ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବାର ନଗ୍ନ ଚିତ୍ର: ଟ୍ରଲିରେ ବୁହାହେଲା ମୃତଦେହ, ବ୍ୟବଚ୍ଛେଦ ହେଲାନି

ଯାଜପୁରସଦର : କରୋନା ମହାମାରୀ ସମୟରେ ଯାଜପୁର ଜିଲ୍ଲା ମୁଖ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗର ଏକ ନଗ୍ନ ଚିତ୍ର ସାମ୍ନାକୁ ଆସିଛି। ଖୋଦ୍ ଜିଲ୍ଲା ମୁଖ୍ୟାଳୟରେ ଟ୍ରଲିରେ ଶବ ବୋହି ନେଲେ ସଂର୍ପକୀୟ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ରୋଗୀର ମୃତ୍ୟୁ ପରେ ସଂର୍ପକୀୟଙ୍କୁ ତୁରନ୍ତ ମୃତଦେହ ନେଇଯିବାକୁ କୁହାଯାଇଥିଲା। ଅର୍ଥାଭାବରୁ ବାଧ୍ୟ ହୋଇ ପରିବାର ଲୋକେ ମୃତଦେହକୁ ବୁଧବାର ସନ୍ଧ୍ୟାରେ ଟ୍ରଲିରେ ବୋହି ନେଇଥିଲେ।

ଯାଜପୁର ବ୍ଲକ ପଣସା ପଞ୍ଚାୟତ ଆଙ୍କୁଲା ଆଦିବାସୀ ସାହିର ଲକ୍ଷ୍ମୀଧର ମୁଣ୍ଡାଙ୍କ ପତ୍ନୀ ଗୁରୁବାରୀ ମୁଣ୍ଡା(୬୫) ବୁଧବାର ମଧ୍ୟାହ୍ନରେ ଭତ୍ତା ପାଇଁ ସ୍ଥାନୀୟ ଡିଲରଙ୍କ ଘରକୁ ଯାଇଥିଲେ। କୌଣସି କାରଣରୁ ସେ ହଠାତ୍ ଡିଲରଙ୍କ ଘର ସମ୍ମୁଖରେ ଟଳି ପଡ଼ିଥିଲେ। ପରିବାର ଲୋକ ଖବର ପାଇ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ବହୁ ବିଳମ୍ବରେ ଡାକ୍ତର ରୋଗୀଙ୍କୁ ଦେଖିବା ସହ ସେ ମୃତ ବୋଲି ଘୋଷଣା କରିଥିଲେ। ମୃତଦେହକୁ ନେଇ ଶୀଘ୍ର ପଳାଇ ଯିବାକୁ ସୁରକ୍ଷାକର୍ମୀ ପରାମର୍ଶ ଦେଇଥିଲେ। ନିରକ୍ଷର ଆଦିବାସୀ ପରିବାର ଉପାୟଶୂନ୍ୟ ହୋଇ ମୃତଦେହକୁ ଏକ ଟ୍ରଲିରେ ବୋହି ନେଇ ଯାଇଥିଲେ।

ବହୁ ଲୋକଙ୍କ ସାମନାରେ ଏହା ଘଟିଥିଲେ ବି ସହାୟତା କରିବାକୁ କେହି ଆଗେଇ ଆସି ନଥିଲେ। ବରଂ କେହି ଜଣେ ଏହି ଦୃଶ୍ୟର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ, ଯାହା ପରେ ଭାଇରାଲ ହୋଇଛି। ବୃଦ୍ଧାଙ୍କ ମୃତ୍ୟୁ କିପରି ହେଲା ତାହା ଜଣାପଡ଼ିନାହିଁ। ଅଥଚ ଶବ ବ୍ୟବଚ୍ଛେଦ ନକରି ମୃତଦେହକୁ ନେଇଯିବାକୁ କିଭଳି ପରାମର୍ଶ/ସୁଯୋଗ ଦିଆଗଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଅଂଶୁଘାତରେ ମୃତ୍ୟୁ ହୋଇଥାଏ ତେବେ ପରିବାର ଲୋକେ ସରକାରୀ ସହାୟତାରୁ ବଞ୍ଚିତ ହେବେ। ନା କରୋନା ସନ୍ଦେହରେ ଶବ ବ୍ୟବଚ୍ଛେଦ ନକରି ପଳାଇ ଯିବାକୁ କୁହାଗଲା ସେନେଇ ସନ୍ଦେହ ସୃଷ୍ଟି ହୋଇଛି।

ସାଧାରଣତଃ ପ୍ରତ୍ୟେକ ଅସ୍ବାଭାବିକ ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ ହୋଇଥାଏ। ମାତ୍ର ଏଠାରେ ତାହାର ବ୍ୟତିକ୍ରମ ଘଟିଛି। ଏକ ଅସହାୟ ପରିବାର ଯାଜପୁର ସହରର ଛାତି ଉପରେ ମୃତଦେହକୁ ଟ୍ରଲିରେ ‌ବୋହିନେବା ଘଟଣା ସଚେତନ ନାଗରିକଙ୍କୁ ଆଲୋଡ଼ିତ କରିଛି।

ସମ୍ବନ୍ଧିତ ଖବର