ନୂଆପଡ଼ା ଜିଲ୍ଲାରେ ମନରେଗା ଯୋଜନାରେ ପୁଣି ଏକ ଦୁର୍ନୀତି: ଦାଦାନ ଯାଇଥିବା ଓ ଅଙ୍ଗନବାଡି ରୋଷେଇୟାଙ୍କ ସମେତ ୧୬ଜଣ କାମ କରିନଥିବା ବ୍ୟକ୍ତିଙ୍କ ଆକାଉଣ୍ଟରେ ଟଙ୍କା ଜମା

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ମନରେଗା ଯୋଜନାରେ ପୁଣି ଏକ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି। ମନରେଗା ଯୋଜନାରେ କାମ ନ କରି ମାଷ୍ଟରରୋଲରେ ଦାଦାନ ଯାଇଥିବା ଲୋକ ଓ ଅଙ୍ଗନବାଡି ରୋ‌‌ଷେଇୟା ସହ ୧୬ ଜଣ ବ୍ୟକ୍ତିଙ୍କ ନାମ ଦେଇ ଆକାଉଣ୍ଟରେ ଟଙ୍କା ଜମା କରି ପୁଣି ସେମାନଙ୍କ ଠାରୁ ବିଭାଗୀୟ ଅଧିକାରୀମାନେ ଟଙ୍କା ମାଗିନେଇ ଆତ୍ମସାତ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ମିଳିଥିବା ଖବରୁ ଅନୁଯାୟୀ ନୂଆପଡ଼ା ଜିଲ୍ଲା ସଦର ବ୍ଳକ ବିଢ଼ିପାଲି ପଞ୍ଚାୟତରେ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତ ଯୋଜନାରେ ୨୦୧୯-୨୦ରେ ପଲସାଭଦର ଡିହିପଫଡ଼ାରୁ ଚିଲାମାହାଲ ଜୋଙ୍କ ନଦୀ ରାସ୍ତା ଉନ୍ନତିକରଣ ପାଇଁ ୬ଲକ୍ଷ ୧୨ ହଜାର୨୪୫ ଟଙ୍କା ପ୍ରକଳ୍ପ ଅଟକି ରହିଛି। କିନ୍ତୁ ନାମ ଫଳକରେ ୨ଲକ୍ଷ ୨୨ ହଜାର ୨୨୨ ଟଙ୍କା ଲେଖାଯାଛି। କିନ୍ତୁ ଏହି ରାସ୍ତା କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇ ନ ଥିବା ବେଳେ ଟଙ୍କା ସବୁ ଉଠାଣ କରାଯାଇଛି। ଏଥିରେ ବ୍ଳକ ଠାରୁ ଆରମ୍ଭ କରି ପଞ୍ଚାୟତ ଅଧିକାରୀମାନେ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି।

ସେପରି ଗ୍ରାମର କୁମାରୀ କେଉଁଟ ଖରିଆର ରୋଡ଼ରେ ରହନ୍ତି କିନ୍ତୁ କାମ ନ କରି ତାଙ୍କ ନାମରେ ୩ହଜାର ୪୩୪ ଟଙ୍କା ଜମା କରାଯାଇଛି। ସେପରି ଧନେଶ୍ବର କେଉଁଟ ୨୨ ହଜାର୭୬୬ ଟଙ୍କା, ମହେଶ ହରିଜନ ୩୪୩୫ ଟଙ୍କା ଟାଇଲସ୍ ମିସ୍ତ୍ରୀ ଟେକରାମ ରାଉତ ୭ ହଜାର୯୪୭ ଟଙ୍କା, ଆସ୍କାରାମ କେଉଁଟ ନାମରେ ୧୩ ହଜାର୭୪୨ ଟଙ୍କା ଗାଁସାଥୀଙ୍କ ବଡ଼ଭାଇ ଟେକରାମ ସାହୁ ୧୦ ହଜାର୩୦୩ ଟଙ୍କା ଅଙ୍ଗନବାଡି ରୋଷେଇୟା ରାଧା ସାହୁଙ୍କ ନାମରେ ୧୮ ହଜାର୨୦୨ ଟଙ୍କା ରଘୁନାଥ କେଉଁଟ ୬ ହଜାର୬୭୧ ଟଙ୍କା, ଦାଦନ ଖଟିବାକୁ ଯାଇଥିବା ଓମପ୍ରକାଶ ସାହୁଙ୍କ ନାମରେ ୨୧ ହଜାର ୪୩ ଟଙ୍କା, ଘରମିସ୍ତ୍ରୀ ଖିଲେଶ୍ବର ସାହୁ ନାମରେ ୧୦ ହଜାର ୨୦୩ ଟଙ୍କା ସହ ୧୬ ଜଣ କାମ ନକରି ସେମାନଙ୍କର ଜମାଖାତାକୁ ୧ଲକ୍ଷ୭୪ ହଜାର ୧୬୯ ଟଙ୍କା ଜମା ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସେପରି କାମ କରିଥିବା ୩୦ରୁ ଉର୍ଦ୍ଧ୍ବ ଲୋକଙ୍କ ଜମାଖାତରେ କାମ କରିଥିବା ଟଙ୍କାରୁ ଅଧିକ ଟଙ୍କା ଜମା କରୁଥିବା କହିଛନ୍ତି। ପରେ ପଞ୍ଚାୟତ ଅଧିକାରୀମାନେ ଗାଁକୁ ଆସି କାମ କରିନଥିବା ଲୋକଙ୍କ ଘରକୁ ଯାଇ ଟଙ୍କା ମାଗି‌ ନେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଥିରୁ ଜଣାଯାଇଛି ଯେ ମନରେଗା ଯୋଜନାରେ ବଡ଼ଧରଣର ଦୁର୍ନୀତି ହୋଇଛି। ଏଥିରେ ବଡ଼ବଡ଼ିଆ ଅଧିକାରୀମାନେ ସାମିଲ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହା ଉପରେ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ନବୀନ ପଟେଲଙ୍କୁ ପଚାରିବାରୁ ଆପଣଙ୍କ ଠାରୁ ଖବର ପାଇଛି, ତଦନ୍ତ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର