ଛତିଶଗଡ଼ରୁ ଓଡ଼ିଶାକୁ ଚୋରା ଚାଲାଣ ଧାନ ଗାଡ଼ି ଜବତ ଘଟଣା, କାହାର ଅନୁମତିରେ  ଆସୁଛି ଧାନ

ନୂଆପଡ଼ା : ନୂଆପଡ଼ା  ଜିଲ୍ଲାରେ ଦ୍ବଇ ଦିନ ତଳେ  ପଡ଼ୋଶୀ  ଛତିଶଗଡ଼ରୁ ଓଡ଼ିଶାକୁ ରବି ଧାନ ଚୋରା ଚାଲାଣ ହୋଇ ନୂଆପଡ଼ା ଜିଲ୍ଲାକୁ ଆସୁଥି‌ଲା। ଏହା ଜାଣି  ନୂଆପଡ଼‌ା  ଆରଏମସି ସଂପାଦକ ନୂଆପଡ଼ା ବ୍ଳକ ପାତଲଘୁଟକୁରିଠାରେ ଥିବା  ଆରଏମସି  ଗେଟ୍ ଠାରେ ଦ୍ବଇ ଗାଡ଼ିକୁ ଜବତ କରିଥିଲେ। ଏହି ଦୁଇ ଗାଡ଼ିକୁ ତଦନ୍ତ ପାଇଁ ଜିଲ୍ଲା ଯୋଗାଣ ବିଭାଗକୁ ଦାୟତ୍ବ ଦିଆଯାଇଥିଲା। ଯୋଗାଣ ବିଭାଗ ଗାଡ଼ିରେ ଥିବା ୧୪୦ବସ୍ତା ଧାନକୁ ଏକ ମିଲକୁ ଦେବା ସହ ଗାଡ଼ିକୁ ଥାନରେ ରଖାଯାଇଛି ବୋଲି କହିଛନ୍ତି। ଏହି ଦୁଇଟି ଗାଡ଼ି ଛତିଶଗଡ଼ରୁ ଧାନ ନୂଆପଡ଼ା ମଣ୍ଡିକୁ ଆଣିବା ପାଇଁ କିଏ ଅନୁମତି ଦେଉଛି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରତିବର୍ଷ ଖରିଫ ଓ ରବି ଧାନ ସଂଗ୍ରହ ସମୟରେ ନୂଆପଡ଼ା ମଣ୍ଡିରେ ବହୁ ପରିମାଣରେ ଛତିଶଗଡ଼ ଧାନ ଆସିଥାଏ।  ଜିଲ୍ଲାକୁ ଛତିଶଗଡ଼ର ଧାନ ଆସିବାରେ ବଡ଼ବଡ଼ିଆ ଅଧିକାରୀଙ୍କ  ହାତ ରହିଛି ବୋଲି ଜିଲ୍ଲାବାସୀଙ୍କ ମଧ୍ୟରେ ଆଲୋଚନ ହେଉଛି।

‌ଏହା ଉପରେ ନୂଆପଡ଼ା ଜିଲ୍ଲାପାଳ ଧ୍ୟାନ ଦେବାକୁ ଦାବି ହେଉଛି। ନୂଆପଡ଼ା ଜିଲ୍ଲାରେ ରବି ଧାନ କିଣି ଆରମ୍ଭ ହେଲାଣି। ଛତିଶଗଡ଼ ରାଜ୍ୟରେ ରବି ମଣ୍ଡି ବ୍ୟବସ୍ଥା ହେଉନଥିବାରୁ ଧାନ ଅଭାବୀ ବିକ୍ରି ଦେଖା ଦେଇଥାଏ। ଏହାଫଳରେ  ଛତିଶଗଡ଼ ସୀମାନ୍ତ ଅଞ୍ଚଳର  ବ୍ୟବସାୟୀମାନେ  ସ୍ଥାନୀୟ ପ୍ୟାକ୍ସ କର୍ମଚାରୀଙ୍କୁ  ହାତ କରି ତାଙ୍କ ଧାନକୁ ମଣ୍ଡିରେ ବିକ୍ରି କରିଥାନ୍ତି। ସଦର ବ୍ଳକ  ଧରମବନ୍ଧା, କେନ୍ଦୁବାହାରା  ହଲଦୀ, ଖଲନା ରାସ୍ତା ଦେଇ ପଡ଼ୋଶୀ ଛତିଶଗଡ଼ ରାଜ୍ୟର ହଜାର ହଜାର ବସ୍ତା ଧାନ ଚୋରାଚାଲାଣ ହୋଇ ଜିଲ୍ଲାକୁ ପ୍ରବେଶ କରୁଛି।  ବିଶେଷ କରି ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବହୁ ବ୍ୟବସାୟୀ  ଧାନକୁ  ଆମାନେରା, ମୋଟା ନୂ୍ଆପଡ଼ା, ସାରାବଙ୍ଗ ମଣ୍ଡିମାନଙ୍କୁ ଆସି ଧାନ ବିକ୍ରି  କରୁଥିବା ଜଣାପଡ଼ିଛି। ଛତିଶଗଡ଼ ଧାନ ଚୋରାଚାଲାଣ ହୋଇ ଜିଲ୍ଲାକୁ ଆସୁଥିବା ଘଟଣା  ପ୍ରତି ବର୍ଷ  ଧାନ କ୍ରୟ ବୈଠକରେ  ଆଲୋଚନା  ହୋଇ ଥାଏ।  କିନ୍ତୁ  ଜିଲ୍ଲାରେ ମଣ୍ଡି ଆରମ୍ଭ ହେଲେ  ଛତିଶଗଡ଼  ଧାନ ମଣ୍ଡିକୁ ଆସିବା  ଆରମ୍ଭ ହୋଇଥାଏ।

ଜିଲ୍ଲାରେ ପ୍ରତି ବର୍ଷ ହଜାର ହଜାର କ୍ବିଣ୍ଟାଲ ଛତିଶଗଡ଼ ଧାନ ଜିଲ୍ଲାକୁ  ଆସିଥାଏ।  କାହାର ଅନୁମତିରେ  ଜିଲ୍ଲାକୁ ଛତିଶଗଡ଼ ଧାନ ପ୍ରବେଶ କରେ ବର୍ତ୍ତମାନ ଚାଷୀ ମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଗତ ୨୩ ତାରିଖ ଦିନ ଛତିଶଗଡ଼ରୁ ଚୋରା ଚାଲାଣରେ ଆସିଥିବା ଧାନ ଉପରେ ଯୋଗାଣ ବିଭାଗ ୩ ଦିନ ହେଲା ତଦନ୍ତ ଶେଷ  ହୋଇନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର