ତୁଷୁରା : ତୁଷୁରା ଏନ୍ଏସି ଓ ଗୁଡ଼ଭେଲା ବ୍ଲକ୍ରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ଏହା ସହିତ ରୋଗୀସଂଖ୍ୟା ୩ ଶହ ପାରି ହୋଇ ସାରିଲାଣି। ଏଥିପାଇଁ ତୁଷୁରା ଏନ୍ଏସିର ଗୋଟିଏ ୱାର୍ଡ଼ ଓ ଗୁଡ଼ଭେଲା ବ୍ଲକ୍ର ଗୋଟିଏ ଗ୍ରାମର ଗୋଟିଏ ପଡ଼ାକୁ ତହସିଲଦାର ଚନ୍ଦ୍ରମଣି ନାଗ ମିନି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି। ଏନ୍ଏସି ଅର୍ନ୍ତଗତ ୧ ନମ୍ବର ୱାର୍ଡ଼ ନଅଗାଁ ପୁରୁଣା ବସ୍ତିର ମୁଖ୍ୟ ଦୁଇପଟ ରାସ୍ତାରେ ବ୍ୟାରିକେଡ଼ ବନ୍ଧା ଯାଇ ତୁଷୁରା ପୁଲିସ ପକ୍ଷରୁ ସୁରକ୍ଷା ଯୋଗାଇ ଦିଆଯାଇଛି। ଏନ୍ଏସି କାର୍ଯ୍ୟନିବାର୍ହୀ ଅଧିକାରୀ ଲକ୍ଷ୍ମଣ ମୁର୍ମୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଉକ୍ତ ୱାର୍ଡ଼ବାସୀଙ୍କ ମେଡିକାଲ ଓ ଜରୁରୀ ସାମଗ୍ରୀଗୁଡ଼ିକ ଧ୍ୟାନକୁ ଦେଇ ଶୀଘ୍ର ଯୋଗାଇବା ପାଇଁ ମୋବାଇଲ ନମ୍ବର ଜାରି କରାଯାଇଛି।
ସେହିପରି ଗୁଡ଼ଭେଲା ବ୍ଲକ୍ ନୂଆପଡ଼ା ଗାଁର ଶ୍ରୀରାମଜୀ ମନ୍ଦିରପଡ଼ା (ତଳିପଡ଼ା)ରେ ଶ୍ରୀରାମଜୀ ମନ୍ଦରିପଡ଼ାରୁ ସଦାନନ୍ଦ ପ୍ରଧାନଙ୍କ ଘର ପର୍ଯ୍ୟନ୍ତ ଆବଦ୍ଧାଂଚଳ ଘୋଷଣା କରି ରବିବାର ବ୍ୟାରିକେଡ଼ ଦିଆଯାଇଥିଲା। କିନ୍ତୁ ଉକ୍ତ ବ୍ୟାରିକେଡ଼କୁ ପଡ଼ାର କିଛି ଅମାନିଆ ମହିଳା ଓ ପୁରୁଷ ବିରୋଧ କରିବା ସହ ଭାଙ୍ଗି ଦେଇଥିଲେ। ଏନେଇ ତୁଷୁରା ତହସିଲଦାର ଓ ଥାନଧିକାରୀ ବି.ରୁଦ୍ରିଆ ଉକ୍ତ ପଡ଼ାବାସୀଙ୍କୁ ବୁଝାସୁଝା କରିବା ସହ ଟ୍ୟାଙ୍କର ଯୋଗେ ପାନୀୟ ଜଳ ସହ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ବ୍ୟବହୃତ ସାମଗ୍ରୀ ଯୋଗାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।