ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏଯାଏଁ ବିଜେଡି ପ୍ରାର୍ଥୀ ଘୋଷଣା କରିନାହିଁ। ସୋମବାର ଖରିଆର ରୋଡ୍‌ ଗଣପତି ହୋଟେଲ୍‌ରେ ବିଜେଡି ପକ୍ଷରୁ ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଦଳର ତୁଙ୍ଗନେତାମାନେ ଉପସ୍ଥିତ ରହିଥି‌ଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖୁବ୍‌ଶୀଘ୍ର ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିବେ। ନୂଆପଡ଼ାରୁ ବିଜେଡି ଯାହାକୁ ବି ପ୍ରାର୍ଥୀ କରିବ ତାଙ୍କୁ ସମର୍ଥନ କରି ଏହି ନିର୍ବାଚନ ଲଢ଼ିବାକୁ ହେବ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା। ଟଙ୍କା ଲୋଭରେ ବିଜେଡି ଛାଡ଼ି ଜୟ ଢୋଲକିଆ ବିଜେପିକୁ ଯାଇଛନ୍ତି। ଏହି ନିର୍ବାଚନରେ ତାଙ୍କୁ ଭୋଟରମାନେ ଉଚିତ ଜବାବ ଦେବେ। ଏହି ଉପନିର୍ବାଚନରେ ଜଣେ ଲଢ଼ୁଆ ନେତାଙ୍କୁ ଦଳ ପ୍ରାର୍ଥୀ କରିବା ସହ ଉପନିର୍ବାଚନରେ ବିଜେଡି ସୁନିଶ୍ଚିତ ବିଜୟୀ ହେବ ବୋଲି ନେତାମାନେ କହିଥିଲେ। ବିଜେଡି ସରକାର ସମୟରେ ନୂଆପଡ଼ାକୁ କୋଟି କୋଟି ଟଙ୍କା ଅନୁଦାନ ଆସିଥିବା ବେଳେ ନୂଆପଡ଼ା ବିକାଶ ଧାରାରେ ପରିବର୍ତ୍ତନ ହୋଇଛି। ବିଜେପି ସରକାର କେବଳ ରଙ୍ଗମାରି ରାଜନୀତି କରୁଛି। ଉପନିର୍ବାଚନ ହେବ ଜାଣି ନୂଆପଡ଼ା ଜିଲ୍ଲାକୁ ୧୧୦୦ କୋଟି ଟଙ୍କା ଦେଇଥିବା କହି ମିଥ୍ୟା ପ୍ରଚାର କରୁଛି ବୋଲି ନେତାମାନେ କହିଥିଲେ। ଜୟଙ୍କୁ ବିଜେପି ପ୍ରାର୍ଥୀ କଲେ ମଧ୍ୟ ବିଜେଡି ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ନେତାମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। 

Advertisment

ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଷୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବିଜେଡି ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ମନ୍ତ୍ରୀ ଟୁକୁନୀ ସାହୁ, ସଞ୍ଜୟ ଦାସବର୍ମା, ପଦ୍ମପୁର ବିଧାୟିକା ବର୍ଷାରାଣୀ ବରିହା, ପ୍ରଦୀପ ମାଝୀ, ନୂଆପଡ଼ା ପର୍ଯ୍ୟବେକ୍ଷକ ବିଜୟ ନାଏକ, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ବରଗଡ଼ ପୂର୍ବ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡି ସାଧାରଣ ସମ୍ପାଦକ ଲମ୍ବୋଧର ନିଆଲ ଓ ଜିଲ୍ଲା ପରିଷଦ ଉପସଭାପତି ଦୀପିକା ଦୀପ ଉପସ୍ଥିତ ଥିଲେ।

ଜଣେ ମହିଳାଙ୍କ ସମେତ ୪ ଜଣ ଦୌଡ଼ରେ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ସୋମବାରଠାରୁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ ବିଜେଡି ପ୍ରାର୍ଥୀ ଘୋଷଣା କରି ନାହିଁ। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ବିଜେପିରେ ମିଶିବା ପରେ ବିଜେଡିର ଅଡ଼ୁଆ ବଢ଼ିଯାଇଛି। ପ୍ରାର୍ଥୀ ଚୟନ ପାଇଁ ଭୁବନେଶ୍ବର ନବୀନ ନିବାସରେ ବୈଠକ ଚାଲିଛି। ହେଲେ ପ୍ରାର୍ଥୀ ଚୟନ ସ୍ପଷ୍ଟ ହୋଇପାରୁ ନାହିଁ। ତେବେ ଜଣେ ମହିଳାଙ୍କ ସମେତ ୪ ଜଣ ପ୍ରାର୍ଥୀ ହେବା ଦୌଡ଼ରେ ଥିବା ଚର୍ଚ୍ଚା ହେଉଛି। ନୂଆପଡ଼ା ନିର୍ବାଚନ ଦାୟିତ୍ବର ଥିବା ରାଜ୍ୟସ୍ତରୀୟ ତୁଙ୍ଗ ନେତାମାନେ ନୂଆପଡ଼ାରେ ଡେରା ପକାଇ ପ୍ରାର୍ଥୀ ଖୋଜୁଛନ୍ତି। ନୂଆପଡ଼ା ବିଜେଡି ସଭା‌ନେତ୍ରୀ ବିନ୍ଧ୍ୟେଶ୍ବରୀ ସାହୁ, ନୂଆପଡ଼ା ଏନ୍‌ଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ବିଜେଡି ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର ଓ ଆଦିବାସୀ କଲ୍ୟାଣ ସଂଘ ସଭାପତି ଭାନୁ ପ୍ରତାପ ସିଂ ମାଝୀ ଦୌଡ଼ରେ ଥିବା ଜଣାଯାଇଛି। ଅନ୍ୟପକ୍ଷରେ ବିଜେପିର କିଛି ଅସନ୍ତୁଷ୍ଟ ନେତା ମଧ୍ୟ ବିଜେଡି ପ୍ରାର୍ଥୀ ହେବା ପାଇଁ ଲବି ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। ଦଳ ସମସ୍ତେ ଗ୍ରହଣ କଲା ଭଳି ପ୍ରାର୍ଥୀଙ୍କ ସନ୍ଧାନରେ ଥିବା ଚର୍ଚ୍ଚା ହେଉଛି। କିନ୍ତୁ କୌଣସି ପ୍ରାର୍ଥୀଙ୍କ ନାମରେ ମୋହର ଲାଗିପାରି ନାହିଁ। ତେବେ ଯାହାକୁ ପ୍ରାର୍ଥୀ କଲେ ମଧ୍ୟ ନୂଆପଡ଼ା ଉପନିର୍ବାଚନରେ ବିଜେଡି ବିଜୟୀ ହେବ ବୋଲି ବିଜେଡି ରାଜ୍ୟ ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।