ନୂଆପଡ଼ା: ରାଜେନ୍ଦ୍ର ଢୋଲକିଆଙ୍କ ବିୟୋଗରେ ନୂଆପଡ଼ା ଜିଲ୍ଲାବାସୀ ଜଣେ ଭଲ ନେତାଙ୍କୁ ହରାଇଛନ୍ତି। ସେ କେବଳ ଜଣେ ଦରଦୀ ନେତା ନ ଥିଲେ, ସମାଜସେବୀ ହିସାବରେ ମଧ୍ୟ ତାଙ୍କର ପରିଚୟ ଥିଲା। ତେବେ ତାଙ୍କ ଅବର୍ତ୍ତମାନରେ ନୂଆପଡ଼ା ଜିଲ୍ଲାର ବିକାଶ ପ୍ରକ୍ରିୟା ଜାରି ରହିବ। ଜିଲ୍ଲାବାସୀଙ୍କ ଦାୟିତ୍ବ ମୁଁ ନେବି। ଯେତେବେଳେ ଜିଲ୍ଲାବାସୀ ଚାହିବେ ମତେ ଭେଟି ପାରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ନୂଆପଡ଼ା ଜିଲ୍ଲା ଖରିଆର୍ ରୋଡ୍ ରାଜ୍ୟ ପଣ୍ୟାଗାର ପରିସରରେ ଆୟୋଜିତ ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ କହିଛନ୍ତି। ରାଜେନ୍ଦ୍ରଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ, ସେ ମୋର ଜଣେ ଭଲ ବନ୍ଧୁ ଥିଲେ। ତାଙ୍କର ରାଜନୈତିକ ପ୍ରତିଦ୍ବନ୍ଦ୍ବୀ ଥାଇପାରନ୍ତି, କିନ୍ତୁ ରାଜନୈତିକ ଶତ୍ରୁ କେହି ନଥିଲେ। ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ସେ ନିଜର କରି ପାରିଥିଲେ। ବିଧାନସଭାରେ ସେ ମୋ ପାଖରେ ବସୁଥିଲେ। ଆମ ଦୁଇଜଣଙ୍କ ମଧ୍ୟରେ ଘନିଷ୍ଠତା ଥିଲା, ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ, ପୁଅ ଜୟ ଢୋଲକିଆ ଓ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।
ରାଜେନ୍ଦ୍ର ମୋର ଜଣେ ଭଲ ବନ୍ଧୁ ଥିଲେ
ଜିଲ୍ଲାବାସୀ ଯେତେ ବେଳେ ଚାହିବେ ମତେ ଭେଟିପାରିବେ
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ଉପସଭାପତି ଦେବୀପ୍ରସାଦ ମିଶ୍ର, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବଲାଙ୍ଗୀର ବିଧାୟକ କଳିକେଶ ସିଂହଦେଓ, ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ମାଝୀ, ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ, ଗୋବର୍ଦ୍ଧନ ଦାସ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ନୂଆପଡ଼ା ଜିଲ୍ଲା କଂଗ୍ରେସ ସଂଯୋଜକ ଘାସିରାମ ମାଝୀ, ବିଜେଡି ନୂଆପଡ଼ା ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ପୂର୍ବତନ ସଭାପତି ମନୋଜ ମିଶ୍ର, ଜିଲ୍ଲା ପରିଷଦ ସଭାପତି ଡଲି ମାଝୀ, ଉପସଭାପତି ଦୀପିକା ଦୀପ, ନୂଆପଡ଼ା ଏନ୍ଏସି ଅଧ୍ୟକ୍ଷ ମହମ୍ମଦ ଆଦମ, ବିଜେଡି ନେତା ଧନୀରାମ ସାହୁ, ରାଜେଶ ନିଗମ, ନିଶାନ୍ତ ଡାଗା ପ୍ରମୁଖ ଉପସ୍ଥିତ ରହି ରାଜେନ୍ଦ୍ରଙ୍କୁ ଶ୍ରଦ୍ଧାସୁମନ ଜଣାଇଥିଲେ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜନସାଧାରଣଙ୍କଠାରୁ ଆପତ୍ତି ଅଭିଯୋଗ ସମ୍ବଳିତ ଦରଖାସ୍ତ ମଧ୍ୟ ଗ୍ରହଣ କରିଥିଲେ। ସ୍ଥାନୀୟ ଗୋତମା ଏୟାରଷ୍ଟ୍ରିପ୍ରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଏସ୍ପି ଅମୃତପାଲ ସିଂହ, ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ବିଜେପି ଜିଲ୍ଲା ସଭାପତି କମଳେଶ ଦୀକ୍ଷିତ ତଥା ବରିଷ୍ଠ କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ। ଗଣମାଧ୍ୟମ ଆଗରେ ବକ୍ତବ୍ୟ ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ନୂଆପଡ଼ା ଜିଲ୍ଲା ରାଜଧାନୀରୁ ବହୁ ଦୂରରେ ଥିଲେ ମଧ୍ୟ ତାଙ୍କ ଫୋକସ୍ରେ ରହିଛି। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ବାରମ୍ବାର ଏଠାକୁ ଆସିବେ। ଭିଡିଓ ବାର୍ତ୍ତାରେ ନବୀନ ଦେଲେ ଶ୍ରଦ୍ଧାଞ୍ଜଳି (ଫ) ନୂଆପଡ଼ା, ୨୧/୯ (ଇମିସ): ଖରିଆର୍ ରୋଡ୍ରେ ଆୟୋଜିତ ନୂଆପଡ଼ା ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇପାରି ନଥିଲେ। ତେବେ ସେ ଭିଡିଓ ବାର୍ତ୍ତା ମଧ୍ୟରେ ରାଜେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସେ କହିଲେ, ନୂଆପଡ଼ା ବିଧାନସଭା କ୍ଷେତ୍ରରୁ ସେ ୪ ଥର ବିଜୟୀ ହୋଇଥିଲେ। ଜିଲ୍ଲାର ବିକାଶରେ ତାଙ୍କର ବହୁତ ଅବଦାନ ରହିଥିଲା। ତାଙ୍କ ବିୟୋଗରେ ବିଜେଡିର ବଡ଼ କ୍ଷତି ହୋଇଛି।