ନୂଆପଡ଼ା ଜିଲ୍ଲାରେ ଚାଷୀଙ୍କୁ ନିମ୍ନମାନର ଅଦା ଯୋଗାଣ ଘଟଣା: ଜିଲ୍ଲା ପ୍ରଶାସନର ୩ ଜଣିଆ ଟିମର ତଦନ୍ତ ଆରମ୍ଭ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ଚଳିତ ବର୍ଷ ଅଦା କିଣାରେ ଦୁର୍ନୀତି ସହ ଚାଷୀଙ୍କୁ ନିମ୍ନମାନର ଅଦା ଯୋଗାଣ ଘଟଣା ‘ସମ୍ବାଦ’ରେ ବାରମ୍ବାର ପ୍ରକାଶିତ ହେବା ପରେ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କ ନିର୍ଦେଶରେ ଏକ ୩ ଜଣିଆ ଟିମ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଛି। ଏହି ୩ଜଣିଆ ଟିମ୍ ରେ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକ, କୃଷିବିଜ୍ଞାନକେନ୍ଦ୍ର ଅଧିକାରୀ ସ୍ବାଗତିକା ଶ୍ରୀଚନ୍ଦନ, ନୂଆପଡ଼ା ବ୍ଳକ କୃଷି ଅଧିକାରୀ ହିଂମାଶୁ ମହାପାତ୍ର, ଏଡିଓ ନରୋତ୍ତମ ବେହେରା ଅଛନ୍ତି।

ଗତକାଲି ଏହି ଟିମ୍ ପ୍ରଥମେ ଜେଞ୍ଜରା, ପଲସାଭଦର, ଚୁହୁରୀ, କୋଦୋମେରୀ, ସାଳିହା,ଭେରା ଗ୍ରାମକୁ ଯାଇ ଅଦାଚାଷୀଙ୍କ ସହ ଆଲୋଚନା କରିବା ସହ ଚାଷୀଙ୍କ ଚାଷ କରିଥିବା ଜମିକୁ ଯାଇ ତଦନ୍ତ କରିଥିଲେ। ଚାଷୀମାନେ ତଦନ୍ତ ପାଇଁ ଯାଇଥିବା ଅଧିକାରୀଙ୍କୁ ନିମ୍ନମାନର ଥିବା ଅଭିଯୋଗ କରିବା ସହ କିଛି ଅଦା ବିହନ ଗଜା ହୋଇଥିବା ବେଳେ ବହୁ ପରିମାର ଅଦା ଗଜା ନ ହୋଇ ନଷ୍ଟ ହୋଇଥିବା ଅଧିକାରୀମାନଙ୍କୁ କହିଥିଲେ। ସେପରି କିଛି ଚାଷୀ କହିଛନ୍ତି କୃଷି ବିଭାଗ ନିମ୍ନମାନର ଅଦା ଦେଇଛି। ତାର ଦୋଷ ଲୁଚାଇବା ପାଇଁ ତଦନ୍ତ ଅଧିକାରୀମାନଙ୍କୁ କୃଷି ବିଭାଗର ଅଧିକାରୀମାନେ ଭଲ ହୋଇଥିବା ଅଦା ଚାଷୀଙ୍କ ପାଖକୁ ନେଇ ପରିଦର୍ଶନ କରିଛନ୍ତି। ବହୁ ଚାଷୀଙ୍କ ଅଦା ବିହନ ନଷ୍ଟ ହୋଇ ଥିବା ସ୍ଥାନକୁ ଆଜି ପରିଦର୍ଶନ କରିନାହନ୍ତି ବୋଲି ଚାଷୀ ଲଲିତ ସାହୁ, ସୋଭନ ସାହୁ ପ୍ରକାଶ କରିଛନ୍ତି।
ବିଭାଗୀୟ ଅଧିକାରୀଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା ଚାଲିଛି ବୋଲି ଚାଷୀ ଜିଲ୍ଲା କୃଷ ସଂଘ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ଚଳିତ ବର୍ଷ ନୂଆପଡ଼ା ଆତ୍ମା ପକ୍ଷରୁ ଭେଲା, କୋଦୋମେରୀ, ସାଲିହା, ଜେଞ୍ଜରା କୋଟେନଚୁଆଁ ୪୫ ଜଣ ଚାଷୀଙ୍କୁ ୫୦ କେଜି ଲେଖାଏଁ ଅଦା ବିହନ ଦିଆଯାଇଥିଲା। ସେପରି ଏମଏଏଫସିସି ତରଫରୁ ସଲସାଭଦର ଗାଁର ୨୨ ଜଣ ଚାଷୀଙ୍କୁ ସୁଭଦ୍ରା ନାମକ ଅଦା ବିହନ ଦିଆଯାଇଥିଲା। କିନ୍ତୁ ନିମ୍ନମାନର ଅଦା ହୋଇଥିବାରୁ ବହୁ ଚାଷୀଙ୍କ ଅଦା ନଷ୍ଟ ହେବା ସହ ଭେରା ଗ୍ରାମର ଲୋଚନ ସାହୁ, ଧନେଶ୍ବର ପଟେଲ, ଉଦଲତ ସାହୁଙ୍କ ଅଦା ଗଜା ପଚି ଯାଇଥିବାରୁ ଫିଙ୍ଗି ଦେଇଛନ୍ତି।

ଏ ସଂପର୍କରେ ନୂଆପଡ଼ା ଉପଜିଲ୍ଲାପାଳ ତରଣୀସେନ ନାଏକ କହିଛନ୍ତି ଯେ ୬ଟି ଗ୍ରାମର କିଛି ଚାଷୀଙ୍କୁ ଅଦା ଜମି ପରିଦର୍ଶନ କରିବା ସହ ଚାଷୀଙ୍କ ଅଦା ଚାଷ ଜମିକୁ ଯାଇ ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଜିଲ୍ଲାରେ ନୂଆ କରି ଚାଷୀମାନେ ଚାଷ କରିଛନ୍ତି। ଚାଷୀ ଓ କୃଷିବିଭାଗର କିଛି ଭୁଲ ପାଇଁ ଅଦା ନଷ୍ଟ ହୋଇଥିବା କହିଛନ୍ତି। ଆଜି ମଧ୍ୟ କିଛି ଚାଷୀଙ୍କ ଅଦା ଜମି ପରିଦର୍ଶନ କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର