ଅନୁଗୁଳ : ଅନୁଗୁଳ ବାଜିରାଉତ ଛାତ୍ରାବାସ ପରିଦର୍ଶନ କରି ଫେରିଲା ପରେ ପରେ ଓଡ଼ିଶା ବ୍ରିଜ୍ ଆଣ୍ଡ କନ୍ଷ୍ଟ୍ରକ୍ସନ୍ କମ୍ପାନି(ଓବିସିସି) ତୁରନ୍ତ ପଠାଇଛି କାରିଗର। ଏପାଖରେ ରାଜ୍ୟ ସଂସ୍କୃତି ବିଭାଗ ନବ-ମାଳତୀଙ୍କର ପ୍ରତିମୂର୍ତ୍ତି କରିବା ପାଇଁ ଜିଲ୍ଲାପାଳଙ୍କଠାରୁ ଫଟୋ ମଗାଇଥିବା ବେଳେ ସେପାଖରେ ଓବିସିସିର ଅଭିଜ୍ଞ କାରିଗର ବାଜିରାଉତ ଛାତ୍ରାବାସରେ ରହି ନବ-ମାଳତୀଙ୍କ ଚାଳିଆ ଘରର ଏ ମୁଣ୍ଡରୁ ସେ ମୁଣ୍ଡ ଯାଏ ମାପଚୁପ କରିଛନ୍ତି। ଏହି ମାଟି ଘରକୁ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ଭଳି କେମିତି ସଂରକ୍ଷିତ କରାଯିବ ସେ ସମ୍ପର୍କରେ ମଧ୍ୟ ନବ ବାବୁଙ୍କ ଝିଅ କୃଷ୍ଣା ମହାନ୍ତିଙ୍କ ସହିତ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ବର୍ଷା ଋତୁ ଆସିବା ପୂର୍ବରୁ ନବବାବୁଙ୍କ ଏ ଚାଳିଆ କୁଟୀରରେ ଯେମିତି ପାଣି ନ ଗଳେ, ସେଥିପାଇଁ ନୂଆ ଚାଳ ଛପର କରିବାକୁ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଟ୍ରଷ୍ଟ ଅଣ୍ଟା ଭିଡ଼ିଛି।
ଉଲ୍ଲେଖଯୋଗ୍ୟ, ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଜରାଜୀର୍ଣ୍ଣ ବାସସ୍ଥାନ ସଂପର୍କରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କିଛିଦିନ ତଳେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନବବାବୁ କଣ ଆମର ଗର୍ବ ନୁହନ୍ତି? ନବବାବୁଙ୍କର ଜରିପାଲ ଘୋଡ଼ା ହୋଇଥିବା ଚାଳଘରକୁ ନେଇ ଏମିତି ପ୍ରଶ୍ନ କରିଥିଲେ ଶ୍ରୀ ପଟ୍ଟନାୟକ। ଏ ଘଟଣାର କେଇଟା ଦିନ ପରେ ଅନୁଗୁଳ ପୌର ପ୍ରଶାସନ ତିଆରି କରିଥିବା ନବବାବୁଙ୍କ ବିକୃତ ପ୍ରତିମୂର୍ତ୍ତି ଘଟଣା ଏ ପ୍ରସଙ୍ଗକୁ ଆହୁରି ତାଜା କରିଥିଲା। ସରକାରଙ୍କ ଆଖିରେ ନବବାବୁଙ୍କର ଚାଳିଆ ଯେମିତି ଅବହେଳିତ ହୋଇ ରହିଥିଲା, ଜିଲ୍ଲା ପ୍ରଶାସନ ନବବାବୁଙ୍କ ବ୍ୟକ୍ତିତ୍ବକୁ ମଧ୍ୟ ଠିକ୍ ସେହିଭଳି ବିକୃତ କରି ଦେଇଥିଲା। ଗାନ୍ଧୀବାଦକୁ ନିଜର ଜୀବନ ଓ ଆଦର୍ଶ କରି ନେଇଥିବା ଏହି ସାଦା ଏବଂ ସରଳ ମଣିଷକୁ ଅନୁଗୁଳ ପୌର ପ୍ରଶାସନ ବିଲାତି ବାବୁ ସଜାଇ ବେକଚିପା ଫୁଲ୍ ସାର୍ଟ ସାଙ୍ଗକୁ ଫୁଲ୍ ପ୍ୟାଣ୍ଟ୍ ଏବଂ ବୁଟ୍ ପିନ୍ଧାଇଥିଲା।
ଗଣମାଧ୍ୟମରେ ଏ ଖବର ପ୍ରକାଶ ପାଇଲା ପରେ ସାରା ଓଡ଼ିଶାରୁ ବିରୋଧର ସ୍ବର ଉଠିଥିଲା। ନବବାବୁଙ୍କ ଏମିତିକି, ଅନୁଗୁଳ ପୌର ପ୍ରଶାସନର ଭୁଲ୍ ପାଇଁ ସରକାର ବି ସମାଲୋଚିତ ହୋଇଥିଲେ। ତେଣୁ, ଏ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସଂସ୍କୃତି ବିଭାଗ ନିର୍ଦ୍ଦେଶକଙ୍କ ସହିତ ଓଡ଼ିଶା ବ୍ରିଜ୍ ଆଣ୍ଡ୍ କନ୍ଷ୍ଟ୍ରକ୍ସନ୍ କମ୍ପାନିର ଚେୟାରମ୍ୟାନ୍, ଆର୍କିଟେକ୍ଚରଙ୍କୁ ମିଶାଇ ମୋଟ୍ ୫ଜଣିଆ ଟିମ୍ ବାଜି ରାଉତ ଛାତ୍ରାବାସକୁ ଛୁଟି ଆସିଥିଲେ। ବିକୃତ ପ୍ରତିମୂର୍ତ୍ତିକୁ ହଟାଇ ଅବିକଳ ଏବଂ ନୂଆ ନୁମା-ବାପିଙ୍କର ବ୍ରୋଞ୍ଜ୍ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ପ୍ରତିଶ୍ରୁତି ଦେବା ସହିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋ ଷ୍ଟାଇଲ୍ରେ ବାଜିରାଉତ ଛାତ୍ରାବାସର ରୂପ ପରିବର୍ତ୍ତନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଟିମ୍ ଛାତ୍ରାବାସରୁ ଫେରିବା ପରେ ପରେ ଉଭୟ କାମ ତ୍ବରିତ ବେଗରେ ଆରମ୍ଭ ହୋଇଛି। ମୂର୍ତ୍ତି ପାଇଁ ଫଟୋ ସଂଗ୍ରହ କରାଯାଇଥିବା ବେଳେ ଦୁଇ ଦିନ ତଳେ ଓବିସିସିର ବଙ୍ଗାଳି କାରିଗର ବାଜିରାଉତ ଛାତ୍ରାବାସରେ ଦୁଇ ଦିନ କାଳ ରହି ନୁମା-ବାପିଙ୍କ ଚାଳିଆ କୁଟୀରର ଆମୂଳ ଚୁଳ ମାପଚୁପ କରିଛନ୍ତି।
ଏହି କାରିଗର ସୁଆଣ୍ଡୋରେ ଗୋପବନ୍ଧୁଙ୍କ ଘରକୁ ବି ସଂରକ୍ଷିତ କରାଇଥିଲେ। ସେହି ଢଙ୍ଗରେ ନୁମା-ବାପିଙ୍କର ମାଟି ଘରକୁ ସେହି ରୂପରେ ହିଁ ସଂରକ୍ଷିତ କରିବାକୁ ଯୋଜନା କରାଯାଉଛି। ତେଣୁ, ଏଥିପାଇଁ କଣ ସବୁ ଜିନିଷ ଲାଗିବ, କେଉଁଠୁ କି ପ୍ରକାର ମାଟି ଆସିବ ଓ ଆନୁମାନିକ କେତେ ଟଙ୍କା ଖର୍ଚ୍ଚ ହେବ, କାରିଗର ତାର ଏକ ବ୍ୟୟ ଅଟକଳ ସରକାରଙ୍କୁ ଦେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।
ଏ ସମ୍ପର୍କରେ ନବବାବୁଙ୍କ ଝିଅ କୃଷ୍ଣା କହିଛନ୍ତି, ଓବିସିସିର କାରିଗର ଆସି କୁଟୀରର ମାପଚୁପ କରି ଯାଇଛନ୍ତି। ସୁଆଣ୍ଡୋରେ ଉତ୍କଳମଣିଙ୍କ ଘରକୁ ଯେମିତି ସଂରକ୍ଷିତ କରାଯାଇଛି, ସେହିପରି କରିବାକୁ କାରିଗର ଆଲୋଚନା କରୁଥିଲେ ବୋଲି ସେ ପ୍ରକାଶ କରିଛନ୍ତି।