ସରକାରୀ କ୍ୟାଲେଣ୍ଡରରେ ନାହିଁ ନୂଆଁଖାଇ ଛୁଟି: ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା

ସମ୍ବଲପୁର: ବର୍ଷ ସରିବାକୁ ଆଉ ପାଖାପାଖି ଦୁଇ ମାସ ବାକି ରହିଛି। ଇତିମଧ୍ୟରେ ନୂଆ ବର୍ଷ ୨୦୨୪ ମସିହାର ସରକାରୀ କ୍ୟାଲେଣ୍ଡର ବି ଆସିଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କ୍ୟାଲେଣ୍ଡରରେ ସରକାରୀ ଛୁଟି ଦିବସର ତାଲିକାରେ ସମସ୍ତ ପର୍ବପର୍ବାଣିର ନାମ ଉଲ୍ଳେଖ ରହିଥିଲେ ବି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଏଥିରୁ ବାଦ୍ ପଡ଼ିଛି। ଅଧୁନା ଅଭିନେତାଙ୍କ କଳିକୁ ନେଇ ସୃଷ୍ଟି ପରିସ୍ଥିତିରେ ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ସମୟରେ ସରକାରୀ ଛୁଟି ତାଲିକାରୁ ନୂଆଁଖାଇ ନାଁ ନଥିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆସନ୍ତା ୨୦୨୪‌ ମସିହାରେ ସେପ୍‌ଟେମ୍ବର ୭ ତାରିଖ ଗଣେଶ ପୂଜା ପାଇଁ ଛୁଟି ରହିଛି। ଗଣେଶ ପୂଜା ପର ଦିନ ଅର୍ଥାତ ଭ୍ରାଦବ ମାସ ପଞ୍ଚମୀ ତିଥିରେ ପଶ୍ଚିମ ଓଡ଼ିଶାର ମୁଖ୍ୟ ପର୍ବ ନୂଆଁଖାଇ ହୋଇଥାଏ। ଏହି ହିସାବରେ ୨୦୨୪ ମସିହା ସେପ୍‌ଟେମ୍ବର ୮ ତାରିଖ ରବିବାର ଦିନ ନୂଆଁଖାଇ ଅନୁଷ୍ଠିତ ହେବ। ରବିବାର ସରକାରୀ ଛୁଟି ରହୁଥିବାରୁ ସମ୍ଭବତଃ ନୂଆଁଖାଇ ଛୁଟି ଦିନ ପାଇଁ କ୍ୟାଲେଣ୍ଡରରେ ଉଲ୍ଲେଖ କରାଯାଇନାହିଁ। ନୂଆଁଖାଇ ନିମନ୍ତେ ଦୁଇ ଦିନ ଛୁଟି ଘୋଷଣା କରିବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଛି।

ଜୀବିକାର୍ଜନ ନିମନ୍ତେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ରହୁଥିବା ପଶ୍ଚିମ ଓଡ଼ିଶାର ଲୋକେ ନୂଆଁଖାଇ ପୂର୍ବଦିନ ସ୍ବଗୃହକୁ ଆସିଥାନ୍ତି। ଦୂର ଦୂରାନ୍ତ‌ରରେ ରହୁଥିବା ଲୋ‌କେ ପୁଣି ନୂଆଁଖାଇ ସାରି ସେଇଦିନ ବାହାରି ପୁଣି ତା ପର ଦିନ କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ସମ୍ଭବ ହୋଇନଥାଏ। ଏଭଳି ସ୍ଥିତିରେ ଦୁଇ ଦିନ ନୂଆଁଖାଇ ସରକାରୀ ଛୁଟି ପାଇଁ ଜନସାଧାରଣଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଦାବି ହୋଇଆସୁଛି। ଚଳିତ ବର୍ଷ କୋଶଳ ରାଜ୍ୟ ସପକ୍ଷବାଦୀମାନେ ଉତ୍ତରାଂଚଳ ରାଜସ୍ବ ଆୟୁକ୍ତ(ଆର୍‌ଡିସି)ଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ। ସେମାନଙ୍କ ଆନ୍ଦୋଳନ ଯୋଗୁ ଦୀର୍ଘ ୪ ଘଣ୍ଟା ପର୍ଯ୍ୟନ୍ତ ଆର୍‌ଡିସି କାର୍ଯ୍ୟାଳୟର କାମ ଠପ୍ ହୋଇଯାଇଥି‌ଲା। ଏତେ ସବୁ ହେବା ପରେ ବି ସବୁ ମହଲରେ ଚେତା ପଶି ନାହିଁ। ସରକାରୀ କ୍ୟାଲେଣ୍ଡରର ନୂଆଁଖାଇ ସ୍ଥାନିତ ନହେବାକୁ ନେଇ ପଶ୍ଚିମ ଓଡ଼ିଶାରେ ଅସନ୍ତୋଷ ପ୍ରକାଶ ପାଇଛି। ସାମାଜିକ ଗଣମାଧ୍ୟମରେ ଏହାକୁ ନେଇ ଖୋଲାଖୋଲି ସମାଲୋଚନା ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର