ନୂଆପଡ଼ା, ଅତାବିରା ଓ ହିନ୍ଦୋଳ ଏନ୍‌ଏସି ନିର୍ବାଚନ ମାମଲା : ନିର୍ବାଚନ କମିସନଙ୍କ ଅତିରିକ୍ତ ସତ୍ୟପାଠ ଦାଖଲ

କଟକ : ନୂଆପଡ଼ା, ଅତାବିରା ଓ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ବିଭିନ୍ନ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଆଇନ ଉଲ୍ଲଂଘନ ହୋଇଥିବା ଦର୍ଶାଇ ରୁଜୁ ୩ଟି ପୃଥକ ମାମଲାର ଆସନ୍ତା ସପ୍ତାହରେ ଏକତ୍ର ଶୁଣାଣି ହେବ। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ୩ଟି ମାମଲାର ଶୁଣାଣି ସମୟରେ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ସ୍ୱତନ୍ତ୍ର ସଚିବ ଅଶୋକ କୁମାର ଦାସ ଅତିରିକ୍ତ ସତ୍ୟପାଠ ଦାଖଲ କରିଥିଲେ। ନୂଆପଡା ସହିତ ଅତାବିରା ଓ ହିନ୍ଦୋଳ ଏନଏସିର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ପ୍ରସଂଗରେ ଚୂଡାନ୍ତ ନିଷ୍ପତ୍ତି ନେଇ ନୂଆପଡା, ବରଗଡ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲାପାଳମାନେ ୨୦୧୭, ଅକ୍ଟୋବର ୧ ସୁଦ୍ଧା ବିଜ୍ଞପ୍ତି ଜାରି କରିଥିଲେ। ଏପରି ବିଜ୍ଞପ୍ତିକୁ ଆଧାର କରି ୨୦୧୮, ଫେବ୍ରୁଆରି ୨୬ରେ ରାଜ୍ୟ ସରକାର ଏହି ୩ଟି ଏନଏସି ନିର୍ବାଚନ ସଂପର୍କରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏହା ପରେ ନିର୍ବାଚନ ପ୍ରକ୍ରିୟା ସଂପର୍କରେ ମାର୍ଚ୍ଚ ୬ରେ ନିର୍ବାଚନ କମିସନ୍‌ଙ୍କ ପକ୍ଷରୁ ଗେଜେଟ ନୋଟିଫିକେସନ୍‌ ପ୍ରକାଶ ପାଇଥିଲା।

ନୂଆପଡା, ଅତାବିରା ଓ ହିନ୍ଦୋଳ ଏନଏସିର ନିର୍ବାଚନ ତାରିଖ, ପ୍ରାର୍ଥୀପତ୍ର ଦାଖଲ, ପ୍ରତ୍ୟାହାର ଓ ଭୋଟ ଗ୍ରହଣ ସହ ଗଣତି ପାଇଁ ତାରିଖ ମଧ୍ୟ ଧାର୍ଯ୍ୟ କରି ବିଜ୍ଞପ୍ତି ପ୍ରକାଶ କରିଥିଲେ କମିସନ୍‌। ଏପ୍ରିଲ ୧୨ ତାରିଖ ସୁଦ୍ଧା ଏହି ୩ଟି ଏନଏସିର ନିର୍ବାଚନ ସାରିବ ବୋଲି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା। ୨୦୧୮, ମାର୍ଚ୍ଚ ୬ରେ ନୂଆପଡା, ଅତାବିରା ଓ ହିନ୍ଦୋଳ ଏନଏସିର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି ବୋଲି ଅତିରିକ୍ତ ସତ୍ୟପାଠରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଏହି ମାମଲାରେ ସରକାରଙ୍କ ପକ୍ଷରୁ ଜବାବ ଦାଖଲ କରାଯାଇଛି। ଏଥି ସହିତ ଆବେଦନକାରୀଙ୍କ ତରଫରୁ ନିର୍ବାଚନ କମିସନଙ୍କ ଜବାବ ପରେ ଆଜି ପ୍ରତିଜବାବ ଦାଖଲ କରାଯାଇଛି। ସମସ୍ତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ମାର୍ଚ୍ଚ ୬ ତାରିଖରେ ନୂଆପଡା ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି)ର ନିର୍ବାଚନ ଉପରେ ହାଇକୋର୍ଟ ଜାରି କରିଥିବା ଅନ୍ତରୀଣ ରହିତାଦେଶ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବଳବତ୍ତର ରହିଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ, ପୁଷ୍ପରାଜ ଭରଦ୍ୱାଜ ଓ ନିର୍ବାଚନ କମିସନଙ୍କ ତରଫରୁ ଆଇନଜୀବୀ ବିଜୟ କୁମାର ଦାଶ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟର ନୂଆପଡା, ଅତାବିରା ଓ ହିନ୍ଦୋଳ ଏନଏସିର ନିର୍ବାଚନ ସଂପର୍କରେ ନିକଟରେ ଘୋଷଣା କରାଯାଇଥିଲା। ଏପ୍ରିଲ ୩ରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରାଯାଇଥିବା ବେଳେ ପ୍ରଥମେ ନୂଆପଡା ଏନଏସି ସଂପର୍କିତ ମାମଲା ମହେଶ କୁମାର ନିଆଳଙ୍କ ପକ୍ଷରୁ ଦାୟର ହୋଇଥିଲା। ଏହା ପରେ ସମାନ ଅଭିଯୋଗକୁ ନେଇ ଅତାବିରାର ସିଦ୍ଧାର୍ଥ ଶଙ୍କର ପଣ୍ଡା ଓ ହିନ୍ଦୋଳର ଗୋବିନ୍ଦ ଚନ୍ଦ୍ର ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ସବୁ ମାମଲାରେ ଦର୍ଶାଯାଇଛି ଯେ ଏହି ତିନୋଟି ଏନଏସି ନିର୍ବାଚନ ପୂର୍ବରୁ ୱାର୍ଡର ପୁନର୍ଗଠନ ଓ କାଉନସିଲର ପଦବିର ସଂରକ୍ଷଣକୁ ନେଇ ସଂପୃକ୍ତ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ। ପରବର୍ତ୍ତୀ ସମୟରେ ଗତ ଜାନୁଆରି ୧୮ରେ ପୌର ନିର୍ବାଚନ ଆଇନରେ ସଂଶୋଧନ ଆଣିଥିଲେ ସରକାର। ପୂର୍ବରୁ ଏନଏସିର ଦୁଇଟି କାର୍ଯ୍ୟକାଳ ପାଇଁ ସ୍ଥାନ ସଂରକ୍ଷଣ ବଳବତ୍ତର ରହୁଥିବା ବେଳେ ଏହି ସଂଶୋଧନ ଆଇନ ଜରିଆରେ ସରକାର ପ୍ରତି ନିର୍ବାଚନ ସମୟରେ ସ୍ଥାନ ସଂରକ୍ଷଣ କ୍ଷେତ୍ରରେ ପରିବର୍ତ୍ତନ ହୋଇ ପାରିବ ବୋଲି ନିୟମ କରିଥିଲେ। ଏହା ପରେ ରାଜ୍ୟ ସରକାର ରାଜ୍ୟ ନିର୍ବାଚନ କମିସନରଙ୍କୁ ଏ ନେଇ ଚିଠି ଲେଖି ଜଣାଇଥିଲେ ଯେ ଏହି ସବୁ ଏନଏସିରେ ସଂଶୋଧିତ ଆଇନ ଅନୁସାରେ ଓ୍ଵାର୍ଡ ସଂରକ୍ଷଣ ଓ ପୁନର୍ଗଠନ କରାଯାଇ ନାହିଁ। କିନ୍ତୁ ନିର୍ବାଚନ କମିସନ ଏ ପ୍ରସଂଗରେ କିଛି ପଦକ୍ଷେପ ନେଇ ନଥିଲେ।

ପୂର୍ବରୁ ଜିଲ୍ଲାପାଳ ପ୍ରକାଶ କରିଥିବା ବିଜ୍ଞପ୍ତି ଆଧାରରେ ଏନଏସି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି ପାଇଁ ନିର୍ବାଚନ କମିସନର ନିଷ୍ପତ୍ତି ନେଇଥିଲେ। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ସଂଶୋଧିତ ଆଇନ ଅନୁସାରେ ଏନଏସିର ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣ କରାଯାଇ ନଥିଲା। ସଂଶୋଧନ ପୂର୍ବରୁ ଏ ପ୍ରସଂଗରେ ଜିଲ୍ଲାପାଳ ବିଜ୍ଞପ୍ତି ଜାରି କରିଥିଲେ। ଏପରି ପରିସ୍ଥିତିରେ ନୂଆ ସଂଶୋଧିତ ଆଇନ ଅନୁସାରେ ଓ୍ଵାର୍ଡ ପୁନର୍ଗଠନ ଓ ସଂରକ୍ଷଣ ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଆବେଦନରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର