ନୂଆପଡ଼ା: ନୂଆପଡ଼ା ବ୍ଲକ ପତୋରା ଅପର ଜୋଙ୍କ ପାଣି ଆବଣ୍ଟନ ବିବାଦ ତେଜିବାରେ ଲାଗିଛି। ଉପରମୁଣ୍ଡର ଚାଷୀ ଜିରୋଠାରୁ ପାଣି ଦେବାକୁ ଦାବି କରି ଆଜିକୁ ୧୧ଦିନ ହେଲା ପତୋରା ଡ୍ୟାମରେ ଧାରଣାରେ ବସିଛନ୍ତି। ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ତଳମୁଣ୍ଡକୁ ପାଣି ଛାଡ଼ିବାରେ ବିଳମ୍ବ କରୁଥିବାରୁ ତଳମୁଣ୍ଡ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଯାହାକୁ ନେଇ ବୁଧବାର ସକାଳେ ତଳମୁଣ୍ଡ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଜାତୀୟ ରାଜପଥ ୩୫୩ ସିଲଦା ଛକରେ ଗଛ ପକାଇ ରାସ୍ତା ଅବରୋଧ କରିଥିଲେ। ୫ ଘଣ୍ଟା ଧରି ରାସ୍ତା ଅବରୋଧ କରିବା ପରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଆଲୋଚନା କରିଥିଲେ। ଆସନ୍ତା ୧୪ ତାରିଖ ଭିତରେ ତଳମୁଣ୍ଡକୁ ପାଣି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ରାସ୍ତାରୁ ହଟିଥିଲେ।

Advertisment

ପ୍ରକାଶ ଯେ, ଗତ ଜାନୁଆରି ୧ ତାରିଖ ରବି ଚାଷ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରକଳ୍ପରୁ ତଳମୁଣ୍ଡକୁ ପାଣି ଛଡ଼ାଯାଇଥିଲା। ଏହାକୁ ବିରୋଧ କରି ଉପରମୁଣ୍ଡ ଚାଷୀ ଜିରୋ ହେଡରୁ ପାଣି ଛାଡ଼ିବାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ। ପତୋରା ମୁଖ୍ୟ କେନାଲରୁ ପାଣି ବନ୍ଦ କରି ଧାରଣାରେ ବସିଥିଲେ। ଫଳରେ ଅପର ଜୋଙ୍କ ପାଣି ଆବଣ୍ଟନକୁ ନେଇ ଉପରମୁଣ୍ଡ ଓ ତଳମୁଣ୍ଡ ମଧ୍ୟରେ ବିବାଦ ତେଜିବାରେ ଲାଗିଥିଲା। ତଳମୁଣ୍ଡ ଚାଷୀ ଆଜି ରାଜପଥ ଅବରୋଧ କରି ଆନ୍ଦୋଳନ କରିଥିଲେ। ତୁରନ୍ତ ପାଣି ଯୋଗାଇବାକୁ ଚାଷୀନେତା ରାଜେଶ ନିଗମ, ପ୍ରମୋଦ ସାହୁ, ପ୍ରେମଲାଲ ନାଏକ, ମନୋଜ ସାହୁ, ପବନ ସାହୁ ପ୍ରମୁଖ ଚାଷୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ। ଉପଜିଲ୍ଲାପାଳ ରାମଚନ୍ଦ୍ର ଖଡ଼ିଆ, ନୂଆପଡ଼ା ତହସିଲଦାର ଦେବେନ୍ଦ୍ର ରାଉତ, ଅତିରିକ୍ତ ତହସିଲଦାର ମୋହନ ମୁଣ୍ଡ ଆନ୍ଦୋଳନରତ ଚାଷୀଙ୍କୁ ବୁଝାସୁଝା କରିଥିଲେ। ଏସ୍‌ଡିପିଓ ପ୍ରଶାନ୍ତ ପଟ୍ଟନାୟକ, ନୂଆପଡ଼ା ଆଇଆଇସି ନିର୍ମଳ ପାଣିଗ୍ରାହୀ, ଜୋଙ୍କ ଆଇଆଇସି କୈଳାସ ଚନ୍ଦ୍ର ସେଠୀ ଆନ୍ଦୋଳନ ସ୍ଥଳରେ ପହଞ୍ଚି ଆଇନ ଶୃଙ୍ଖଳା ସ୍ଥିତି ଉପରେ ନଜର ରଖିଥିଲେ। ପରେ ଉପଜିଲ୍ଲାପାଳ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ଆସନ୍ତା ୧୪ ତାରିଖ ଭିତରେ ତଳମୁଣ୍ଡକୁ ପାଣି ଦେବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା।