ନୂଆପଡ଼ା: ନୂଆପଡ଼ା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ (୬୮)ଙ୍କ ସୋମବାର ଚେନ୍ନାଇର ଏମ୍ଜିଏମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୃ ହୋଇଛି। ସ୍ବର୍ଗତ ଢୋଲକିଆ ୪ ମାସ ହେଲା ଅସୁସ୍ଥ ଥିଲେ। ତାଙ୍କ କିଡ୍ନି ଓ ହୃତ୍ପିଣ୍ଡରେ ସମସ୍ୟା ଥିଲା। ଉଭୟ ଅଙ୍ଗର ପ୍ରତିରୋପଣ ହେବାର ଥିଲା। ତେଣୁ ପରିବାର ଲୋକ ତାଙ୍କୁ ଚେନ୍ନାଇର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଗତ ୨୫ ତାରିଖରେ ତାଙ୍କ ହୃତ୍ପିଣ୍ଡ ପ୍ରତିରୋପଣ ହୋଇଥିଲା। ସେବେଠାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସୁଧୁରିଥିଲେ କିଡ୍ନି ପ୍ରତିରୋପଣର ଯୋଜନା ଥିଲା। ଏପରିକି କିଡ୍ନି ଦାନ ଲାଗି ତାଙ୍କ ପୁଅ ଜୟଙ୍କର ପ୍ରାଥମିକ ପରୀକ୍ଷାନିରୀକ୍ଷା ମଧ୍ୟ ଶେଷ ହୋଇଥିଲା। କିନ୍ତୁ ସ୍ବାସ୍ଥ୍ୟାବସ୍ଥାରେ ବିଶେଷ ସୁଧାର ଆସି ନଥିଲା। ସୋମବାର ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କର ପତ୍ନୀ କଳ୍ପନା ଢୋଲକିଆ ଓ ପୁଅ ଜୟ ଢୋଲକିଆ ଅଛନ୍ତି।
ସୂଚନାଯୋଗ୍ୟ, ନୂଆପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରୁ ସେ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେ କେବଳ ଜଣେ ରାଜନେତା ନଥିଲେ, ଜଣେ ସମାଜସେବୀ ଭାବେ ବି ବେଶ୍ ପରିଚିତ ଥିଲେ। ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ନୂଆପଡ଼ା ଜିଲ୍ଲାର ବିଜେଡି ନେତା ଓ କର୍ମୀମାନଙ୍କ ସହ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ବିଧାୟକଙ୍କ ଘର ଖରିଆରରୋଡ୍ ସହରରେ ବ୍ୟବସାୟୀ ସଂଘ ପକ୍ଷରୁ ୨ ଦିନିଆ ଦୋକାନବଜାର ବନ୍ଦ ସହ ମଙ୍ଗଳବାର ପୂର୍ବାହ୍ଣରେ ମରଶରୀର ଖରିଆର୍ ରୋଡ୍ରେ ପହଞ୍ଚିବା ପରେ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବ ବୋଲି କୁହାଯାଇଛି। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କଂଗ୍ରେସ ରାଜ୍ୟ ସଭାପତି ଭକ୍ତଚରଣ ଦାସଙ୍କ ସହ ବିଭିନ୍ନ ଦଳର ନେତା ଓ ମନ୍ତ୍ରୀଗଣ ଗଭୀର ଶୋକ ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/09/sfhhfshsf-2025-09-09-02-30-03.jpg)