ନୂଆପଡ଼ା ସିଡିଭିଓ ଗିରଫ, ନଗଦ ୩ ଲକ୍ଷ ୨୮ ହଜାର ଟଙ୍କା ଜବତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ (ସିଡିଭିଓ) ତ୍ରିଲୋଚନ ଧଳ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ତାଙ୍କ ନିକଟରୁ ମୋଟ ୩ ଲକ୍ଷ ୨୮ ହଜାର ୨ଶହ ଟଙ୍କା ଜବତ କରାଯାଇଛି।

ସୂଚନା ଅନୁସାରେ, ନୂଆପଡ଼ା ସିଡିଭିଓ ଶ୍ରୀ ଧଳ ଆଜି ଭୋର୍‌ ୪ଟାରେ ନଗଦ ୨ ଲକ୍ଷ ୨୭ ହଜାର ଟଙ୍କା ଧରି ସରକାରୀ ଗାଡ଼ିରେ ତାଙ୍କ ପୈତୃକ ଘର କଟକ ଜିଲ୍ଲା ନରାଜକୁ ଯାଉଥିଲେ। କୌଣସି ସୂତ୍ରରୁ ଖବର ପାଇ କୋରାପୁଟ ଭିଜିଲାନ୍ସ ବିଭାଗ ଓ କଳାହାଣ୍ଡି ଡିଏସ୍‌ପି ସତ୍ୟବାନ ମହାନନ୍ଦ ନୂଆପଡ଼ା ସଦର ତାରିଣୀ ମନ୍ଦିର ପାଖରେ ତାଙ୍କୁ ଅଟକାଇ ଗାଡ଼ି ଯାଞ୍ଚ କରିଥିଲେ। ଗାଡ଼ିରୁ ନଗଦ ୨ଲକ୍ଷ ୨୭ ହଜାର ଟଙ୍କା ଭିଜିଲାନ୍ସ ଟିମ୍ ଜବତ କରିଥିଲା। ପରେ ଭିଜିଲାନ୍ସ ଟିମ୍‌ ଶ୍ରୀ ଧଳଙ୍କ ସରକାରୀ ବାସଭବନ ସମେତ କଟକ ଜିଲ୍ଲା ନରାଜ ଗ୍ରାମସ୍ଥିତ ପୈତୃକ ଘରେ ମଧ୍ୟ ଚଢ଼ଉ କରିଥିଲା। ସିଡିଭିଓଙ୍କ ଅଫିସ ଡ୍ରୟରରୁ ନଗଦ ୫୦ ହଜାର ଟଙ୍କା, ସରକାରୀ ବାସଭବନରୁ ନଗଦ ୫୧ ହଜାର ୨ଶହ ଟଙ୍କା ଏପରି ମୋଟ ୩ଲକ୍ଷ ୨୮ ହଜାର ୨୦୦ ଟଙ୍କା ଜବତ କରାଯାଇଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ଉରେ ୩ଜଣ ଡିଏସ୍‌ପି ଓ ୩ଜଣ ଇନ୍ସପେକ୍ଟର ସାମିଲ ଥିଲେ।

ସୂଚନାଥାଉ କି, ଗତ ଶନିବାର ନୂଆପଡ଼ା ମୁଖ୍ୟ ଡାକ୍ତରଖାନା ସିଡିଏମ୍‌ଓ କାର୍ଯ୍ୟାଳୟର ଜଣେ ମହିଳା କିରାଣି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ।

ସମ୍ବନ୍ଧିତ ଖବର