ଚକୋଟିଆ ଭୁଞ୍ଜିଆ ବିକାଶ ଯୋଜନାରେ ଦୁର୍ନୀତି: ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଲା ବିଭାଗ, କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ‌ଚକୋଟିଆ ଭୁଞ୍ଜିଆ ବିକାଶ ପାଇଁ ଆସିଥିବା ହଳଦୀ, କୁକୁଡ଼ା ଓ ଫିଲଟର୍ ଉନ୍ନୟନ ପାଇଁ ଆସିଥିବା ଟଙ୍କା ଦୁର୍ନୀତି ଉପରେ ନୂଆପଡ଼ା ଜିଲ୍ଲାପାଳ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦେଶ ପରେ ବିଭାଗୀୟ ଅଧିକାରୀ ଓ ସଂସ୍ଥାର ମୁଣ୍ଡବ୍ୟଥା ଆରମ୍ଭ ହୋଇଥିଲା।
ଇତିମଧ୍ୟରେ ବିଭାଗୀୟ ଅଧିକାରୀ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ବିଭାଗ ଯୋଗାଣ ସଂସ୍ଥାକୁ ଦୋଷ ଦେଉଥିବା ବେଳେ ଯୋଗାଣ ସଂସ୍ଥା ବିଭାଗକୁ ଦୋଷ ଦେଇଛି। ଜିଲ୍ଲାପାଳଙ୍କୁ ୧୬ ଟି ବିଷୟରେ ମାଗିଥିବା ରିପୋର୍ଟ ଦେବା ପାଇଁ ସିବିଡିଓ ଅଧିକାରୀ ବୁଦ୍ଧଦେବ ପଣ୍ଡା ଓ ଓଡ଼ିଶା‌ ଆଦିମ ଜନଜାତି ସଶକ୍ତୀକରଣ ଓ ଜୀବିକା ଉନ୍ନୀତକରଣ କାର୍ଯ୍ୟକ୍ରମ (ଓପିଲିପି) ପ୍ରକଳ୍ପ ଅଧିକାରୀ ସୁରେନ୍ଦ୍ର ପଣ୍ଡା ୭ ତାରିଖ ଠାରୁ ସୁନାବେଡ଼ା ଅଭୟାରଣ୍ୟକୁ ଯାଇ ରାତ୍ରି ଯାପନ କରି ହିତାଧିକାରୀ ଖୋଜୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରଥମେ ହଳଦୀ ପରେ କୁକୁଡ଼ାରେ ୮୦ ଲକ୍ଷ ଟଙ୍କା ଦୁର୍ନୀତି ତଦନ୍ତ ଚାଲିଥିବା ବେଳେ ପୁଣି ଚକୋଟିଆ ଭୁଞ୍ଜିଆଙ୍କ ପାଇଁ ଆସିଥିବା ପିଇବାପାଣି ଫିଲ୍ଟର ଦୁର୍ନୀତି ଦେଖିବାକୁ ମିଳିଥିଲା। ବିଭାଗୀୟ ଅଧିକାରୀ ଫିଲ୍ଟର ଯୋଗାଣ ନାଁରେ ୨୮ ଲକ୍ଷ ଟଙ୍କା ହଡ଼ପ କରିଥିବା ପୁଣି ପଦାକୁ ଆସିଛି। ଏହା ଉପରେ ମଧ୍ୟ ଜିଲ୍ଲାପାଳ ତଦନ୍ତ କରି କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
କିଛି ହତାଧିକାରୀମାନଙ୍କୁ ହଳଦୀ ଓ କୁକୁଡ଼ା ଦେଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଥିଲା।

ଜିଲ୍ଲାପାଳ କେତେ ଜଣ ହିତାଧିକାରୀଙ୍କୁ ଦିଆଯାଇଛି, ତାର ରିପୋର୍ଟ ମାଗିଥିବା ବେଳେ କେତେ ଟଙ୍କା ଖର୍ଚ୍ଚ କରାଯାଛି ତାର ମଧ୍ୟ ରିପୋର୍ଟ ମଗାଯାଇଥିଲା। ବିଭାଗଠାରେ ଠିକ୍ ଭାବରେ କୌ‌ଣସି ରିପୋର୍ଟ ନଥିଲା। ଜିଲ୍ଲାପାଳ ରିପୋର୍ଟ ମାଗିଲା ପରେ ବିଭାଗୀୟ ଅଧିକାରୀ ଯୋଗାଣ କରିଥିବା ଘରୋଇ ସଂସ୍ଥାକୁ ଖବର ଦେଇଥିଲା। ପରେ ସଂସ୍ଥା ପହଞ୍ଚିବା ପରେ ବିଭାଗ ଓ ସଂସ୍ଥା ମିଶି ହିତାଧିକାରୀ ଖୋଜିବାର କାମ ଆରମ୍ଭ ହୋଇଥିଲା। ପରେ ୨୪ ଘଣ୍ଟା ପରେ ହିତାଧିକାରୀ ଙ୍କ ତାଲିକା ସଂଗ୍ରହ କରାଯାଇଛି ବୋଲି ଚର୍ଚ୍ଚା ହେଇଛି। ସୁନାବେଡ଼ାରେ ତଦନ୍ତ ପାଇଁ ଯାଇଥିବା ଅଧିକାରୀଙ୍କ ସହ ମଧ୍ୟ କିଛି ଚାଷୀଙ୍କ ସହ ପାଟିତୁଣ୍ଡ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର