ନୂଆପଡ଼ାରେ ଅଭାବନୀୟ ଘଟଣା: ଜଳନ୍ତା ଅବସ୍ଥାରେ ଦୌଡ଼ି ଜୀବନ ବଞ୍ଚାଇଲେ ଯୁବକ

ଦେହରୁ ଆସୁଛି କିରୋସିନ ଗନ୍ଧ, ବେକରେ କଟା ଦାଗ

ନୂଆପଡ଼ା : ନୂଆପଡ଼ା ସହର ରାଧାକୃଷ୍ଣ ପଡ଼ାରେ ଅଭାବନୀୟ ଘଟଣା। ଜଳନ୍ତା ଅବସ୍ଥାରେ ଜଣେ ଯୁବକ ଦୌଡ଼ି ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରୁଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିଛନ୍ତି। ଯୁବକଙ୍କ ଶରୀର ୮୦ ପ୍ରତିଶତ ଜଳି ଯାଇଛି। ଯୁବକଙ୍କ ଦେହରୁ କିରୋସିନ ଗନ୍ଧ ଆସୁଥିବା ସହ ତାଙ୍କ ବେକରେ ଏକ କଟା ଦାଗ ରହିଛି। ଯୁବକଙ୍କୁ କେହି ହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଉଛି। ତାଙ୍କ ପକେଟରେ ଥିବା ପର୍ସରୁ ଝୁମକଲାଲ ନାୟକ ନାମରେ ଏକ ଆଧାର କାର୍ଡ ମିଳିଛି। ଏଥିରେ ନବରଙ୍ଗପୁର ଜିଲ୍ଲା ଗମ୍ଭାରିଗୁଡ଼ା ଠିକଣା ଉଲ୍ଲେଖ ରହିଛି।

ସୂଚନାନୁଯାୟୀ, ରବିବାର ରାତିରେ ରାଧାକୃଷ୍ଣପଡ଼ାରେ ସଂପୃକ୍ତ ଯୁବକ ଜଣକ ଜଳନ୍ତା ଅବସ୍ଥାରେ ଦୌଡ଼ି ଦୌଡ଼ି ବଞ୍ଚାଇବାକୁ ଚିତ୍କାର କରିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଆମ୍ବୁଲାନ୍ସରେ ତାଙ୍କୁ ନିଆଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଯାଇଥିଲା। ଘଟଣାସ୍ଥଳରେ ନୂଆପଡ଼ା ଥାନା ଏସ୍‌ଆଇ ଚରଣ ସିଂମାଝୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଖବର ପାଇ ଯୁବକଙ୍କ ବାପା ଓ ଭାଇ ନୂଆପଡ଼ାରେ ପହଞ୍ଚିଥିଲେ। ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଯୁବକ ଜଣକ ଛତିଶଗଡ଼ ରାୟପୁରର ଏକ ସିଲେଇ ଦୋକାନରେ କାମ କରୁଥିବା ବେଳେ ନୂଆପଡାକୁ କେମିତି ଆସିଲେ ଏବଂ ତାଙ୍କ ସହ ଏଭଳି କାଣ୍ଡ କିପରି ହେଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।

ନୂଆପଡ଼ା ସହର ଭିତରେ କାହା ସହ ତାଙ୍କର କୌଣସି ସମ୍ପର୍କ ନଥିବା ବେଳେ ତାଙ୍କ ସହ କିଏ ଏଭଳି କରିଛି ସେ ସୁସ୍ଥ ହେବା ପରେ ଜଣା ପଡ଼ିବ ବୋଲି ଯୁବକଙ୍କ ଭାଇ କହିଛନ୍ତି। ଏହି ଘଟଣାକୁ ନେଇ ସୋମବାର ସନ୍ଧ୍ୟା ସୁଦ୍ଧା ନୂଆପଡ଼ା ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଏସ୍‌ଆଇ ଶ୍ରୀ ମାଝୀ ସୂଚନା ଦେଇଛନ୍ତି। ଆମ୍ବୁଲାନ୍ସ ଗାଡ଼ି ଯୁବକଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଛାଡ଼ିଥିବା କହୁଥିବା ବେ‌ଳେ ଆମ ବୁର୍ଲା ପ୍ରତିନିଧି ମେଡିକାଲରେ ପଚରାଉଚରା କରିବାରୁ ‌ସେପରି କୌଣସି ମାମଲା ଆସିନଥିବା କାଜୁଆଲଟି ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ଯୁବକଙ୍କ ଏଭଳି ଅବସ୍ଥା ସଂପର୍କରେ ଖବର ପାଇ ଆସିଥିବା ତାଙ୍କ ଭାଇ ମଧ୍ୟ ଫୋନ୍ କଲ୍‌ ଗ୍ରହଣ କରୁନାହାନ୍ତି। ଏଭଳି ସ୍ଥିତିରେ ଘଟଣାଟି ରହସ୍ୟ ହୋଇ ରହିଯାଇଛି।

ସମ୍ବନ୍ଧିତ ଖବର