ନୂଆପଡ଼ା, ଅତାବିରା ଓ ହିନ୍ଦୋଳ ଏନ୍‌ଏସି ନିର୍ବାଚନ ମାମଲା: ଆସନ୍ତା ସପ୍ତାହରେ ଶୁଣାଣି, ରହିତାଦେଶ ବଳବତ୍ତର

କଟକ : ନୂଆପଡା, ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ବିଭିନ୍ନ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଘଂନ ହୋଇଥିବା ଦର୍ଶାଇ ରୁଜୁ ୩ଟି ପୃଥକ ମାମଲାର ହାଇକୋର୍ଟରେ ଆସନ୍ତା ସୋମବାର ଦିନ ପୂର୍ଣ୍ଣାଙ୍ଗ ଶୁଣାଣି ହେବ। ନୂଅପାଡା ଏନ୍‌ଏସି ସଂପର୍କିତ ମାମଲାରେ ସରକାରଙ୍କ ପକ୍ଷରୁ ହାଇକୋର୍ଟରେ ଜବାବ ଦାଖଲ କରାଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ସତ୍ୟପାଠ ଦାଖଲ କରାଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ପ୍ରତିଜବାବ ଦାଖଲ ପାଇଁ ଆବେଦନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ମାର୍ଚ୍ଚ ୬ ତାରିଖରେ ନୂଆପଡା ଏନ୍‌ଏସିର ନିର୍ବାଚନ ଉପରେ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନୂଅପାଡା ଏନଏସି ସଂପର୍କତ ମାମଲା ସହିତ ସମାନ ପ୍ରସଂଗକୁ ନେଇ ରୁଜୁ ଅତାବିରା ଓ ହିନ୍ଦୋଳ ଏନଏସି ମାମଲାର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ଓ ନିର୍ବାଚନ କମିସନଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର