ଭୁବନେଶ୍ୱର: ୪ଟି ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ପାଇଁ ଆଜି ବିଜେପିର କେନ୍ଦ୍ରୀୟ ନିର୍ବାଚନ ସମିତି ପ୍ରାର୍ଥୀ ଘୋଷଣା କରିଥିବାବେଳେ ନୂଆପଡ଼ା ଉପନିର୍ବାଚନ ପାଇଁ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି। ଶ୍ରୀ ଢୋଲକିଆ ଆସନ୍ତାକାଲି (ଗୁରୁବାର) ନାମାଙ୍କନପତ୍ର ଦାଖଲ କରିବେ। ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ରାଜ୍ୟ ସଭାପତି ମନମୋହନ ସାମଲ ନୂଆପଡ଼ା ଗସ୍ତରେ ଯାଇ ପ୍ରଚାର ଆରମ୍ଭ କରିଥିବାବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନୂଆପଡ଼ା ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ସାଂସଦ, ବିଧାୟକମାନଙ୍କ ଉପସ୍ଥିତିରେ ଶ୍ରୀ ଢୋଲକିଆ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ଦାଖଲ କରିବେ।
ଆଜି ନାମାଙ୍କନପତ୍ର ଦାଖଲ କରିବେ
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ହେବ ବିଶାଳ ମିଶ୍ରଣ ପର୍ବ
ଏହାସହ ଆସନ୍ତାକାଲି ବିଜେପି ପକ୍ଷରୁ ଏକ ବିଶାଳ ମିଶ୍ରଣ ପର୍ବର ଆୟୋଜନ କରାଯାଇଛି। ନୂଆପଡ଼ାର ‘ଗୋତମା’ ଏୟାରଷ୍ଟ୍ରିପ୍ ଠାରେ ଆୟୋଜନ ହେବାକୁ ଥିବା ଏହି ମିଶ୍ରଣ ପର୍ବରେ ବିଜେଡି ଓ କଂଗ୍ରେସର ବହୁ ସରପଞ୍ଚ, ସମିତିସଭ୍ୟ, ୱାର୍ଡମେମ୍ବରଙ୍କ ସମେତ ବହୁ ପୂର୍ବତନ ଜନପ୍ରତିନିଧି ଓ କର୍ମୀ ବିଜେପିରେ ମିଶିବେ। ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି, ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର, ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦ, ସାଂସଦ ଓ ବିଧାୟକ ଏବଂ ଦଳୀୟ ପଦାଧିକାରୀ ଉପସ୍ଥିତ ରହିବେ। ମିଶ୍ରଣ ପର୍ବ ପରେ ଦଳୀୟ ପ୍ରାର୍ଥୀ ଶ୍ରୀ ଢୋଲକିଆ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବେ ବୋଲି ଦଳର ମୁଖପାତ୍ର ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି।
କ୍ଷମତାକୁ ଆସିଲା ପରେ ବିଜେପି ପ୍ରଥମ ଥର ପାଇଁ ଉପନିର୍ବାଚନର ସାମନା କରୁଥିବାରୁ ଏହା ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି। ନିର୍ବାଚନୀ ରଣନୀତିର ପ୍ରଥମ ପର୍ଯ୍ୟାୟରେ ଦିବଂଗତ ବିଜେଡି ବିଧାୟକଙ୍କ ପୁଅ ଜୟ ଢୋଲକିଆଙ୍କୁ ନିଜ ପକ୍ଷକୁ ଆଣି ପ୍ରାର୍ଥୀ କରାଇବାରେ ଦଳ ସଫଳ ହୋଇଛି। ବିଜେଡିର ବହୁସଂଖ୍ୟାରେ ଆଗଧାଡ଼ିର ନେତା ଓ କର୍ମୀଙ୍କୁ ଆଣି ଦଳ ନିଜର ଶକ୍ତି ଦେଖାଇବାକୁ ସବୁ ପ୍ରକାର ପ୍ରସ୍ତୁତି କରିଛି।
ସ୍ନେହାଙ୍ଗିନୀ ଛୁରିଆ ବିଜେଡି
ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେଡି ଆଜି ପ୍ରାର୍ଥୀ ଘୋଷଣା କରିଛି। ପ୍ରାର୍ଥୀ ଦୌଡ଼ରେ ଥିବା ସ୍ଥାନୀୟ ନେତାମାନଙ୍କୁ ପଛରେ ପକାଇ ବରଗଡ଼ ଜିଲ୍ଲାର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କ ନାମ ଘୋଷଣା କରିଥିଲେ। ବିଜେଡିର ଏହି ଅପ୍ରତ୍ୟାଶିତ ପ୍ରାର୍ଥୀ ଚୟନ ରାଜନୈତିକ ମହଲକୁ ଚର୍ଚ୍ଚାର ଖୋରାକ ଯୋଗାଇଛି।
ସ୍ନେହାଙ୍ଗିନୀ ଛୁରିଆ ବରଗଡ଼ ଜିଲ୍ଲାର ଅତାବିରା ନିର୍ବାଚନମଣ୍ଡଳୀରୁ ୨୦୧୪ ଓ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୨୪ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କଠାରୁ ପାଖାପାଖି
୨୯ ହଜାର ଭୋଟରେ ହାରିଯାଇଥିଲେ। ନିକଟରେ ତାଙ୍କୁ ବିଜେଡିର ମହିଳା ଶାଖା ସଭାନେତ୍ରୀ କରାଯାଇଛି। କିନ୍ତୁ ନୂଆପଡ଼ାରେ ସ୍ନେହାଙ୍ଗିନୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଘଟଣା ସମସ୍ତଙ୍କୁ ଚକିତ କରିଛି। କେଉଁ ପରିସ୍ଥିତିରେ ଦଳ ଏପରି ନିଷ୍ପତ୍ତି ନେଲା, ତାହା ବେଶ୍ ରହସ୍ୟଜନକ ହୋଇପଡ଼ିଛି। ବିଜେଡିର ଆଗଧାଡ଼ିର ନେତାମାନେ ମଧ୍ୟ ଏହାର ଟେର୍ ପାଉ ନାହାନ୍ତି। ନବୀନ ଦିଲ୍ଲୀରୁ ଫେରିଲା ପରେ ନବୀନ ନିବାସରେ ବରିଷ୍ଠ ନେତାମାନଙ୍କର ଏକାଧିକ ବୈଠକ ହୋଇଛି। ପ୍ରାର୍ଥୀ ଚୟନ ପାଇଁ ହୋଇଥିବା କୋର୍ କମିଟିର ସଦସ୍ୟମାନେ ନୂଆପଡ଼ା ଯାଇ କର୍ମୀମାନଙ୍କ ସହ ଆଲୋଚନା କରି ଫେରିଥିଲେ। ସେମାନେ ମଧ୍ୟ ସଭାପତିଙ୍କୁ ରିପୋର୍ଟ ଦେଇଥିଲେ। କିନ୍ତୁ ସ୍ନେହାଙ୍ଗିନୀଙ୍କ ପ୍ରାର୍ଥିତ୍ବ ସମ୍ପର୍କରେ କେହି ମତ ଦେଇ ନଥିବା ଜଣାପଡ଼ିଛି। ଜୟ ଢୋଲକିଆ ବିଜେପିରେ ଯୋଗ ଦେଲା ପରେ ନୂଆପଡ଼ାର ଆଗଧାଡ଼ିର କିଛି ବିଜେଡି ନେତା ଟିକେଟ୍ ପାଇଁ ଜୋର୍ଦାର ଲବି ଚଳାଇଥିଲେ।
ଟେର୍ ପାଇ ନଥିଲେ ବରିଷ୍ଠ ନେତା
ଗତ ନିର୍ବାଚନରେ ଅତାବିରାରୁ ହାରିଥିଲେ
ସେମାନଙ୍କ ମଧ୍ୟରେ ଥିଲେ ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲା ପରିଷଦ ସଭ୍ୟ ତଥା ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷ ତାରେଶ୍ବରୀ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପ ସିଂହ ମାଝୀ ପ୍ରମୁଖ। ଏମାନଙ୍କ ନାମ ଉପରେ ହିଁ ତର୍ଜମା ଚାଲିଥିଲା। ଏପରିକି ବିଜେପିର ଅସନ୍ତୁଷ୍ଟ ନେତାମାନଙ୍କ ଉପରେ ମଧ୍ୟ ଦଳର ନଜର ରହିଥିଲା। କିନ୍ତୁ କେଉଁ ପରିସ୍ଥିତିରେ ନୂଆପଡ଼ାର ନେତାମାନଙ୍କୁ ଆଡ଼େଇ ବରଗଡ଼ ଜିଲ୍ଲାର ଜଣେ ନେତାଙ୍କୁ ଦଳ ଭରସା କଲା, ତାହା ଏବେ ଦଳୀୟ ମହଲରେ ଆଲୋଚନାର ପ୍ରସଙ୍ଗ ପାଲଟିଛି। ନୂଆପଡ଼ା ନିର୍ବାଚନ ପାଇଁ ଗଠନ ହୋଇଥିବା ଷ୍ଟିୟରିଂ କମିଟି, କୋର୍ କମିଟି କାହିଁକି ଗଠନ ହୋଇଛି, ତାହା କେହି ବୁଝିପାରୁ ନାହାନ୍ତି।
ପ୍ରାର୍ଥୀ ଘୋଷଣା କଲା ବେଳେ ସ୍ନେହାଙ୍ଗିନୀଙ୍କୁ ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ଦର୍ଶାଇଥିଲେ ନବୀନ। ପ୍ରାର୍ଥୀ ଘୋଷଣା ସମୟରେ ଦୁଇ ଆଶାୟୀ ମନୋଜ ମିଶ୍ର ଓ ଭାନୁପ୍ରତାପ ସିଂହ ମାଝୀ ଉପସ୍ଥିତ ଥିଲେ। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେମାନେ ଉଦ୍ୟମ କରିବେ ବୋଲି କହିଥିଲେ। ନୂଆପଡ଼ାବାସୀଙ୍କ ପାଇଁ ସେ ସମର୍ପିତ ହୋଇ କାର୍ଯ୍ୟ କରିବେ ବୋଲି ସ୍ନେହାଙ୍ଗିନୀ କହିଥିଲେ।
ଦଳୀୟ ମହଲରୁ ମିଳିଥିବା ସୂଚନା ଅନୁଯାୟୀ ବିଜେଡିର ବରିଷ୍ଠ ଓ ଅନୁଭବୀ ନେତାମାନଙ୍କୁ ପଞ୍ଚାୟତୱାରି ଦାୟିତ୍ବ ବଣ୍ଟାଯିବ। ନିଜେ ନବୀନ ସେଠାରେ ଗୋଟିଏ ଦିନ ରହି ପ୍ରଚାର କରିବେ ବୋଲି ଆପାତତଃ ଯୋଜନା ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/10/16/sfhfsfhsfh-2025-10-16-02-46-04.jpg)