ବାପାମାଙ୍କ ମୃତ୍ୟୁର ୧୫ ଦିନ ପରେ ଭାଇକୁ ଦେଖି ଚାଲିଗଲା କୋମାରେ ଥିବା ଭଉଣୀର ଜୀବନ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ ୩୫୩ ନଂ ଜାତୀୟ ରାଜପଥର ବିଲେଇଅଞ୍ଜର ଛକ ନିକଟ ଢାବା ସାମ୍ନାରେ ଗତ ଡିସେମ୍ବର ମାସ ୧୭ ତାରିଖ ଗୁରୁବାର ରାତି ପ୍ରାୟ ୧୧.୩୦ ମିନିଟ ସମୟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ବୋଲେରୋ ଓ ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ଘଟଣା ସ୍ଥଳରେ ହିଁ ତରବୋଡ ଗ୍ରାମର ଗଜେନ୍ଦ୍ର ଦଣ୍ଡସେନା ଓ ତାଙ୍କ ସ୍ତ୍ରୀ ସୁଦେଷ୍ଣା ଦଣ୍ଡସେନାଙ୍କ ମୃତ୍ୟୁ ଘଟିଥିଲା। ଏହାର ୧୫ ଦିନ ପରେ ନୂଆବର୍ଷରେ ବଡ଼ଝିଅ ଦୁଲ୍ଲଭୀ ପାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ନିଜ ବାପା ମାଆଙ୍କ ମୃତ୍ୟୁକୁ ପାଖରେ ଦେଖି ଝିଅ ଦୁଲ୍ଲଭୀ ପାତ୍ର(୨୮) ସେହି ଦିନରୁ କୋମାରେ ଥିଲେ ଓ ଗଜେନ୍ଦ୍ର ଦଣ୍ଡସେନାଙ୍କ ନାତୁଣୀ ରିଦ୍ଧି ପାତ୍ର(୮)ର ମସ୍ତିଷ୍କର ଅସ୍ତ୍ରୋପଚାର ପାଇଁ ଡାକ୍ତର ପରାମର୍ଶ ଦେଇଥିବାରୁ ସେହି ଦୁଇଜଣ ରାୟପୁରରେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ରିଦ୍ଧି ପାତ୍ରର ମସ୍ତିଷ୍କ ଅସ୍ତ୍ରୋପଚାର କୋଇମ୍ବାଟୁରରେ ହେବାକୁ ସ୍ଥିର ହୋଇଥିବା ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ, ଯାହାଫଳରେ ଏତେ ଟଙ୍କା ଯୋଗାଡ଼ କରିବା ରିଦ୍ଧିର ମାମୁଁ ଦୀପକ ଦଣ୍ଡସେନାଙ୍କ ପାଇଁ ଅସମ୍ଭବ ଥିଲା ଓ ସେଥିପାଇଁ ସେ ଅର୍ଥର ସାହାଯ୍ୟ ପାଇଁ ସୋସିଆଲ ମିଡିଆରେ ସହାୟତା ମାଗିଥିଲେ।

ଏପଟେ ଦୀପକ ନିଜ ବାପା ମାଆଙ୍କ ଦଶାହ କାର୍ଯ୍ୟକ୍ରମ ସାରି ଭଉଣୀ ଓ ଭାଣିଜୀକୁ ଦେଖିବାକୁ ୧ ତାରିଖ ଶୁକ୍ରବାର ଦିନ ରାୟପୁରରେ ପହଞ୍ଚିଥିଲେ। କୋମାରେ ଥିବା ଭଉଣୀ ଦୁଲ୍ଲଭୀ ଭାଇ ଦୀପକକୁ ୧୫ ଦିନ ପରେ ଦେଖି କିଛି କହିବାକୁ ଚେଷ୍ଟା କରୁଥିଲେ। ଏହାକୁ ଦେଖି ଦୀପକ ଡାକ୍ତରଙ୍କୁ ଡାକିବା ପାଇଁ ଦୌଡ଼ିଥିଲେ ଓ ଡାକ୍ତର ମଧ୍ୟ ତୁରନ୍ତ ଆସି ଦୁଲ୍ଲଭୀଙ୍କ ପାଖରେ ପହଞ୍ଚି ଦେଖିଥିଲେ ଓ ସେ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର