ଛୁଇଁଲେ ଲାଗିବ ୨୨୦ ଭୋଲ୍ଟର ବିଦ୍ୟୁତ ଝଟକା, ମହିଳାଙ୍କ ଆତ୍ମରକ୍ଷା ଲାଗି ଯନ୍ତ୍ର ଉଦ୍ଭାବନ କଲେ ନୂଆପଡ଼ାର ଛାତ୍ର ଲଛମନ ଧୁଣ୍ଡି

ନୂଆପଡା:  ମହିଳାଙ୍କୁ ସୁରକ୍ଷା ଦେବ ସ୍ୱତନ୍ତ୍ର ଯନ୍ତ୍ର । ଅସଦାଚରଣ କଲେ ଲାଗିବ ଝଟକା । ବର୍ତ୍ତିପାରିବେନି ଦୁର୍ବୃତ୍ତ ଆଉ କାମୁକ ବ୍ୟକ୍ତି । ମହିଳାଙ୍କ ପ୍ରତି ବୃଦ୍ଧି ପାଉଥିବା ହିଂସାକୁ ନେଇ ବର୍ତ୍ତମାନ ସାରା ଦେଶରେ ଉଦବେଗ ପ୍ରକାଶ ପାଇଛି । ଏଭଳି ସମୟରେ ମହିଳାଙ୍କ ସୁରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଯନ୍ତ୍ର ଉଦ୍ଭାବନ କରିଛନ୍ତି ନୂଆପଡାର ଲଛମନ ଧୁଣ୍ଡି । ଏହି ଯନ୍ତ୍ର ବ୍ୟବହାର କରି ନିଜକୁ ସୁରକ୍ଷିତ ମଣିବେ ମହିଳା ।

ଲଛମନ ଧୁଣ୍ଡି ନୂଆପଡ଼ା ଖଡ଼ିଆଳ ବ୍ଲକ୍ ଲୋକଦୃଷ୍ଟି କଲେଜ ପଦାର୍ଥ ବିଜ୍ଞାନ ବିଭାଗର ତୃତୀୟ ବର୍ଷ ଛାତ୍ର । ମହିଳାଙ୍କ ଆତ୍ମରକ୍ଷା ପାଇଁ ଏକ ସ୍ୱତନ୍ତ୍ର ଯନ୍ତ୍ର ତିଆରି କରିଛନ୍ତି । ମହିଳାଙ୍କୁ ସୁରକ୍ଷା ଦେବ ଏହି ସ୍ୱତନ୍ତ୍ର ଯନ୍ତ୍ର । ଅସୁବିଧା ଓ ଆକ୍ରମଣ ସମୟରେ ମହିଳାମାନେ ଏହି ଯନ୍ତ୍ରକୁ ବ୍ୟବହାର କରି ଆକ୍ରମଣକାରୀଙ୍କୁ ୨୨୦ ଭୋଲଟର ଝଟକା ଦେବ । ଗତ ଗୁରୁବାର ନିଜ କଲେଜରେ ଥିବା ଏକ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ ଲଛମନ ।

ଗୋଟିଏ ଟ୍ରାଞ୍ଜିଷ୍ଟର ଟ୍ରାନ୍ସଫରର୍ମର, ଏକ ବ୍ୟାଟେରି ଓ କିଛି ତାରକୁ ରିମୋର୍ଟ ସହ ଯୋଡ଼ି ମହିଳାଙ୍କ ସୁରକ୍ଷାରେ ଲଛମନ୍ ଏହି ଯନ୍ତ୍ର ଉଦ୍ଭାବନ କରିଛନ୍ତି । ଆବଶ୍ୟକ ସ୍ଥଳେ ରିମୋର୍ଟକୁ ଦାବାଇଲେ ୨୨୦ ଭୋଲ୍ଟର ବିଦ୍ୟୁତ ଉତ୍ପାଦନ ହେବ । ଫଳରେ ଏହା ଆକ୍ରମଣକାରୀ ବା ଅସଦାଚାରଣ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କୁ ଝଟକା ଦେବ । ଏଭଳି ଭାବେ ମହିଳାମାନେ ଅସଦାଚରଣକାରୀଙ୍କ ଠାରୁ ନିଜକୁ ରକ୍ଷା କରିପାରିବେ । ଏହ ଯନ୍ତ୍ର ବ୍ୟାଟେରି ଦ୍ୱାରା ପରିଚାଳିତ । ବ୍ୟାଟେରି ୩ ଘଂଟା ଚାର୍ଜ କଲେ ୬୦ ଘଂଟା ପର୍ଯ୍ୟନ୍ତ କାମ କରିବ ବୋଲି କହିଛନ୍ତି ଲଛମନ ।

ପୂର୍ବରୁ ୫୦୦ ଓ ୦୦୦ ଟଙ୍କିଆ ନୋଟରୁ ବିଦ୍ୟୁତ ଉତ୍ପାଦନ କରି ଚର୍ଚ୍ଚାରେ ଆସିଥିବା ଲଛମନ୍ ଏବେ ଏହି ସ୍ୱତନ୍ତ୍ର ଯନ୍ତ୍ର ଉଦ୍ଭାବନ କରି ପ୍ରଶଂସା ସାଉଟିଛନ୍ତି । ଲଛମନଙ୍କ ଉଦ୍ଭାବନ ପାଇଁ ତାଙ୍କୁ ପ୍ରୋତ୍ସାହନ ଦେବାକୁ ଦାବି ହେଉଛି ।

ସମ୍ବନ୍ଧିତ ଖବର