ବଲାଙ୍ଗୀର/ଟିଟିଲାଗଡ଼: ନୂଆପଡ଼ା ଉପନିର୍ବାଚନରେ ସବୁ ରାଜନୈତିକ ଦଳ ନିଜ ବଳ ପରଖିବା ପାଇଁ କସରତ ଚଳାଇଛନ୍ତି। ଏଭଳି ଉଷ୍ମତା ଭିତରେ ଟିଟିଲାଗଡ଼ ରେଳ ଷ୍ଟେସନ୍ରୁ ରେଳବାଇ ପୁଲିସ ୯୦ ଲକ୍ଷ ଟଙ୍କା ଜବତ କରିବା ହଇଚଇ ସୃଷ୍ଟି କରିଛି। ଶୁକ୍ରବାର ରାତିରେ କେସିଙ୍ଗା ଓ ଟିଟିଲାଗଡ଼ ଷ୍ଟେସନ୍ ମଝିରେ ଧରତିଆବା ସୁପରଫାଷ୍ଟ ଏକ୍ସପ୍ରେସ୍ରେ ବେଆଇନ ଭାବେ ଚୋରାସାମଗ୍ରୀ ଚାଲାଣ ହେଉଥିବା ଆର୍ପିଏଫ୍ ଖବର ପାଇଥିଲା।
ଟିଟିଲାଗଡ଼ ଆର୍ପିଏଫ୍ର ଏକ ସ୍ୱତନ୍ତ୍ର ଟିମ୍ ତଲାସି ଅଭିଯାନ ଚଳାଇବା ସମୟରେ ଦୁଇଜଣ ବ୍ୟକ୍ତି ନୀଳ ରଙ୍ଗର ବ୍ୟାଗରେ କିଛି ବେଆଇନ୍ ସାମଗ୍ରୀ ନେଉଥିବା ଦେଖି ସନ୍ଦେହ କରିଥିଲେ। ପିଛା କରିବାରୁ ଉଭୟ ଟ୍ରେନ୍ରୁ ଫେରାର ହେବାକୁ ଉଦ୍ୟମ କରିଥିଲେ। ତେବେ ଦୁହିଁଙ୍କୁ ଆରପିଏଫ୍ କାବୁ କରିବା ସହ ଥାନାକୁ ଆଣି ବ୍ୟାଗ୍ ଯାଞ୍ଚ କରିବାବେଳେ ସେଥିରେ ୭୦ ଲକ୍ଷ ଟଙ୍କା ଥିବା ଜଣାପଡ଼ିଥିଲା। ଜବତ ୭୦ ଲକ୍ଷ ଟଙ୍କା ସମ୍ପର୍କରେ ସେମାନେ କିଛି କାଗଜପତ୍ର ଦେଖାଇ ପାରି ନଥିଲେ। ଅଟକ ଦୁଇ ଜଣ ବିହାରର ଉମେଶ ପ୍ରସାଦ ଓ ଝାଡ଼ଖଣ୍ଡର ପ୍ରଭାତ ସାହୁ। ଏ ନେଇ ସମ୍ବଲପୁର ଆୟକର ବିଭାଗକୁ ତଦନ୍ତ ପାଇଁ ରେଳବାଇ ପୁଲିସ ସୂଚନା ଦେଇଥିଲା। ସେହିପରି ‘ଭଗତ କି କୋଠି’ ସାପ୍ତାହିକ ଏକ୍ସପ୍ରେସ୍ରୁ ବି ୨୦ ଲକ୍ଷ ଟଙ୍କା ଜବତ ହୋଇଛି।
ରେଳବାଇର ଟିମ୍ ତଲାସି ଚଳାଇଥିବାବେଳେ ଦୁଇଜଣ ବ୍ୟକ୍ତି ଏକ ଲାଲ୍ ରଙ୍ଗର ବ୍ୟାଗ ଧରି ସନ୍ଦେହଜନକ ଭାବେ ଯାଉଥିଲେ। ପୁଲିସ ଉଭୟଙ୍କୁ ଥାନାକୁ ଆଣି ଜେରା କରିଥିଲା। ତେବେ ଆବଶ୍ୟକ କାଗଜପତ୍ର ଦେଖାଇବାରୁ ସେମାନଙ୍କୁ ଟଙ୍କା ଫେରସ୍ତ କରାଯାଇଛି। ତଦନ୍ତବେଳେ ରେଳବାଇ ପୁଲିସ ଅଧିକାରୀ କେ.ଏସ୍. ପ୍ରକାଶ, ହନୁମାନ ସିଂହ, ଶୈଳେନ୍ଦ୍ର କୁମାର ଓ ଆଶୋକ ବେହେରା ଉପସ୍ଥିତ ଥିଲେ। ଟିଟିଲାଗଡ଼ ବ୍ଲକ୍ ନୂଆପଡ଼ା ଜିଲ୍ଲା ସୀମା ପାଖାପାଖି ଥିବାରୁ ଜବତ ୭୦ ଲକ୍ଷ ଟଙ୍କା ଉପନିର୍ବାଚନ ପାଇଁ ଅବୈଧ ଭାବେ ଚାଲାଣ ହେଉଥିବା ଚର୍ଚ୍ଚା ହେଉଛି। ବଲାଙ୍ଗୀର ଜିଲ୍ଲାରେ ନିଶା କାରବାର ଚାଲୁଥିବାରୁ ଏହି ଟଙ୍କା ବିହାର ଓ ଝାଡ଼ଖଣ୍ଡର ବେପାରୀ ନେଇ ଆସୁଥିବା ମଧ୍ୟ କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/19/dgdagdgadga-2025-10-19-00-29-40.jpg)