ଭୁବନେଶ୍ବର/ନୂଆପଡ଼ା: ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପରଲୋକ ପରେ ନଭେମ୍ବର ୧୧ ତାରିଖରେ ଦିନ ନୂଆପଡ଼ା ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏହାକୁ ନେଇ ବିଜେପି, ବିଜେଡି ଓ କଂଗ୍ରେସ ଶିବିର ଚଳଚଞ୍ଚଳ ହୋଇଯାଇଛି। ଆଜି ପ୍ରଥମ ଦଳ ଭାବେ କଂଗ୍ରେସ ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଘାସିରାମ ମାଝୀଙ୍କୁ କଂଗ୍ରେସ ପ୍ରାର୍ଥୀ କରାଯାଇଛି। ବିଜେଡି ପକ୍ଷରୁ ସ୍ବର୍ଗତ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ପ୍ରାର୍ଥୀ ହେବା ଏକପ୍ରକାର ନିଶ୍ଚିତ। କେବଳ ଔପଚାରିକ ଘୋଷଣାକୁ ବାକି ରହିଛି। କିନ୍ତୁ ବିଜେପିର ପ୍ରାର୍ଥୀ ଚୟନକୁ ନେଇ ଛକାପଞ୍ଝା ଜାରି ରହିଛି। ବିଜେପିରେ ଯଦୁମଣି ପାଣିଗ୍ରାହୀ ଓ ପୂର୍ବ ସାଂସଦ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଦଳୀୟ ଟିକଟ ଦୌଡ଼ରେ ରହିଥିବା ଚର୍ଚ୍ଚା ଜୋର ଧରିଛି।
କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ସେ କଂଗ୍ରେସ ଟିକେଟ୍ ପାଇଁ ଦାବିଦାର ଥିଲେ ମଧ୍ୟ ଦଳର ପ୍ରାର୍ଥୀ ହୋଇଥିଲେ ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ। ଫଳରେ ଅସନ୍ତୁଷ୍ଟ ଘାସିରାମ ସ୍ବାଧୀନ ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆଙ୍କ ସହ ଘାସିରାମଙ୍କର ହିଁ କଡ଼ା ମୁକାବିଲା ହୋଇଥିଲା। ଘାସିରାମ ୫୦ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ତତ୍କାଳୀନ ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୧୫ହଜାର ଭୋଟ ପାଇ ଚତୁର୍ଥ ସ୍ଥାନରେ ରହିଥିଲେ। ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ରହିଥିଲେ। ଘାସିରାମ ଏବେ ନୂଆପଡ଼ା ଜିଲ୍ଲା କଂଗ୍ରେସ ସଭାପତି ରହିଛନ୍ତି। ପିସିସି ସଭାପତି ଭକ୍ତଚରଣ ଦାସ ନୂଆପଡ଼ା ଉପନିର୍ବାଚନ ପାଇଁ ଘାସିରାମ ମାଝୀ କଂଗ୍ରେସ ପ୍ରାର୍ଥୀ ହେବେ ବୋଲି ସଙ୍କେତ ଦେଇଥିଲେ।
ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବା ଚୂଡ଼ାନ୍ତ
ବିଜେପି ପ୍ରାର୍ଥୀ ଚୟନ ନେଇ ଛକାପଞ୍ଝା
ଯଦୁମଣି ଓ ଅଭିନନ୍ଦନଙ୍କୁ ନେଇ ଦ୍ବନ୍ଦ୍ବରେ ଶାସକ ଦଳ
ବିଜେପି ପ୍ରାର୍ଥୀ ଚୟନ ନେଇ ଛକାପଞ୍ଝା
ଯଦୁମଣି ଓ ଅଭିନନ୍ଦନଙ୍କୁ ନେଇ ଦ୍ବନ୍ଦ୍ବରେ ଶାସକ ଦଳ
ବିଜେଡି ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରି ନଥିଲେ ମଧ୍ୟ ଜୟ ଢୋଲକିଆଙ୍କୁ ଦଳ ପ୍ରାର୍ଥୀ କରିବାକୁ ସବୁଜ ସଙ୍କେତ ଦେଇସାରିଛି। ଶ୍ରୀ ଢୋଲକିଆ ମଧ୍ୟ ତାଙ୍କ ଲୋକସମ୍ପର୍କ ଅଭିଯାନକୁ ଜୋର୍ଦାର କରିଛନ୍ତି। ବାପା ରାଜେନ୍ଦ୍ରଙ୍କ ସମୟରେ ହୋଇଥିବା ପ୍ରମୁଖ କାର୍ଯ୍ୟଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ବୁଝାଇବା ସହ ସମର୍ଥନ ହାସଲ ପାଇଁ ଚେଷ୍ଟା କରୁଛନ୍ତି। ବିଜେଡି ପକ୍ଷରୁ ତାଙ୍କୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି। ନୂଆପଡ଼ା ନିର୍ବାଚନ ପରିଚାଳନା ପାଇଁ ଖୁବ୍ଶୀଘ୍ର ବିଜେଡିର ଏକ ଟିମ୍ ଗଠନ କରାଯିବା ସହ ଜୟଙ୍କ ନାମ ଘୋଷଣା କରାଯିବ ବୋଲି ସୂଚନା ମିଳିଛି। ବିଜେପି ଶିବିରରେ ପ୍ରାର୍ଥୀ ଚୟନକୁ ନେଇ ଦ୍ବନ୍ଦ୍ବ ରହିଛି। ବିଜେପି ଏବେ ରାଜ୍ୟରେ ଶାସନରେ ଥିବାରୁ ଏହି ଉପନିର୍ବାଚନ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇପଡ଼ିଛି। ତେଣୁ ବେଶ୍ ସତର୍କତାର ସହ ଦଳର ରାଜ୍ୟ ନେତୃତ୍ବ ପ୍ରାର୍ଥୀ ଚୟନ କରିବେ। ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଜେପି ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଏଥର ବି ବିଜେପି ଟିକଟ ଆଶାୟୀ ଅଛନ୍ତି। ୨୦୦୯ରେ ରାଜନୈତିକ ଜୀବନ ଆରମ୍ଭ କରିଥିବା ଅଭିନନ୍ଦନ ୨୦୨୨ରେ ନୂଆପଡ଼ା ଏନ୍ଏସି ଅଧ୍ୟକ୍ଷ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ। ତେବେ ଦଳୀୟ ହାଇକମାଣ୍ଡକୁ ପ୍ରଭାବିତ କରି ପୁଣିଥରେ ପୁଅ ପାଇଁ ଟିକଟ ହାସଲ କରିବାକୁ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ପୂରା ଜୋର୍ ଲଗାଇ ଦେଇଛନ୍ତି। ତେବେ ଅଭିନନ୍ଦନଙ୍କ ବାଟରେ କଣ୍ଟା ସାଜିଛନ୍ତି ବରିଷ୍ଠ ନେତା ଯଦୁମଣି ପାଣିଗ୍ରାହୀ। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଥିବା ଯଦୁମଣି ଗତ ସାଧାରଣ ନିର୍ବାଚନରେ ବି ଦଳୀୟ ଟିକେଟ୍ ପାଇଁ ଆଶାୟୀ ଥିଲେ। ତେବେ ଶେଷ ମୂହୁର୍ତ୍ତରେ ସେ ନିରାଶ ହୋଇଥିଲେ। ଆଦିବାସୀ, ଶ୍ରମିକ, କେନ୍ଦୁପତ୍ର ତୋଳାଳି, ଚାଷୀ ସହ ଅଞ୍ଚଳର ସମସ୍ୟା ନେଇ ସ୍ବର ଉଠାଇ ଆସୁଛନ୍ତି। ଦଳ ବାହାରେ ମଧ୍ୟ ତାଙ୍କର ସ୍ବତନ୍ତ୍ର ଭାବମୂର୍ତ୍ତି ରହିଛି। ଉଲ୍ଲେଖଥାଉକି, ନୂଆପଡ଼ା ଉପନିର୍ବାଚନ ତିନି ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି।