ଇନ୍‌ଷ୍ଟାଗ୍ରାମରେ ନାବାଳିକାଙ୍କ ନଗ୍ନ ଫଟୋ ଭାଇରାଲ୍‌

ଯୁବକଙ୍କ ନାଁରେ ସାଇବରେ ଥାନାରେ ମାମଲା

ସମ୍ବଲପୁର: ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ସମ୍ବଲପୁର ଅଞ୍ଚଳର ଜଣେ ନାବାଳିକାଙ୍କର ନଗ୍ନ ଫଟୋ ଭାଇରାଲ୍‌ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ ସୂଚନା ଅନୁଯାୟୀ, ସମ୍ବଲପୁର ଟାଉନ୍‌ ଥାନା ଠେଲ୍‌କୋପଡ଼ାର ଆୟୁଷ ବାଗ(୨୦) ନାମକ ଯୁବକ ଜଣକ ଏହି ଫଟୋ ଛାଡ଼ିଥିଲେ। ଆୟୁଷ ଏକ ଫେକ୍‌ ଇନ୍‌ଷ୍ଟାଗ୍ରାମ୍‌ ଆଇଡି ଖୋଲିଥିଲା। ତାପରେ ମଙ୍ଗଳବାର ସେ ଉକ୍ତ ଫେକ୍‌ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରେ ନାବାଳିକାଙ୍କ ନଗ୍ନ ଫଟୋ ଦେଇ ଭାଇରାଲ୍‌ କରିଥିଲେ। ଏହାପରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେବା ସହିତ ଭିଡିଓ ଭାଇରାଲ୍‌ କରିଦେବି ବୋଲି ଧମକ ଦେଇଥିଲେ।

ଉକ୍ତ ଯୁବକ ଜଣକ ନାବାଳିକାଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ଥିଲା। ତାପରେ ନାବାଳିକାଙ୍କ ହ୍ବାଟ୍ସଆପ୍‌ ନମ୍ବର ନେଇଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଚାଟିଂ ଚାଲିଥିଲା। ପରେ ବିଭିନ୍ନ ବାହାନା କରି ଭିଡିଓ କଲିଂ କରିବାକୁ ବାଧ୍ୟ କରିଥିଲା ଆୟୁଷ। ଭିଡିଓ କଲିଂରେ ଧୀର ଧୀରେ ନାବାଳିକାଙ୍କ ସହିତ ଅଶ୍ଳୀଳ ଆଚରଣ କରିଥିଲେ। ନାବାଳିକା ବିଶ୍ବାସ କରି ଡ୍ରେସ୍‌ ଖୋଲି ଥିବା ସମୟରେ ଯୁବକ ଜଣକ ସ୍କ୍ରିନ୍‌ ରେକର୍ଡର୍‌ ସାହାଯ୍ୟରେ ତାକୁ ରେକର୍ଡ କରି ନେଇଥିଲା। ପରେ ଯୁବକ ଜଣକ ତାଙ୍କୁ ଭିଡିଓ ଓ ଫଟୋ ଭାଇରାଲ୍‌ କରିବାକୁ ଧମକ ଦେଇଥିଲେ। ନିଜେ ଇନ୍‌ଷ୍ଟାଗ୍ରାମ୍‌ରେ ଫେକ୍‌ ଆଇଡି ତିଆରି କରି ଉକ୍ତ ସ୍କ୍ରିନ୍‌ ରେକର୍ଡର୍‌ ଦ୍ବାରା କରିଥିବା ଭିଡିଓକୁ ମଙ୍ଗଳବାର ଭାଇରାଲ୍‌ କରିଥିଲେ। ଏହା ଜାଣିବା ପରେ ନାବାଳିକା ଜଣକ ବୁଧବାର ପୂର୍ବାହ୍ଣରେ ସମ୍ବଲପୁର ସାଇବର୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ସହିତ ଉକ୍ତ ଆଇଡିରୁ ଭିଡିଓଗୁଡ଼ିକୁ ଡିଲିଟ୍‌ କରାଇବା ପାଇଁ ନିବେଦନ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର