ନୂଆପଡା : କଳାକାର ସଂଘର ପ୍ରାପ୍ୟ ମିଳିବ କେବେ ?

ଖଡିଆଳ : ମହାମାରୀ କରୋନା ଯୋଗୁଁ ସବୁ ବର୍ଗର ଲୋକେ ପ୍ରଭାବିତ ହେଉଥିବାର ଦେଖିବାକୁ ମିଳିଛି । ହେଲେ ଅଧିକ ମାତ୍ରାରେ ଗରିବ ଶ୍ରେଣୀର ଲୋକେ ପ୍ରଭାବିତ ହେଉଥିବ ବେଳେ ବାଦ ପଡିନାହାନ୍ତି ନୂଆପଡା ଜିଲ୍ଲା କଳାକାରମାନେ। ନୂଆପଡା ଜିଲ୍ଲାରେ ପ୍ରାୟ ୪୫ଟି ଲୋକକଳା ଦଳ ଦ୍ୱାରା ଜନସଚେତନା କାଯ୍ୟକ୍ରମ ୧୩୧ଟି ଗ୍ରାମରେ ସମ୍ପାଦନ କରାଯାଇଥିଲା । ଏଥିପାଇଁ ଓଡିଶା ପଞ୍ଚାୟତରାଜ ବିଭାଗ ତରଫରୁ କଲାକାର ମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ୯ ଲକ୍ଷ ୫୦ ହଜାର ଟଙ୍କା ଜିଲ୍ଲାକୁ ପ୍ରଦାନ କରାଯାଇଥିଲା। ଜିଲ୍ଲାର କଳାକାରମାନେ କାର୍ଯ୍ୟ ସମ୍ପାଦନ କରି ଫେବୃୟାରି ମାସ ଶେଷ ସୁଦ୍ଧା ଆବଶ୍ୟକୀୟ କାଗଜପତ୍ର ଜିଲ୍ଲାରେ ଦାଖଲ କରିଥିଲେ। ଏହି କାର୍ଯ୍ୟକ୍ରମ ବାବଦକୁ ପ୍ରାୟ ୩୨ ଲକ୍ଷ ଟଙ୍କାର ବ୍ୟୟ ବିବରଣୀ ଧାର୍ଯ୍ୟ ହୋଇଥିବା ବେଳେ ଅଗ୍ରୀମ ଆସିଥିବା ୯ ଲକ୍ଷ ୫୦ ହଜାର ଟଙ୍କାକୁ ନୂଆପଡା ଜିଲ୍ଲାପାଳ ମଧୁସ୍ମିତା ସହୁ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହଯୋଗ ଓ ସହାନୁଭୁତିରେ କିଛି କଳାକାରଙ୍କୁ ପୈଠ କରାଯାଇଥିଲା। ବକେୟା ପଇସା ପାଇଁ ବାରମ୍ବାର କଳାକାରମାନେ ପଞ୍ଚାୟତ ବିଭାଗକୁ ଜଣାଉଥିଲେ ମଧ୍ୟ ବିଭାଗ କର୍ଣ୍ଣପାତ କରୁନଥିବା କଳାକାରମାନେ ଅଭିଯୋଗ କରିଛନ୍ତି।

ମାର୍ଚ୍ଚ ମାସ ୨୨ ତରିଖରୁ ଲକଡାଉନ ଆରମ୍ଭ ହୋଇ ବଢି ବଢ଼ି ଚାଲିଛି । ବର୍ତ୍ତମାନ କଳାକାରମାନେ ନିଜ ଜୀବିକା ହରାଇ ବସିଛନ୍ତି। କାମ କରିଥିବା ବକେୟା ପାରିଶ୍ରମିକ ପଇସା ସଂପୃକ୍ତ ବିଭାଗ ପଠାଉ ନଥିବାରୁ କାଳାକାରମାନେ ପରିବାର ପ୍ରତିପୋଷଣରେ ଅସୁବିଧା ହେଉଥିବା ପ୍ରକାଶ କରିଛନ୍ତି । ଏଣୁ ଜିଲ୍ଲା କଳାକାର ସଂଘ ଅସନ୍ତୋଷ ବ୍ୟକ୍ତ କରି ଆଗାମି ୭ ଦିନ ମଧ୍ୟରେ ପ୍ରାପ୍ୟ ପ୍ରଦାନ ନକଲେ ଲକଡାଉନ ନିୟମ ଭଙ୍ଗ କରି ପଞ୍ଚାୟତରାଜ ବିଭାଗ ବିରୁଦ୍ଧରେ ଆନ୍ଦୋଳନ କରିବେ ବୋଲି ମତବ୍ୟକ୍ତ କରିଛନ୍ତି । କଳାକାର ମାନେ ହେଲେ ଅମୁଲ୍ୟ କୁମାର ମୁଣ୍ଡ, ରାଧେଶ୍ୟାମ ବିଶି, ଡୋଲାମଣି ଦଣ୍ଡସେନା, ଦିନେଶ ମାଝୀ, ଉପେନ୍ଦ୍ର ସଲମା , ଜଗତରାମ ନାଗ, ଶୁକ୍ରୁ ସାଗର, ଧବଲେ ସାଗର , କଦାରଚନ ସୁନାନୀ ପ୍ରମୁଖ ୪୫ ଗୋଟି ଦଳ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ସଜବାଜ ହୋଇଛନ୍ତି ।

ସମ୍ବନ୍ଧିତ ଖବର