ନୂଆପଡ଼ା : ନୂଆପଡ଼ା ଜିଲ୍ଲାପାଳ ସୁନାବେଡ଼ା ଅଭୟାରଣ୍ୟ ଅଞ୍ଚଳକୁ ଗସ୍ତକରି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ଜିଲ୍ଲାପାଳ ତଳେ ବସି ସ୍ଥାନୀୟ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିବା ପରେ ଜିଲ୍ଲାସାରା ଚର୍ଚ୍ଚାର ବିଷୟ ହୋଇଛି।
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଆଦିବାସୀମାନେ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ବାରମ୍ବାର ଅଭିଯୋଗ କରିଆସୁଥିଲେ। ସେମାନଙ୍କ ଅଭିଯୋଗକୁ ଗୁରୁତ୍ବ ଦେଇ ଗୁରୁବାର ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂହ ସୁନାବେଡ଼ା ଗସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ଅଭିଯୋଗ ଶୁଣିଛନ୍ତି। ଅଭୟାରଣ୍ୟର ସୋସେଙ୍ଗ, ମିଛାପାଲ, ସୁନାବେଡ଼ା ପଞ୍ଚାୟତରେ ପହଞ୍ଚିବା ପରେ ଚକୋଟିଆ ଭୁଞ୍ଜିଆ ସଂପ୍ରଦାୟ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ବାଗତ କରାଯାଇଥିଲା। ବର୍ଷା ହେଉଥିବାରୁ ଛତା ଧରି ଜିଲ୍ଲାପାଳ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ବୁଲି ଦେଖିଥିଲେ। ପ୍ରଥମେ ସିବିଡିଏ ପକ୍ଷରୁ ନିର୍ମାଣ କରାଯାଇଥିବା ମାତୃ-ଶିଶୁ ପୋଷଣ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରୁ ସୋସେଙ୍ଗ ଠାରେ ତିଆରି ହୋଇଥିବା ଗ୍ରାମୀଣ ବଜାର ପରିଦର୍ଶନରେ ଯାଇଥିଲେ। ସେହିପରି ସୁନାବେଡ଼ା ଓ ମିଛାପାଲି ପଞ୍ଚାୟତରେ ଗ୍ରାମୀଣ ବଜାର ତିଆରି ପାଇଁ ନିର୍ଦେଶ ଦେଇଛନ୍ତି। ସୁନାବେଡ଼ାରେ ନିର୍ମାଣାଧୀନ ଗ୍ରାମୀଣ ପାର୍କକୁ ତୁରନ୍ତ ଶେଷ କରିବାକୁ କହିଛନ୍ତି।
ସ୍ଥାନୀୟ ଏସ୍ଓଜି କ୍ୟାମ୍ପ ପରିଦର୍ଶନ କରି ଯବାନଙ୍କ ସହ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ସୁନାବେଡ଼ାବାସୀ ଜିଲ୍ଲାପାଳଙ୍କୁ ରାସ୍ତାଘାଟ ସମସ୍ୟା ଉପରେ ଅଭିଯୋଗ ଜଣାଇଥିଲେ। ଚେରଚୁଆରୁ ଜାଗାଁ ରାସ୍ତାକୁ ଓସାର ଓ ପକ୍କା କରିବା, ଜଳ ନିଷ୍କାସନ ପାଇଁ ଡ୍ରେନ୍ କରିବା ଓ ଗାର୍ଡୱାଲ ନିର୍ମାଣ ପାଇଁ ଦାବି ଜଣାଇଥିଲେ। ସିବିଡିଏ ଅଫିସରେ ସୁନାବେଡ଼ାବାସୀଙ୍କ ପାଖରେ ତଳେ ବସି ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଥିଲେ। ସବୁପ୍ରକାର ମୌଳିକ ସୁବିଧା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗସ୍ତ ସମୟରେ ନୂଆପଡ଼ା ସିବିଡିଏ ଅଧିକାରୀ ହିମାଂଶୁ ମହାପାତ୍ର, କୋମନା ବିଡିଓ ସଦାଶିବ ଭତ୍ରା, ସିବିଡିଏ ଅଫିସର କର୍ମଚାରୀ ତଥା ଓପିଲିପି କର୍ମଚାରୀ ମାନେ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଗସ୍ତକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।