ୍ବନ୍ଧିତ ଖବର