ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି। ବିଜେପିରୁ ଜୟ ଢୋଲକିଆ, କଂଗ୍ରେସରୁ ଘାସିରାମ ମାଝୀ ଓ ବିଜେଡିରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରାଯାଇଛି। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆପଡ଼ା ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗଦାନ କରିବା ସହ ବିଜେପିର ପ୍ରଚାର ଆରମ୍ଭ କରିଛନ୍ତି। କଂଗ୍ରେସ ମଧ୍ୟ ବିଭିନ୍ନ ଗ୍ରାମରେ କାର୍ଯ୍ୟକ୍ରମ କରୁଛି। ଅନ୍ୟପକ୍ଷରେ ନୂଆପଡ଼ା ସହରାଞ୍ଚଳରେ ଗୋଟିଏ ଦିନ ପଦଯାତ୍ରା କରି ବିଜେଡି ଚୁପ୍‌ ରହିଛି। ନିର୍ବାଚନୀ ପ୍ରସ୍ତୁତି ନେଇ ବିଜେଡି ଏଯାଏଁ ପାଗ ଭିଡ଼ି ପାରିନଥିବା ଦେଖାଯାଉଛି। ନିର୍ବାଚନ ପୂର୍ବରୁ ବିଜେଡିର ଛାମୁଆ ନେତାମାନଙ୍କ ‌ଦଳ ଡିଆଁ ନୂଆପଡ଼ା ରାଜନୀତିକୁ ଉଷ୍ମ କରିଦେଇଛି। ତିନି ଦଳ ଭିତରେ ଛକାପଞ୍ଝା ଜୋର୍‌ଦାର ଚାଲିଛି। 

Advertisment

ଉପନିର୍ବାଚନରେ ବିଜେଡି ନିଜର ଗଡ଼ ବଜାୟ ରଖିବାକୁ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ପ୍ରାର୍ଥୀ କରିବା ଲାଗି ନିଷ୍ପତ୍ତି ନେଇଥିଲା। କିନ୍ତୁ ଜୟ ବିଜେପିକୁ ଚାଲିଗଲା ପରେ ବିଜେଡି ବେଶ୍‌ କିଛିଦିନ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ ଲାଗିଲା। ଶେଷରେ କୌଣସି ସ୍ଥାନୀୟ ପ୍ରାର୍ଥୀଙ୍କ ଉପରେ ଭରସା ନ କରି ଅତାବିରା ନିର୍ବାଚନମଣ୍ଡଳୀର ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ବିଜେଡିର ଏହି ପ୍ରାର୍ଥୀ ଚୟନ ବେଶ୍‌ ରହସ୍ୟଜନକ ଥିଲା ବେଳେ ସ୍ଥାନୀୟ ବିଜେଡିରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଜଣଙ୍କ ପରେ ଜଣେ ନେତା ବିଜେଡି ଛାଡ଼ୁଛନ୍ତି। ଏହାର ସୁଯୋଗ ନେଇ କଂଗ୍ରେସ ଓ ବିଜେପି ଏହି ବିଜେଡି ଗଡ଼ରେ ଧସେଇ ପଶିବାକୁ ଉଦ୍ୟମ କରୁଛନ୍ତି। ତିନି ଦଳର ପ୍ରାର୍ଥୀ ଘୋଷଣା ପରେ ଆଜି ଏକ ବଡ଼ ଧରଣର ଦଳ ଅଦଳବଦଳ ଦେଖିବାକୁ ମିଳିଛି। ୨୦୨୪ ସାଧାରଣ ନିର୍ବାଚନରେ କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ବିଜେଡିରୁ ପ୍ରାର୍ଥୀ ହୋଇଥିବା ଲମ୍ବୋଧର ନିଆଲ ଦଳର ପ୍ରାଥମିକ ସଦସ୍ୟତା ସହ ଦଳୀୟ ପଦବିରୁ ଇସ୍ତଫା ଦେଇଛନ୍ତି। ଆଜି ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିଜର ଶତାଧିକ ସମର୍ଥକଙ୍କ ସହ ଆନୁଷ୍ଠାନିକ ଭାବେ ସେ ବିଜେପିରେ ସାମିଲ ହୋଇଛନ୍ତି। ଏହା ବାଦ୍ ନୂଆପଡ଼ା ଓ କୋମନା ବ୍ଲକ୍‌ର ପ୍ରାୟ ୫୫ ଜଣ ସରପଞ୍ଚ ଏବଂ ସମିତିସଭ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଶ୍ରୀ ନିଆଲ ଓ ତାଙ୍କ ସମର୍ଥକଙ୍କ ଯୋଗଦାନ ଫଳରେ ନୂଆପଡ଼ା ବିଜେପି ଅଧିକ ଶକ୍ତିଶାଳୀ ହୋଇଥିବା ରାଜ୍ୟ ସଭାପତି ମନମୋହନ ସାମଲ କହିବା ସହ ସମସ୍ତଙ୍କୁ ଦଳୀୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ସ୍ୱାଗତ କରିଥିଲେ। 

ବିଜେଡି ଛାଡ଼ିଲେ ଲମ୍ବୋଦର ନିଆଲଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ
ଦଳଡିଆଁକୁ ନେଇ ଛକାପଞ୍ଝା ଜୋର୍‌ଦାର
ଭାନୁପ୍ରତାପଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କଲା ବିଜେଡି 
ବିଜେଡିର ୫୨ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ବ

ଏହି ମିଶ୍ରଣ ନୂଆପଡ଼ା ରାଜନୀତିକୁ ଆହୁରି ରୋଚକ କରିଦେଇଛି। ବିଜେଡି ପକ୍ଷରୁ ନିଜର ନେତାମାନଙ୍କ ବୁଝାସୁଝା କରିବାକୁ ରାଜଧାନୀରୁ ନୂଆପଡ଼ା ଯାଏଁ ବେଶ୍‌ କସରତ କରାଯାଇଥିଲେ ବି ତାହା ବିଶେଷ ଫଳପ୍ରଦ ହୋଇ ନାହିଁ। ବିଜେଡିର ବରିଷ୍ଠ ନେତାମାନଙ୍କୁ ନୂଆପଡ଼ାର ନେତାମାନେ ଧରାଛୁଆଁ ଦେଉନାହାନ୍ତି। ସେମାନଙ୍କ ଫୋନ୍ ବି ଉଠାଉ ନାହାନ୍ତି। ଆଜି ବହୁ ସରପଞ୍ଚ, ସମିତି ସଭ୍ୟ ବିଜେପିରେ ମିଶିଥିଲା ବେଳେ ଆଗକୁ ଆହୁରି ନେତା ମଧ୍ୟ ଶାସକ ଦଳକୁ ଯିବାର ଯୋଜନା ରହିଛି। ସ୍ଥିତି ବିଗୁଡ଼ୁଥିବା ଦେଖି ୫୨ ଜଣ ନେତାଙ୍କୁ ଦୁଇ ବ୍ଲକ୍‌ ଓ ଦୁଇ ଏନ୍‌ଏସି ପାଇଁ ଦାୟିତ୍ବ ଦିଆଯାଇଛି। ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, ଅତନୁ ସବ୍ୟସାଚ୍ଚୀ ନାୟକ, ପ୍ରଣବ ପ୍ରକାଶ ଦାସ, ପ୍ରତାପ ଦେବ, ପ୍ରୀତିରଞ୍ଜନ ଘଡ଼ାଇଙ୍କ ପରି ବରିଷ୍ଠ ନେତାମାନେ ଏହି ତାଲିକାରେ ରହିଛି। ଏମାନେ ତୁରନ୍ତ ନିର୍ବାଚନମଣ୍ଡଳୀକୁ ଯାଇ ରଣନୀତି ଜୋର୍‌ଦାର କରିବାକୁ କୁହାଯାଇଛି। ପୂର୍ବରୁ ଷ୍ଟିୟରିଂ କମିଟି ଓ ଜୋନାଲ୍‌ କମିଟି ଗଢ଼ାଯାଇଥିଲେ ବି ତାହା ଆପାତତଃ ପ୍ରଭାବଶୂନ୍ୟ ହୋଇ ରହିଛି। ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରାର୍ଥିତ୍ବକୁ ଠିକ୍ ଓ ଯୁକ୍ତିଯୁକ୍ତି ଢଙ୍ଗରେ ପ୍ରଚାର କରିବା ସହ କର୍ମୀ ଓ ନେତାମାନଙ୍କୁ କିପରି ଅଟକାଇ ହେବ, ସେ ଦିଗରେ ଦଳ ରଣନୀତି ଚଳାଇଛି। 

ଅପରପକ୍ଷରେ ବରିଷ୍ଠ ଆଦିବାସୀ ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ଭାନୁ ପ୍ରତାପ ସିଂହ ମାଝୀଙ୍କ ଉପରୁ ବହିଷ୍କାର ଆଦେଶକୁ ପ୍ରତ୍ୟାହାର କରିନେଇଛି ବିଜେଡି। ଗତ ବର୍ଷ ତାଙ୍କୁ ଦଳରୁ ବହିଷ୍କାର କରାଯାଇଥିଲା। ବହିଷ୍କାର ପ୍ରତ୍ୟାହାର ପରେ ଶଙ୍ଖ ଭବନଠାରେ ଶ୍ରୀ ମାଝୀଙ୍କୁ ଦଳ ତରଫରୁ  ଭବ୍ୟ ସ୍ୱାଗତ କରାଯାଇଛି। ଏହି ଅବସରରେ ଶ୍ରୀ ମାଝୀ ତାଙ୍କ ବକ୍ତବ୍ୟରେ କହିଥିଲେ, ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ ନବୀନ ବାବୁଙ୍କ ନେତୃତ୍ୱରେ ମୁଁ ବହୁଦିନ ଧରି ପ୍ରଥମେ ଜନତା ଦଳ ଏବଂ ପରେ ବିଜୁ ଜନତା ଦଳରେ କାର୍ଯ୍ୟ କରିଆସୁଛି। ଦଳରୁ ବହିଷ୍କୃତ ହୋଇଥିଲେ ମଧ୍ୟ କୌଣସି ଅନ୍ୟ ଦଳରେ ଯୋଗ ଦେଇ ନାହିଁ। ଆଜି ବହିଷ୍କାର ଆଦେଶ ପ୍ରତ୍ୟାହୃତ ହେବା ପରେ ମୁଁ ମୋର ନିଜ ଘରକୁ ଫେରି ଆନନ୍ଦିତ। ବର୍ତ୍ତମାନ ନୂଆପଡ଼ା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ବିପୁଳ ବିଜୟ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବୁ। ଗତକାଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ନବୀନ ନିବାସରେ ସ୍ନେହାଙ୍ଗିନୀଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ ଘୋଷଣା କଲା ବେଳେ ଭାନୁପ୍ରତାପ ସେଠାରେ ଉପସ୍ଥିତ ଥିଲେ। କିନ୍ତୁ ଦଳରୁ ତାଙ୍କ ବହିଷ୍କାର ଆଦେଶ ପ୍ରତ୍ୟାହାର କରାଯାଇ ନଥିଲା।