ଅନୁଗୁଳ: ଶେଷ‌ରେ ଚାଳିଆରୁ ହଟିଲା କଳା ପଲିଥିନ୍‌। ନୁମା-ବାପିଙ୍କ ମାଟି କୁଟୀରରେ ଆରମ୍ଭ ହେଲା ନୂଆ ଚାଳ ଛପର। ସରକାରଙ୍କ ପକ୍ଷରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଏବଂ ସ୍ବାଧୀନତା ସଂଗ୍ରାମୀ ମାଳତୀ ଦେବୀଙ୍କ ଝାଟିମାଟିର କୁଟୀର ବିକଶିତ ହେବାପୂର୍ବରୁ ଆଜି ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଟ୍ରଷ୍ଟ ଚାଳ ଛପର କାମ ଆରମ୍ଭ କରି ଦେଇଛି। ସ୍ବାଧୀନତା ସଂଗ୍ରାମ ସହିତ ଜଡ଼ିତ ଏହି ସ୍ମୃତିପୀଠକୁ ସଜାଡ଼ିବା ପାଇଁ ପାଖାପାଖି ୫/୭ଜଣ ଚାଳ ଛପର କାରିଗର ଲାଗିପଡ଼ିଛନ୍ତି। ପୂରା ଛପରକୁ ସଜାଡ଼ିବାକୁ ପ୍ରାୟ ତିନିଦିନ ଲାଗିଯିବ ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

Advertisment

ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ପ୍ରଥମେ ଏ ପ୍ରସଙ୍ଗ ଉଠାଇଲା ପରେ ଅତି ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଏ ଚାଳ ଛପର ରାଜ୍ୟରେ ଚର୍ଚ୍ଚାକୁ ଆସିଥିଲା। ସାଦା ଜୀବନ ଏବଂ ଉଚ୍ଚବିଚାରକୁ ନିଜ ଜୀବନର ମନ୍ତ୍ର କରିଥିବା ନବବାବୁ କୋଠାକୁ ତ୍ୟାଗ କରି ଚାଳିଆରେ ରହିବାକୁ ପସନ୍ଦ କରିଥିଲେ। କହିବାକୁ ଗଲେ, ମାଟିର ମଣିଷ ମାଟି ଘରେ ରହିବାକୁ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ପସନ୍ଦ କରିଥିଲେ। ସେଥିପାଇଁ ଏ ମାଟି ଘରେ ନବବାବୁଙ୍କ ସହିତ ଅନେକ ସ୍ମୃତି ଯୋଡ଼ିହୋଇ ରହିଥିବା ବେଳେ ଉତ୍କଳ ନବଜୀବନ ମଣ୍ଡଳ ପ୍ରତିବର୍ଷ ଚାଳ ଛପରର ଦାୟିତ୍ବ ମୁଣ୍ଡାଇ ଆସୁଥିଲା। କିନ୍ତୁ, ଆର୍ଥିକ ସମସ୍ୟା ପାଇଁ ଗଲାବର୍ଷଠୁ ହିଁ ଏଥିରେ ବ୍ୟତିକ୍ରମ ହୋଇଥିଲା। ଟଙ୍କା ନାହିଁ ବୋଲି ନବବାବୁଙ୍କ ଚାଳଘରକୁ ଛପର କରାଯାଇ ପାରିଲା ନାହିଁ। ତେଣୁ, ତାକୁ କଳା ପଲିଥିନ୍‌ରେ ଘୋଡ଼ାଇ ରଖାଯାଇଥିଲା। ମାଟି ଘର ଅତି ଜରଜୀର୍ଣ୍ଣ ଅବସ୍ଥାକୁ ଆସିଲା ପରେ ଖଣ୍ଡପଡ଼ା ବିଧାୟକ ଶ୍ରୀ ପଟ୍ଟନାୟକ ଏହାକୁ ନେଇ ପ୍ରଶ୍ନ କରିଥିଲେ।
ଉତ୍କଳ ନବଜୀବନ ମଣ୍ଡଳର କର୍ମକର୍ତା ମୁରଲୀଧର ମୂଳିଆ କହିଛନ୍ତି, ଗତବର୍ଷ ଚାଳ ଘର ଛପର ହୋଇ ନଥିଲା। ଏବର୍ଷ ବି ଛପର ନ ହେଲେ, ନୁମା-ବାପିଙ୍କ ସ୍ମୃତିପୀଠ ପ୍ରତି ବିପଦ ଆଶଙ୍କା ରହିଛି। ତେଣୁ, ତାହାକୁ ଆଖି ଆଗରେ ରଖି ବର୍ଷା ଋତୁ ଆସିବା ପୂର୍ବରୁ ଆଜି ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଟ୍ରଷ୍ଟ ନୂଆ ଚାଳଛପର କରିବା ଆରମ୍ଭ କରି ଦେଇଥିବା ସେ କହିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ନବବାବୁଙ୍କ କୁଟୀର ପ୍ରସଙ୍ଗର କେଇଟା ଦିନ ପରେ ନବବାବୁଙ୍କ ପ୍ରତିମୂର୍ତ୍ତିକୁ ବି ବିକୃତ କରାଯାଇଥିଲା। ଗାନ୍ଧୀବାଦକୁ ଜୀବନ କରି ନେଇଥିବା ଏହି ମାଟିର ମଣିଷଙ୍କୁ ଅନୁଗୁଳ ପୌର ପ୍ରଶାସନ ବେକଚିପା ସାର୍ଟ, ପ୍ୟାଣ୍ଟ୍‌ ଏବଂ ବୁଟ୍ ପିନ୍ଧାଇ ବିଲାତିବାବୁ ସଜାଇ ଦେଇଥିଲେ। ନବବାବୁଙ୍କ ବ୍ୟକ୍ତିତ୍ବରେ ଏ ପ୍ରକାର ବିକୃତିକୁ ନେଇ କେବଳ ଅନୁଗୁଳ କାହିଁକି, ପୂରା ଓଡ଼ିଶାରେ ପ୍ରତିବାଦର ସ୍ବର ଉଠିଥିଲା । ଅନୁଗୁଳ ପୌରପାଳିକାର ଭୁଲ୍‌ ପାଇଁ ସରକାରଙ୍କୁ ବି ସମାଲୋଚିତ ହେବାକୁ ପଡ଼ିଥିଲା। ତେଣୁ, ନବବାବୁଙ୍କ ଚାଳିଆ ସହିତ ବିକୃତ ପ୍ରତମୂର୍ତ୍ତିର ସୁଧାର ପାଇଁ ପାଞ୍ଚ ଜଣିଆ ଟିମ୍‌ ଏଠାକୁ ଆସିଥିଲେ। ନବବାବୁଙ୍କ ସ୍ମୃତି ରକ୍ଷା ପାଇଁ ଏକ ନକ୍ସା ତିଆରି କରିବାକୁ ସରକାର ବାଜିରାଉତ ଛାତ୍ରାବାସକୁ ସ୍ବତନ୍ତ୍ର କାରିଗର ପଠାଇବା ସହିତ ନୂଆ ବ୍ରୋଞ୍ଜ୍‌ ମୂର୍ତ୍ତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତାହା କେବେ କାର୍ଯ୍ୟକାରୀ ହେବ, ତାହାର କିଛି ଠିକଣା ନାହିଁ।