ନୂଆପଡ଼ା: ନର୍ବାଚନ ତାରିଖ ଘୋଷଣା ହେବା ପରଠାରୁ କମ୍ପୁଥିବା ନୂଆପଡ଼ା ଏବେ ନିରବ ହୋଇଯାଇଛି। ଦିନକ ପରେ ମତଦାନ ହେବାକୁ ଯାଉଥିବାରୁ ନିର୍ବାଚନ କମିସନଙ୍କ ନିୟମ ଅନୁସାରେ ରବିବାର ସନ୍ଧ୍ୟାରୁ ପ୍ରଚାର ବନ୍ଦ ହୋଇଯାଇଛି। ଡେରା ପକାଇଥିବା ବାହାର ନେତା ଓ କର୍ମୀମାନେ ବି ନୂଆପଡ଼ା ଛାଡ଼ିଛନ୍ତି। ପ୍ରଶାସନ ପକ୍ଷରୁ ନିରବ ଅବଧି କଟକଣା ଲାଗୁ ହୋଇଛି। ଏହି ସମୟରେ ସମସ୍ତ ପ୍ରକାର ପ୍ରଚାର ପ୍ରସାର ଉପରେ କଟକଣା ଲଗାଯାଇଛି। ଯିଏ ନିୟମ ଭଙ୍ଗ କରିବ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ଏହି ନିରବ ଅବଧି ସବୁ ଦଳ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ। ବାହାରୁ ଯାଇଥିବା ନେତା ନିର୍ବାଚନମଣ୍ଡଳୀ ଛାଡୁଥିବାରୁ ସ୍ଥାନୀୟ ନେତାଙ୍କ ଉପରେ ନିର୍ଭର କରୁଛି ପ୍ରାର୍ଥୀଙ୍କ ବିଜୟ। ସ୍ଥାନୀୟ ନେତା କିଛି ଗଡ଼ବଡ଼ କଲେ ପୂରା ଗଣିତ ବଦଳିଯିବା ଆଶଙ୍କା ରହିଛି।

Advertisment

ନୂଆପଡ଼ା ଛାଡ଼ିଲେ ବାହାର ଜିଲ୍ଲାର ନେତା, ଏବେ ଅନ୍ଧାରିବିଜେ

ମତଦାନକୁ ସୁରୁଖୁରରେ ସାରିବା ପାଇଁ ପ୍ରଶାସନ ପକ୍ଷରୁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇଛି। ଇଭିଏମ୍‌ଗୁଡ଼ିକର ଯାଞ୍ଚ କରାଯାଉଛି। ଇଭିଏମ୍‌ରେ କେମିତି ମତଦାନ କରାଇବେ ପୋଲିଂ ଅଧିକାରୀଙ୍କୁ ତାଲିମ ଦିଆଯାଇଛି। ସୋମବାର ବୁଥ୍‌ ଅଭିମୁଖେ ବାହାରିବେ ପୋଲିଂ ପାର୍ଟି। ସମ୍ବେଦନଶୀଳ ୮ଟି ବୁଥ୍‌କୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରରେ ଯିବେ ପୋଲିଂ ଅଧିକାରୀ ଓ କର୍ମଚାରୀ। ମତଦାନ ଦିନ ଅପରାହ୍ଣ ୫ଟା ଯାଏଁ ଭୋଟିଂ ପ୍ରକ୍ରିୟା ଜାରି ରହିବ। ସମ୍ବେଦନଶୀଳ ବୁଥରେ ୪ଟା ଯାଏଁ ଭୋଟଗ୍ରହଣ ହେବ। ସେଠାରେ ସଶସ୍ତ୍ର ସୁରକ୍ଷା ବାହିନୀ ଜଗିବେ। ଭୋଟଗ୍ରହଣ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ କହିଛନ୍ତି। ନୂଆପଡ଼ାର ଅଢ଼େଇ ଲକ୍ଷ ଭୋଟର ନେତା ବାଛିବେ। କିନ୍ତୁ ନିର୍ବାଚନ ପ୍ରଚାରରେ ନୂଆପଡ଼ାର ବାସ୍ତବ ସମସ୍ୟାକୁ ନେଇ କମ୍ ଆଲୋଚନା ହୋଇଥିବାରୁ ଲୋକେ କାହାକୁ ଭରସା କରିବେ ତା’ ଉପରେ ନଜର ରହିଛି।