ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ରାଜନୀତି ସରଗରମ ହେବାରେ ଲାଗିଛି। ନୂଆପଡ଼ା ଗସ୍ତରେ ଥିବା ପିସିସି ସଭାପତି ଭକ୍ତଚରଣ ଦାସ ବୁଧବାର କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଉପନିର୍ବାଚନ ଜିତିବା ପାଇଁ ମୁଖ୍ୟମନ୍ତ୍ରୀ ସୋମବାର ନୂଆପଡ଼ା ଗସ୍ତ କରି ୧୧୦୦ କୋଟି ଟଙ୍କା ପ୍ରକଳ୍ପ ଘୋଷଣା କରିଛନ୍ତି। ଖରିଆର ରୋଡ୍‌କୁ ମ୍ୟୁନିସିପାଲିଟି, କୋମନା ଓ ସିନାପାଲିକୁ ଏନ୍‌ଏସି ଘୋଷଣା କରି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇଛନ୍ତି। ଏହି ନିର୍ବାଚନମଣ୍ଡଳୀର ଖରିଆର ରୋଡ୍‌ରେ କିଛି ନିର୍ଦ୍ଦିଷ୍ଟ ବାହାର ଲୋକଙ୍କୁ ଭୋଟର୍‌ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ଭୋଟ ପାଇଁ ବିଜେପି ସମସ୍ତ ସୀମା ଉଲ୍ଲଙ୍ଘନ କରିବା ଆଶଙ୍କା ରହିଛି। ତେଣୁ ରାଜ୍ୟ ନିର୍ବାଚନ କମିସନ ଓ ନିର୍ବାଚନ ଅଧିକାରୀ ଏହାକୁ ଗୁରୁତ୍ବ ଦେଇ ନୂଆପଡ଼ା ଉପନିର୍ବାଚନରେ ଭୋଟ ଚୋରି ରୋକିବା ସହ ନିରପେକ୍ଷ ଭାବେ ନିର୍ବାଚନ କରିବାକୁ ଭକ୍ତ ଦାବି କରିଛନ୍ତି। 

Advertisment

ସେ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ବାରମ୍ବାର ନୂଆପଡ଼ା ଆସୁଛନ୍ତି। ଆଗକୁ ଆହୁରି ଆସିବେ ମଧ୍ୟ। ଲୋକଙ୍କ ପଇସାରେ ନିର୍ବାଚନର ବାତାବରଣ ନଷ୍ଟ କରି କ୍ଷମତାର ଅପବ୍ୟବହାର ନହେଉ। ଭୋଟରମାନେ ଯତ୍ନବାନ ହୋଇ ଗଣତନ୍ତ୍ରର ସୁରକ୍ଷା ଓ ନିଜର ଭବିଷ୍ୟତ ଦେଖି ଉପଯୁକ୍ତ ପ୍ରାର୍ଥୀଙ୍କୁ ବାଛନ୍ତୁ। ଏହି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ଗାଁକୁ ଗାଁ ପଦଯାତ୍ରା କରି ଭୋଟ ମଗାଯିବ। କଂଗ୍ରେସ ସମୟରେ ନୂଆପଡ଼ାର ବହୁ ବିକାଶ ହୋଇଛି। ହେଲେ ବିଜେଡି ଓ ବିଜେପି ସରକାର ସମୟରେ ଚାଷୀ, ବେକାରୀ ସମସ୍ୟା, ନାରୀ ନିର୍ଯାତନା ବଢ଼ିଚାଲିଛି। ବର୍ତ୍ତମାନ ସାର ସମସ୍ୟାକୁ ନେଇ ଚାଷୀମାନେ ବହୁ କଷ୍ଟରେ ଅଛନ୍ତି। ଉପନିର୍ବାଚନରେ ଏହାର ପ୍ରଭାବ ପଡ଼ିବ ବୋଲି ଶ୍ରୀ ଦାସ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷ ସିଂ ସାଲୁଜା, ନୂଆପଡ଼ା ପର୍ଯ୍ୟବେକ୍ଷକ ମୁରଲୀଧର ନାଏକ, କିଷାନ ସେଲ୍ ରାଜ୍ୟ ଉପସଭାପତି ଆଲୋକ ଗୁରୁ, ଯୁବନେତା କମଳଚରଣ ତାଣ୍ଡି, ଜିଲ୍ଲା ସୋସିଆଲ ମିଡିଆ ସଂଯୋଜକ ଦେବଦତ୍ତ ଦୀକ୍ଷିତ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅମିତ ଅହୀର ପ୍ରମୁଖ ଉପସ୍ଥିତ ଥିଲେ।