ଲକ୍ ଡାଉନର ଦୁଃଖ: ବାହାଘରକୁ ଆସି ଉତ୍ତର ପ୍ରଦେଶର ନିଜ ଗାଁକୁ ଫେରି ପାରୁନାହାନ୍ତି ଦୁଇ ପୁଅ ସହ ମହିଳା

ନୂଆପଡ଼ା: ନିଜ ସଂପର୍କୀୟଙ୍କ ଘରକୁ ଏକ ବିବାହ ଉତ୍ସବକୁ ଆସି ଲକ୍ ଡାଉନ ଯୋଗୁଁ ନିଜ ଗାଁକୁ ଯାଇ ପାରିନାହାନ୍ତି ଉତ୍ତର ପ୍ରଦେଶର ଅକତଉ ଗାଁର ୩ ଜଣ । ନିଜ ସଂପର୍କୀୟଙ୍କ ଘରେ ମା’ଙ୍କ ସହ ୨ ପୁଅ ୫ ମାସ ହେଲାଣି ରହି ଯାଇଛନ୍ତି। ନୂଆପଡ଼ା ଜିଲ୍ଲା କୋମନା ଥାନା ବୁଦ୍ଧିକୋମନା ଗାଁର ଗଜାନନ ବାଗଙ୍କ ପରିବାରରେ ଏକ ବାହାଘର ସାମାଜିକ କାର୍ଯ୍ୟକ୍ରମ ଥିଲା।

ଏହି ବାହାଘର ସାମାଜିକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ସୁଦୂର ଉତ୍ତର ପ୍ରଦେଶ ଅକତଉ ଗାଁରୁ ତାଙ୍କ ୩ ଜଣ ସଂପର୍କୀୟ ଆସିଥିଲେ । ୩ ଜଣଙ୍କ ମଧ୍ୟରେ ମା’ ସୀତା ଦେବୀ (୬୫ବର୍ଷ) ତାଙ୍କ ୨ ପୁଅ ପୁଷ୍ପେନ୍ଦ୍ର କୁମାର (୨୩ ବର୍ଷ) ଓ ପ୍ରିଭେଶ କୁମାର (୧୩ ବର୍ଷ) । ବାହାଘର ସାମାଜିକ କାର୍ଯ୍ୟକ୍ରମ ସୁରୁଖୁରୁରେ ସରି ଥିଲା । କିନ୍ତୁ ଯେତେ ବେଳେ ଗାଁକୁ ବାହାରିବାକୁ ପ୍ରସ୍ତୁତ ହେଲେ, ସେତେ ବେଳେ ସରକାର କରୋନା ପାଇଁ ଲକ୍ ଡାଉନ ଘୋଷଣା କଲେ । ଯାନବାହାନ ଚଳାଚଳ ବନ୍ଦ ହୋଇ ଗଲା, ଘରୁ ବାହାରିବା ବି ବନ୍ଦ ହୋଇ ଗଲା ।

କେବେ ଲକ୍ ଡାଉନ ଉଠିବ, କେବେ ଟ୍ରେନ ଚାଲିବ ସେ ଦିନକୁ ଅପେକ୍ଷା କରି କରି ୫ ମାସ ବିତି ଗଲା । ଏ ୫ ମାସରେ ସେମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି । ବିଶେଷ କରି ସେମାନେ ରୁଟି ଖାଉଥିବା ବେଳେ ଏବେ ବାଧ୍ୟ ହୋଇ ଭାତ ଖାଉଥିବା କହୁଛନ୍ତି।

ଉତ୍ତର ପ୍ରଦେଶର ନିଜ ଗାଁକୁ ଯିବା ପାଇଁ ଉତ୍ତର ପ୍ରଦେଶ ସରକାରଙ୍କୁ ୩ ଥର ଓ ଓଡ଼ିଶା ସରକାରଙ୍କୁ ୨ ଥର ଅନଲାଇନରେ ଆବେଦନ କରିଥିବା ବେଳେ ଏଯାଏ କୌଣସି ଅନୁମତି ମିଳିନି । ପୁଣି ତାଙ୍କ ପାଖରେ ଯାହା ଟଙ୍କା ପଇସା ଥିଲା, ତାହା ବି ସରିଗଲାଣି । ଏବେ ଅନୁମତି ମିଳିଲେ ବି କେମିତି ନିଜ ଗାଁକୁ ଯିବେ ସେ ଚିନ୍ତାରେ ସେମାନେ । ସରକାର ସେମାନଙ୍କୁ ଗାଁକୁ ପଠାଇବାର ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ସଂପର୍କୀୟଙ୍କ ଘରେ ଏତେ ଦିନ ଅତିଥି ହୋଇ ରହିବାକୁ ସେମାନେ ଚାହୁଁ ନ ଥିବା ସେମାନେ କହୁଛନ୍ତି ।

ସମ୍ବନ୍ଧିତ ଖବର